ଭୁବନେଶ୍ୱର : ପ୍ରତିଟି ମଣିଷ ପାଇଁ ଜନ୍ମଦିନ ଏକ ଅଭୁଲା ଦିନ । ଦିନଟିକୁ ସ୍ମରଣୀୟ ରଖିବା ପାଇଁ ଅନେକ ହୋଟେଲ, ରେଷ୍ଟୁରା, ପଂଚତାରକା ହୋଟେଲ ଓ ବିଭିନ୍ନ ମଣ୍ଡପମାନଙ୍କରେ ଜନ୍ମଦିନ ଉତ୍ସବ ଜାକ ଜମକରେ ଆୟୋଜନ କରିଥାନ୍ତି । ବନ୍ଧୁ, ବାନ୍ଧବ, ସାଙ୍ଗ, ସାଥୀ ଏବଂ ଆତ୍ମୀୟ ସ୍ୱଜନ ମାନଙ୍କୁ ଏକାଠି କରି ଆପ୍ୟାୟିତ କରିଥାନ୍ତି । ଦୁଆର ମୁହଁରେ ବେଲୁନ୍ ଓ ଫୁଲସଜ୍ଜା ସହ ଡ଼ିଜେ ସଙ୍ଗୀତ, ଭୋଜିଭାତ, କେକ୍କଟା, କ୍ୟାଣ୍ଡେଲ୍ ଫୁଙ୍କା ସାଙ୍ଗକୁ ଉପହାର ଦିଆନିଆ ହେଉଛି ଏବେକାର ଜନ୍ମଦିନ ପାଳନର ଶୈଳୀ । ଯାହା ପାଶ୍ଚାତ୍ୟ ସଂସ୍କୃତିକୁ ଇଙ୍ଗିତ କରିଥାଏ । ଏସବୁକୁ ବ୍ୟତିକ୍ରମ ଘଟାଇ ଜାତୀୟତାର ମହାନ୍ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ନିଜର ଜନ୍ମଦିନକୁ ଏକ ନିଆରା ଓ ନିରାଡ଼ମ୍ବର ରୂପେ ପାଳନ କରିଛନ୍ତି ଅଦ୍ୱେତା । ମହାମାରୀ କରୋନା ସମୟରେ ସେ ନିଜ ଜନ୍ମଦିନ ପାଳନକୁ ଜାକଜମକ ଠୁ ଦୂରରେ ରହି ଦିବ୍ୟାଙ୍ଗ ମାନଙ୍କୁ ଖୁସି ବାଣ୍ଟିଛନ୍ତି ଏବଂ ଜୀଇଁବାର ରାହା ଦେଖାଇଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛି ।ସୂଚନାଯୋଗ୍ୟ, ଅଦ୍ୱେତା ହେଉଛନ୍ତି ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲର ନିଦେ୍ର୍ଧଶିକା ଡା. ଗୀତାଞ୍ଜଳି ପଦ୍ମନାଭମଙ୍କ ନାତୁଣୀ । ସେ ନିଜ ଜନ୍ମଦିନ ଅବସରରେ ଭାରତ ସରକାରଙ୍କ ଜାତୀୟ ବୃତି ସେବା କେନ୍ଦ୍ର (ଏନ୍.ସି.ଏସ୍.ସି.ଡି.ଏ) ଭୁବନେଶ୍ୱର ଦ୍ୱାରା ତାଲିମପ୍ରାପ୍ତ ୨୧ଜଣ ଦିବ୍ୟାଙ୍ଗ ଯୁବକ ଯୁବତୀମାନଙ୍କୁ ଜୀବିକା ସାଧନ କିଟ୍ ଦାନ କରିଛନ୍ତି । କିଟ୍ ମଧ୍ୟରେ ରହିଛି ୪ଟି ବହୁମୁଖୀ ସିଲେଇ ମେସିନ୍, ୮ଟି ୱେଲ୍ଡ଼ିଙ୍ଗ କିଟ୍, ୩ଟି ମୋବାଇଲ୍ ମରାମତି କିଟ୍, ୩ଟି ଏସି ମରାମତି କିଟ୍ ଏବଂ ୩ଟି ଇଲେକ୍ଟ୍ରିକାଲ କିଟ୍ । କରୋନା ମହାମାରୀ ସମୟରେ ଜୀବନ ଓ ଜୀବିକା ପାଇଁ ନିଶ୍ଚିତ ଆମ୍ଭମାନଙ୍କୁ ବାଟ ଦେଖାଇବ ବୋଲି ଖୋର୍ଦ୍ଧା ଜିଲ୍ଲାର ତାଲିମପ୍ରାପ୍ତ ଯୁବକ ସୁଦାମ ସ୍ୱାଇଁ ଏବଂ ଜଗତସିଂହପୁର ଜିଲ୍ଲାର କୁମାରୀ କୌଶଲ୍ୟା ଦାସ ପ୍ରକାଶ କରିଛନ୍ତି । ଏହି ଅବସରରେ ଏମ୍ସ ହସ୍ପିଟାଲର ନିଦେ୍ର୍ଧଶିକା ଡା. ଗୀତାଞ୍ଜଳି ପଦ୍ମନାଭମ୍, ଉପନିଦେ୍ର୍ଧଶକ (ପ୍ରଶାସନ) ପି.କେ. ରାୟ, ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର (ଏନ୍.ସି.ଏସ୍.ଡ଼ି.ଏ)ର ମୁଖ୍ୟ ରାମକିଶୋର ଶର୍ମା, ସାଇକୋଲୋଜିଷ୍ଟ ସୋନାଲିକା ସୁମନ ପ୍ରମୁଖ ଅଦ୍ୱେତାଙ୍କ ଏତାଦୃଶ ପଦକ୍ଷେପକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।