- ବିଭିନ୍ନ ପ୍ରତିବନ୍ଧକ ସହି କାମ କରୁଛି ଠିକା ସଂସ୍ଥା
- ମାଟି ପାଲ ଛପର ଅଙ୍ଗନୱାଡ଼ି କେନ୍ଦ୍ର ରେ ଅଟକି ରହିଛି କୋମଳ ମତି ପିଲାଙ୍କ ଭବିଷ୍ୟତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ଅନ୍ତର୍ଗତ ଟେମୃପାଲ୍ଲୀ ପଞ୍ଚାୟତର ତୁଳସୀ ଗାଁ। ଗାଁର ଚତୁଃପାର୍ଶ୍ଵରେ ଘେରି ରହିଛି ପାହାଡ଼। ତୁଳସୀ ପାହାଡ଼ ଛତିଶଗଡ଼ ରାଜ୍ୟ ସୀମାକୁ ଲାଗିରହିଥିବା ଏହି ଅଞ୍ଚଳ ମାଓବାଦୀଙ୍କ ଗଡ଼ ଭାବେ ବେଶ୍ ପରିଚିତ। ତୁଳସୀ ଗାଁ ନିକଟରେ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପରଠାରୁ ଏହି ଅଞ୍ଚଳରେ ମାଓବାଦୀ ହିଂସାକାଣ୍ଡ ଯଥେଷ୍ଟ ହ୍ରାସ ପାଇଛି। ଆଖପାଖରେ ଗୁଡାଏ ଗାଁ ରହିଛି ଯେପରି ଦଲଦଲି,ଗୋଗାପଦର,କଟୁଆପଦର,ତୁଳସୀ, ମାଟିଗୁଡ଼ା,ଦଣ୍ଡିଆପଦର,କିରମିଟି ଆଦି ଗାଁ। ମାଓବାଦୀଙ୍କ ଆତଙ୍କ ଯୋଗୁଁ ବିକାଶ କଣ ଜାଣି ନାହାଁନ୍ତି, ଏଠାକାର ଆଦିମ ଜନଜାତି। ତେବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଫୋକସ୍ ରେ ରହିଛି ଏହି ଅଞ୍ଚଳ। ଏଠାକାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସରକାର ଆରମ୍ଭ କରିଛନ୍ତି ଯୋଜନା। ଦୁର୍ଗମ ଅଞ୍ଚଳ ସହ ଗମନାଗମନ ପାଇଁ ରାସ୍ତା ନଥିବାରୁ ଲୋକେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଛନ୍ତି। କୈାଣସି ଅଞ୍ଚଳରେ ବିକାଶ ପାଇଁ, ପ୍ରଥମେ ସେଠାରେ ରାସ୍ତାର ଆବଶ୍ୟକ ପଡ଼ିଥାଏ । ତୁଳସୀ ଅଞ୍ଚଳର ରେ ବିକାଶ ହେବ ବୋଲି ଏବେ ସରକାର ଉପଲବ୍ଧି କରିବା ପରେ ଆରମ୍ଭ ହୋଇଛି ତୁଳସୀ ପାହାଡ଼ ରାସ୍ତା ନିର୍ମାଣ କାର୍ଯ୍ଯ।ଆନ୍ଧ୍ରପ୍ରଦେଶର ହାଇଗ୍ରୀବା ଇନଫ୍ରଟେକ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଠିକା ସଂସ୍ଥା ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରଥମେ ୨୦ କି.ମି ରାସ୍ତା ନିର୍ମାଣ ପାଇଁ ୧୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ବର୍ତ୍ତମାନ ୩୩ କି.ମି ରାସ୍ତା ନିର୍ମାଣ ପାଇଁ ୩୯ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି। ୩୩ କି.ମି ଦୈର୍ଘ୍ୟ ବିଶିଷ୍ଟ ରାସ୍ତା ମାଟିଗୁଡ଼ା ଠାରୁ ନିର୍ମାଣ ଆରମ୍ଭ ହୋଇ ଦଣ୍ଡିଆପଦର ଠାରେ ଶେଷ ହେବ। ଗତ ୨୦୨୩ ମସିହାରୁ ଠିକା ସଂସ୍ଥା ନିର୍ମାଣ କାର୍ଯ୍ୟ ହାତକୁ ନେଇଛି । ତେବେ ପାହାଡ଼ କାଟି ରାସ୍ତା ନିର୍ମାଣ ଅତ୍ୟନ୍ତ କଠିନ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ପାଖରେ ପଥର କୁଆରୀ ନଥିବାରୁ କୋରାପୁଟ ଜିଲ୍ଲାର ସିମଳିଗୁଡ଼ା ଏବଂ ସୁନାବେଡ଼ା ରୁ ମେଟାଲ୍ ଓ ଚିପ୍ ସ ଅଣାଯାଉଛି। ଯାହାକି ବ୍ୟୟ ବହୁଳ ବୋଲି ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀ ବଦ୍ଦୁ ଦୋରା କହିଛନ୍ତି। କମ୍ପାନୀର ନିଜସ୍ଵ କ୍ରସର୍ ୟୁନିଟ୍ ପୂର୍ବରୁ ଥିବା ବେଳେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବିଭିନ୍ନ ଆଇନଗତ ଆଳ ଦେଖାଇ ତାହାକୁ ବନ୍ଦ କରିଦେଇଛନ୍ତି। କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ସମସ୍ତ ପ୍ରକାର ସହଯୋଗ ମିଳୁଥିବା ଏବଂ ପ୍ରତିକୂଳ ପରିସ୍ଥିତି ହେଲେବି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ଠିକା ସଂସ୍ଥାର ମାଲିକ ଗୋକିନା ଶ୍ରୀଧର କହିଛନ୍ତି। ଆମ ଅଞ୍ଚଳକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରୁ ନାହିଁ। ଯାହା ଫଳରେ ଅକାଳରେ ଅନେକ ଧନ ଜୀବନ କ୍ଷତି ଘଟୁଛି। ଏଠାକାର କୁନିକୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କହିଲେ ଏହି ମାଟି ପାଲ ଛପର ରେ ତିଆରି ଅଙ୍ଗନୱାଡ଼ି କେନ୍ଦ୍ରକୁ ଦେଖି ବେଶ୍ ଅନୁମାନ କରି ପାରୁଥିବେ । ଲୋକେ କହିଛନ୍ତି ଶିକ୍ଷା କଣ ଆମ ପିଲାମାନେ ଜାଣୁ ନାହାଁନ୍ତି। ତେଣୁ ପ୍ରଥମେ ରାସ୍ତା ହେଲେ ଶିକ୍ଷା ସହ ଅନ୍ୟ ବିକାଶ ଆପେ ଆପେ ହେବା ସହ ଆମେ ବାହାର ଦୁନିଆକୁ ଦେଖିପାରବୁ ବୋଲି ସ୍ଥାନୀୟ ନିରୀହ ଆଦିବାସୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।