ଜୁଲାଇ-ଅଗଷ୍ଟରେ ୟୁଜି, ପିଜି ଶେଷ ପରୀକ୍ଷା

ଭୁବନେଶ୍ୱର: ମହାମାରୀ କରୋନା ଯୋଗୁଁ ସ୍ଥଗିତ ଥିବା ୟୁଜି, ପିଜିର ଫାଇନାଲ ଇୟର ବା ଫାଇନାଲ୍ ସେମିଷ୍ଟର ପରୀକ୍ଷା ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ଏହି ଘୋଷଣା କରିଛନ୍ତି ।
ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ବିଶ୍ୱବିଦ୍ୟାଳୟ ଗୁଡ଼ିକର କୁଳପତିମାନଙ୍କ ମତାମତ ନିଆଯାଇ ୟୁଜି/ପିଜି ଫାଇନାଲ ଇୟର ବା ଫାଇନାଲ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜୁଲାଇ, ଅଗଷ୍ଟ ସୁଦ୍ଧା ଅନଲାଇନରେ ପରୀକ୍ଷା ହେବ । ପରୀକ୍ଷାର ତାରିଖ ସଂପୃକ୍ତ ବିଶ୍ୱବିଦ୍ୟାଳୟ ବା ସ୍ୱୟଂଶାସିତ କଲେଜ ଗୁଡ଼ିକ ସ୍ଥିର କରିବେ । ସେହିଭଳି ଅନ୍‌ଲାଇନ୍‌ରେ କେମିତି ପରୀକ୍ଷା ହେବ, ତାହା ବି ବିଶ୍ୱବିଦ୍ୟାଳୟ ବା ସ୍ୱୟଂଶାସିତ କଲେଜ ଗୁଡ଼ିକ ସ୍ଥିର କରିବେ ।
ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ପିଲାମାନେ ଘରେ ରହି ପରୀକ୍ଷା ଦେଇପାରିବେ । ଯାହାର ଘରେ ସୁବିଧା ନଥିବ ନିକଟସ୍ଥ ଡିଗ୍ରୀ କଲେଜରେ ଦେଇପାରିବେ । ପିଲାମାନେ ଯେଭଳି ଅନ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ, ସେ ନେଇ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜ କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ ।
ସେ ଆହୁରି କହିଛନ୍ତି, ଏହି ପିଲାମାନଙ୍କର ଯଦି ପୂର୍ବ ସେମିଷ୍ଟରର କିଛି ପରୀକ୍ଷା ବାକି ଅଛି କିମ୍ବା ବ୍ୟାକ୍ ପେପର ରହିଛି, ତା’ହେଲେ ସେମାନେ ଅନ୍‌ଲାଇନ୍ ପରୀକ୍ଷା ମାଧ୍ୟମରେ ଜୁଲାଇ, ଅଗଷ୍ଟ ମାସ ସୁଦ୍ଧା ସେଗୁଡ଼ିକୁ ଶେଷ କରିବେ । ୟୁଜି/ପିଜିର ବାକି ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ନେଇ କିଛି ନିଷ୍ପତ୍ତି ହୋଇନାହିଁ । ପରବର୍ତ୍ତୀ ସମୟରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ଜୁନ୍ ୧୨ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୁଳପତିମାନଙ୍କର ଏକ ବୈଠକ ବସିଥିଲା । ଏହି ବୈଠକରେ ୟୁଜି/ପିଜି ପରୀକ୍ଷା କରାଯିବା ଉଚିତ୍ ବୋଲି ମତ ପ୍ରକାଶ ପାଇଥିଲା । ତେବେ ଏନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ କୁଳପତିମାନେ ବିଭିନ୍ନ କଲେଜର ଅଧ୍ୟକ୍ଷ ଏବଂ ଉଭୟ ଗ୍ରାମଞ୍ଚଳ ଓ ସହରାଞ୍ଚଳର କିଛି ଛାତ୍ରଛାତ୍ରୀ ସହିତ ଆଲୋଚନା କରିବାକୁ ଚାହିଁଥିଲେ । ଏହି ବୈଠକରେ କେତେ ଜଣ କୁଳପତି ଅଫ୍‌ଲାଇନ୍ ପରୀକ୍ଷା ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ ।

Comments (0)
Add Comment