ଜିଲିଙ୍ଗ ଖଣିରେ ପରିବହନ ଓ ନିଯୁକ୍ତି ଦାବିରେ ଫାଟକ ସମ୍ମୁଖରେ ମହିଳାଙ୍କ ଆନ୍ଦୋଳନ

ଯୋଡା: ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଜିଲିଙ୍ଗ ଲଙ୍ଗାଲୋଟାସ୍ଥିତ ଆପାହାତୁ ଖଣିରେ ନିଯୁକ୍ତି ଏବଂ ଲୁହାପଥର ପରିବହନ ଦାବି କରି କିଛି ସ୍ଥାନୀୟ ମହିଳା ଗୁରୁବାର ସକାଳୁ ଖଣି ଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ମହିଳା ମାନଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଥିବା ଜଣାପଡିଛି । ଏହି ଖଣିଟି ପୂର୍ବରୁ ଆଦିତ୍ୟ ବିର୍ଲାଙ୍କ ଏସେଲ ମାଇନିଙ୍ଗ ଅଧିନରେ ରହିଥିବା ବେଳେ ଏଥିରେ ସ୍ଥାନୀୟ ଲୋକେ ପରିବହନ ଏବଂ ନିଯୁକ୍ତି ମାଧ୍ୟମରେ ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ । ତେବେ ନିକଟରେ ନିଲାମ ପ୍ରକ୍ରିୟାରେ ଖଣିଟିକୁ ୧୩୫ ପ୍ରତିଶତ ଅଧିକ ମୂଲ୍ୟରେ ଶ୍ୟାମ ଓର ନାମକ ଏକ ଖଣି କମ୍ପାନୀ ନେଇଥିଲେ ମଧ୍ୟ ସେ ଖଣି ପରିଚାଳନାରେ ବିଫଳ ହୋଇଥିଲେ । ଛଟେଇ କର୍ମଚାରୀ ଏବଂ ପରିବହନ ଠିକାଦାର ନିଯୁକ୍ତି ଦାବି ଦିନକୁ ଦିନ ଜୋର ଧରିବାରୁ ଫଳରେ ଅଧିକ ଦରରେ ନିଲାମ ଧରିଥିହବା ଶ୍ୟାମ ଓର ଖଣି କମ୍ପାନୀଟି ଖଣି ଛାଡିଦେବାକୁ ବାଧ୍ୟ ହୋଇଥିଲା । ପରବର୍ତ୍ତି ପର୍ଯ୍ୟାୟରେ ସରକାର ଖଣିଟିକୁ ନିଜ ଅଧିନରେ ରଖିବା ସହ ଓଡିଶା ଖଣି ନିଗମକୁ ଏହାର ପରିଚାଳନା ଦାୟିତ୍ୱ ହସ୍ତାନ୍ତର କରିଥିଲେ । ତେବେ ଓଏମ୍ସି ଖଣିଟିକୁ କେସିସିଏଲ୍ ନାମକ ଅନ୍ୟ ଏକ ଠିକା ସଂସ୍ଥା ମାଧ୍ୟମରେ ପରିଚାଳନା କରିଆସୁଥିବା ବେଳେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଏବଂ ପରିବହନ କ୍ଷେତ୍ରରେ ଓଏମ୍ସି ଅଣଦେଖା କରୁଥିବା ଅଭିଯୋଗ କରି ଏହି ଆନ୍ଦୋଳନ ଡାକରା ଦିଆାଯାଇଥିଲା । ଏଥିରେ ୫୦ରୁ ଉର୍ଦ୍ଧ୍ୱ ମହିଳା, ପୁରୁଷ ଯୋଗ ଦେଇଥିବା ବେଳେ କେତେକ ପରିବହନ ଠିକାଦାର ସେମାନଙ୍କୁ ଏହି ଆନ୍ଦୋଳନରୁ ଓହରିଯିବା ପାଇଁ ଚାପ ପ୍ରୟୋଗ କରିଥିଲେ । ଫଳରେ କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଦୀର୍ଘ ୫ ଘଣ୍ଟା ଧରି ଏହି ଆନ୍ଦୋଳନ ଜାରି ରହିଥିବା ବେଳେ ପରବର୍ତ୍ତି ସମୟରେ ପୁଲିସ ଏଥିରେ ହସ୍ତକ୍ଷେପ କରିଥିଲା । ଖବର ଲେଖାଯିବା ପର୍ଯ୍ୟନ୍ତ ଆନ୍ଦୋଳନର କୌଣସି ସମାଧାନ ବାଟ ଫିଟି ପାରିନଥିବା ଜଣାପଡିଛି ।

Comments (0)
Add Comment