ଭୁବନେଶ୍ୱର: ଭାରତୀୟ ରେଳପଥ କାର୍ମିକ ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ତଥା ବିଶିଷ୍ଟ ପ୍ରାବନ୍ଧିକ ଓ ସାହିତି୍ୟକ ଡଃ କୃଷ୍ଣ ବଳଙ୍କ ରଚିତ ପ୍ରବନ୍ଧ ସଂକଳନ “ରକ୍ତରାଗର ଚହଟା’ ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ପାଠକାର୍ପଣ ହୋଇଯାଇଛି ।
ଉଚ୍ଚକୋଟିର ଶବ୍ଦବିନ୍ୟାସ, କାବି୍ୟକ ଶୈଳୀ, ବୈଚିତ୍ର୍ୟତା ପୂର୍ଣ୍ଣ ଚିତ୍ରକଳ୍ପ ଓ ଆଲୋଚନାର ଭାବ ଓ ଭାବନାର ଉତକୃଷ୍ଟତାକୁ ନେଇ ୭୭ଟି ପ୍ରବନ୍ଧ ଓ ଅଭିମତର ସମ୍ବଳିତ “ରକ୍ତରାଗର ଚହଟା’ ଓଡ଼ିଆ ସାହିତ୍ୟ ପାଇଁ ଏକ ଅନନ୍ୟ ଅନୁଦାନ ବୋଲି ବକ୍ତମାନେ ମତବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ଭାରତୀୟ ପ୍ରଶାସନୀକ ସେବାର ଅଧିକାରୀ ତଥା ସାହିତି୍ୟକ ଗୋସ୍ୱାମୀ ଗୋଲାମ ଦେବତା ମୁଖ୍ୟଅତିଥି ଭାବେ ଯୋଗଦାନ କରି କହିଲେ “ଦର୍ଶନ ଓ ତତ୍ତ୍ୱ ଭିତରେ ଏକ ଅନ୍ତରୀଣ ସୌନ୍ଦର୍ଯ୍ୟ ସୃଷ୍ଟି କରି ସାହିତ୍ୟ, ଦର୍ଶନ ଓ ଜୀବନଚର୍ଯ୍ୟା ଉପରେ ଡଃ ବଳ ତିଆରି କରିଛନ୍ତି ବହୁ ଆଲେଖ୍ୟ । ବରିଷ୍ଠ ଔପନ୍ୟାସିକା ତଥା କଥାକାର ଶ୍ରୀମତୀ ଇନ୍ଦିରା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପାଠକାର୍ପଣ ଉତ୍ସବରେ ବିଶିଷ୍ଟ ପ୍ରାବନ୍ଧିକ ଓ ସାହିତି୍ୟକ ଡଃ ସୁରେନ୍ଦ୍ର ମିଶ୍ର ପୁସ୍ତକ ସମିକ୍ଷା କରିଥିବାବେଳେ ବିଶିଷ୍ଟ କବି ତଥା ପୂର୍ବ ତଟ ରେଳପଥର ବରିଷ୍ଠ ଜନ ସମ୍ପର୍କ ଅଧିକାରୀ ନିରାକାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ କବି ନୃସିଂହ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ପ୍ରଫେସର ପ୍ରଦୀପ କୁମାର ପଣ୍ଡା, ପ୍ରଫେସର ସଂଘମିତ୍ରା ଭଂଜ, ହିମାଂଶୁ ପରିଡ଼ା ଓ ଗଦାଧର ଦାଶ “ରକ୍ତରାଗର ଚହଟା’ ପୁସ୍ତକ ଉପରେ ଆଲୋଚନା କରିଥିଲେ । ଲେଖକ ଡଃ କୃଷ୍ଣ ବଳ ତାଙ୍କର ଲେଖକୀୟ ଅଭିଭାଷଣ ପ୍ରଦାନ କରି “ସାହିତ୍ୟରୁ ଦର୍ଶନକୁ ଏବଂ ଦର୍ଶନରୁ ସାହିତ୍ୟକୁ ସେ କେମିତି ବିଚରଣ କରୁଛନ୍ତିି ।’ ତାହା ଉପରେ ଆଲୋକପାତ କରିଥିଲେ । ଏହି ଉତ୍ସବକୁ ଦୂରଦର୍ଶନର ଉପସ୍ଥାପିକା ଅନୁସୟା ସାହୁ ସଂଯୋଜନା କରିଥିଲେ ।