ଭୁବନେଶ୍ୱର: ଖାଇବାରେ ଟିକେ ଉଣା ହୋଇଗଲେ ଚଳେଇ ନେଉଥିଲେ । ମାତ୍ର ପାଠ ପଢ଼ାରେ ଯେମିତି ସାମାନ୍ୟତମ ସମସ୍ୟା ସୃଷ୍ଟି ନହୁ ତା’ ଉପରେ ମା’ଙ୍କର ତୀକ୍ଷ୍ଣ ନଜର ଥିଲା । ଖାସ୍ ଏଇଥିପାଇଁ ପିଲାମାନଙ୍କୁ ମଣିଷ କରିବାକୁ ସେ ଚାଲି ଆସିଥିଲେ ଜଗତସିଂହପୁରରୁ ଭୁବନେଶ୍ୱର । ଚିଂହା ଜଣା କେହିନଥିଲେ । ଏସବୁ ସତ୍ୱେ ଗୋଟେ ବଖରିଆ ଘରେ ଟେଲରିଂ ଦୋକାନ ଆରମ୍ଭ କରି ଜୀବନ ଯୁଦ୍ଧରେ ଲଢ଼ି ଚାଲିଥିବା ବେଳେ ଭଗବାନ ତାଙ୍କ ପରିଶ୍ରମର ମୂଲ୍ୟ ଦେଇଛନ୍ତି । ସେଦିନର ସେଇ ସାହସିକ ନିଷ୍ପତି ଓ ସଂଘର୍ଷର ଫଳଶ୍ରୁତି ସ୍ୱରୂପ ନିଜ ପୁଅକୁ ଆଇଏଏସ୍ ହେବାର ଗୌରବ ଆଣି ଦେଇଛନ୍ତି ମିନତି ଭୋଳା ନୀଳାଦ୍ରିବିହାର ସେକ୍ଟର ୩ ସ୍ଥିତ ପ୍ଲଟ୍ ନମ୍ବର ୧୯୫ରେ ରହୁଥିବା ମହିଳା ଟେଳର ମହିଳା ଟେଲର ମିନତିଙ୍କ ପୁଅ କୁମାର ବିଶ୍ୱରଂଜନ ୟୁପିଏସ୍ସି ପରୀକ୍ଷାରେ ୧୮୨ତମ ଉତୀର୍ଣ୍ଣ ହୋଇ ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଜଗସିଂହପୁର ଜିଲ୍ଳା ବେରୁଆଁର ମୂଳ ବାସିନ୍ଦା କୁମାର ବିଶ୍ୱରଂଜନ ପିଲାବେଳେ ଅଭାବକୁ ସାମ୍ନା କରିଛନ୍ତି । ମାତ୍ର ଏହାକୁ ଆଳ କରି ସେ କେବେ ପାଠରେ ପଛେଇ ନାହାନ୍ତି । ପିଲାବେଳୁ ଅଭାବ ଭିତରେ ବଢ଼ିଥିଲେ ବି ସଫଳତାର ରାସ୍ତାରେ କେବେ ଏହା ବିଶ୍ୱରଂଜନଙ୍କ ପାଇଁ ବାଧକ ହୋଇନାହିଁ । ମା’ ମିନତି ଟେଲରିଂ କରୁଥିବା ବେଳେ ବାପା ବେଣୁଧର ଗାଁରେ ଚାଷବାସ କରନ୍ତି । ଯାହା ବି କରୁଛ ସେଥିରେ ଯେ ଶ୍ରେଷ୍ଟତ୍ଵ ପ୍ରାପ୍ତି କରିବା ଆବଶ୍ୟକ ତାହା ସବୁବେଳେ ବିଶ୍ୱରଂଜନ ତାଙ୍କ ମା’ଙ୍କୁ ଅନୁସରଣ କରି ଶିଖିଛନ୍ତି । ୨୦୦୩ ମସିହା ବେଳକୁ ମିନତି ନୀଳାଦ୍ରିବିହାର ଗୋଟିଏ ଘର ଭଡ଼ା ନେଇ ଟେଲରିଂ କାମ ଆରମ୍ଭ କରିଥିଲେ । ମାତ୍ର ସେ ଏମିତି କାମ କଲେ ଯେ ଧୀରେଧୀରେ ତାଙ୍କ ପ୍ରସିଦ୍ଧି ସେ ଅଂଚଳରେ ବ୍ୟାପ୍ତ ହୋଇଗଲା । ବହୁତ ବଡ଼ ବଡ଼ ଲୋକ ଧୀରେଧୀରେ ମିନତିଙ୍କ ପାଖରେ ଟେଲରିଂ କାମ କରେଇଲେ । ଏହା ଦେଖି ବଡ଼ ହୋଇଥିବା ବିଶ୍ୱରଂଜନ ବି ସେହିଭଳି ପାଠ ଓ କର୍ମର ଶ୍ରେୟ ସୋପାନରେ ପହଂଚିବାକୁ ନିଜେ ନିଜ ସହ ପ୍ରତିଯୋଗିତା କରୁଥିଲେ । ଗଣିତ ଅପ୍ସନାଲ୍ ରଖି ସେ ୨୦୧୯ ୟୁପଏସ୍ସିରେ ୧୮୨ ର୍ୟାଙ୍କ ପାଇଥିଲେ ହେଁ ଏହା ପୂର୍ବରୁ ୨୦୧୮ ମସିହା ୟୁପିଏସ୍ସି ପରୀକ୍ଷାରେ ମଧ୍ୟ ସେ ୩୯୧ତମ ର୍ୟାଙ୍କରେ ଉତୀର୍ଣ୍ଣ ହୋଇଥିଲେ । ଏଥିସହ ଭାରତୀୟ ରେଳ ଆକାଉଂଟସ ସେବାରେ ସେ କାର୍ଯ୍ୟରତ ଥିଲେ । ବିଶ୍ୱରଂଜନଙ୍କ କହିବା ମୁତାବକ, ପରୀକ୍ଷା ୬ ମାସ ଥିବା ବେଳେ ଦିନକୁ ୧୦-୧୨ ଘଂଟା ପରିଶ୍ରମ କରୁଥିଲେ । ମାତ୍ର ଅନ୍ୟ ଦିନରେ ୫-୬ ଘଂଟା ପଢ଼ାପଢ଼ି କରୁଥିଲେ । ତେବେ ପାଠରେ ସେ ସବୁବେଳେ ନିଜେ ନିଜର ପ୍ରତିଯୋଗୀ ରହି ଆସିଥିଲେ । ମାଟ୍ରିକ୍ରେ ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପଢ଼ିବା ବେଳେ ସେ ସମଗ୍ର ଓଡ଼ିଶାରେ ୬ ସ୍ଥାନରେ ଏବଂ ବିଜେବିରେ ପଢ଼ିବା ବଳେ +୨ ବିଜ୍ଞାନରେ ସମଗ୍ର ରାଜ୍ୟରେ ୮ମ ସ୍ଥାନ ଅକ୍ତିଆର କରିଥିଲେ । ୧୦ମ ପରେ କୋଚିଂ ନେବାର ଆବଶ୍ୟକତା ଥିବା ବେଳେ ତାଙ୍କ ପାଇଁ ଭଗବାନ ସଦୃଶ ସାହା ହେଇଥିଲେ ଫିଜିକ୍ସ ଶିକ୍ଷକ ପ୍ରଶାନ୍ତ ସାମଲ । ବିନା ପାରିଶ୍ରମିକରେ ସେ ବିଶ୍ୱରଂଜନଙ୍କୁ କୋଚିଂ ଦେଇଥିଲେ । ଫଳସ୍ୱରୂପ +୨ ପରେ ବିଶ୍ୱରଂଜନ ଆଇଆଇଟି ପଢ଼ିବା ବଳେ ନିଜ ସହପାଠୀମାନେ ୟୁପିଏସ୍ସି ପ୍ରସ୍ତୁତି କରୁଥିବାର ଜାଣି ସେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ୨୦୧୬ ନମେମ୍ବର ମାସରେ ଚାକିରି ଛାଡ଼ି ଦେଇଥିଲେ । ଦିଲ୍ଳୀ ଯାଇ ସେଠାରୁ ପାଠ୍ୟ ପୁସ୍ତକ ସଂଗ୍ରହ କରି ଘରେ ହିଁ ପ୍ରସ୍ତୁତି କରିଥିଲେ । ବିଶ୍ୱରଂଜନଙ୍କ କହିବା ମୁତାବକ, କେଉଁଠି ପହଂଚିବା ବଡ଼ କଥା ନୁହେଁ । ବରଂ କେଉଁ ଜାଗାରୁ ଯାଇ ପହଂଚିପାରୁଚି ସେଟା ବଡ଼ କଥା । ବୋଧେ ଏହା ଥିଲା ତାଙ୍କ ପାଇଁ ଆଉ ଏକ ମନ୍ତ୍ର ।