ଜମି ବାଡ଼ି ବିବାଦରୁ ଆକ୍ରମଣ : ଜଣେ ଆହତ

ବାଲିକୁଦା: ଜମି ବାବାଦକୁ କେନ୍ଦ୍ର କରି ଆଜି ଦୁଇ ପରିବାର ମଧ୍ୟରେ ଗଣ୍ଡ ଗୋଳ ଘଟି ଜଣେ ଆହତ ହୋଇଥିବା ଜଣା ପଡ଼ିଛି । ଆହତ ଜଣକ ହେଉଛନ୍ତି ବାଲିକୁଦା ଥାନା ଗରାମ ପଞ୍ଚାୟତ କୋଳଥପାଟଣା ଗାଁର ଆରତ ନାଥ(୫୩) ବୋଲି ଜଣା ପଡ଼ିଛି । ଆରତଙ୍କ ପରିବାର ସହିତ ସେହି ଗାଁର ତାଙ୍କ ପଡୋଶୀ । ମହାଦେବ ଓଝା ଓ ଧୁନେଶ୍ୱର ଓଝାଙ୍କର ଜମିବାଡି ବିବାଦ ଦୀର୍ଘ ବର୍ଷ ହେବ ଲାଗି ରହିଥିଲା । ଗତବର୍ଷ ଏହାର ସମାଧାନ ପାଇଁ ପଞ୍ଚାୟତ ଡକାଯାଇ ଉଭୟ ପରିବାରଙ୍କର ବିବାଦୀୟ ଜମି ମାପ କରାଯାଇଥିଲା । ମାତ୍ର ଏହାକୁ ଗୋଟିଏ ପକ୍ଷ ମାନି ନେଇ ପାରି ନ ଥିଲେ । ପରେ ତହସିଲରୁ ସରକାରୀ ଅମୀନ ଅଣା ଯାଇ ମାପଚୁର କରାଯାଇ ଉଭୟଙ୍କ ସୀମା ନିର୍ଦ୍ଧାରଣ କରାଯାଇଥିଲା । ଏହା ପରେ ଆରତ ନିଜ ସୀମା ଚିହ୍ନଟ ପରେ ସିମେଣ୍ଟ ଖୁଣ୍ଟ ପୋତିବା ସହିତ ଗୁଆ ଗଛ ମାନ ପକାଇ ଥିଲେ । ହେଲେ ଆଜି ସକାଳେ ଓଝା ପରିବାର ଆସି ସେହି ଗଛ ଗୁଡ଼ିକୁ ହାଣି ପକାଇ ଥିଲେ । ଏହାକୁ ପ୍ରତିବାଦ କରିବାରୁ ମହାଦେବ ଓଝାଙ୍କ ପୁଅ ତୋଫାନ ଓଝା(୨୭), ତପନ ଓଝା(୨୩) ଧୁନେଶ୍ୱର ଓଝାଙ୍କ ପୁଅ ଶରତ ଓଝା(୪୦), ଭରତ ଓଝା(୧୬) ସଂଘ ବଦ୍ଧ ଭାବେ ଆରତଙ୍କୁ ବିଭିନ୍ନ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଆରତଙ୍କର ମୁଣ୍ଡ ଓ ହାତରେ ଗଭୀର କ୍ଷତ ହୋଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ଗୁରୁତର ଆହତ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା ।

Comments (0)
Add Comment