ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷାକୁ ସ୍ୱଚ୍ଛ ଓ ସ୍ୱୟଂଚାଳିତ କରାଯିବ

ଏସ୍ଟିଏ ଓ ମେସର୍ସ ଅକ୍ଷରା ନିପୁନ୍ ଜେଭି ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ଯାନଚାଳନା ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ସ୍ୱଚ୍ଛତା ଓ ଦକ୍ଷତାକୁ ଦୃଷ୍ଟିରେ ରଖି ସୂଚାରୁ ରୂପେ ଲାଇସେନ୍ସ ପ୍ରଦାନ ପରୀକ୍ଷା ନିମନ୍ତେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ସ୍ୱୟଂଚାଳିତ ଯାନଚାଳନା ପରୀକ୍ଷା ପଦ୍ଧତି ଲାଗୁ ହେବ । ଏଥିପାଇଁ ଆଜି ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଏବଂ ମେସର୍ସ ଅକ୍ଷରା ନିପୁନ ଜେଭି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଏହି ସ୍ୱୟଂଚାଳିତ ପରୀକ୍ଷା ପଦ୍ଧତି କାର୍ଯ୍ୟକାରୀ ହେଲେ ଯାନଚାଳନା ପରୀକ୍ଷା ସମୟରେ ଟ୍ରାକରେ ପ୍ରବେଶ ଠାରୁ ଆରମ୍ଭ କରି ଏହାର ସମସ୍ତ ପର୍ଯ୍ୟାୟ ଡିଜିଟାଲ ପଦ୍ଧତି ମାଧ୍ୟମରେ ନିର୍ଣ୍ଣୟ କରାଯିବ ।
ଟ୍ରାକରେ ଫିଟ୍ ହୋଇଥିବା ଡିଜିଟାଲ ଟେଷ୍ଟିଂ ସେନ୍ସରଗୁଡ଼ିକ ଏହା ଉପରେ ନଜର ରଖିବ ଏବଂ ଯାନଚାଳକଙ୍କ ଦକ୍ଷତାକୁ ବିଚାର କରିବ । ଏହି ବ୍ୟବସ୍ଥାରେ କୌଣସି ମାନବୀୟ ହସ୍ତକ୍ଷେପର ସୁଯୋଗ ରହିବନି । ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବାରିପଦା, ଭଦ୍ରକ, ବଲାଙ୍ଗୀର, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ନୟାଗଡ଼, ଫୁଲବାଣୀ, ରାଇରଙ୍ଗପୁର, ରାଉରକେଲା, ସୁନ୍ଦରଗଡ଼, ତାଳଚେର, କେନ୍ଦୁଝର, ମାଲକାନଗିରି, ନୂଆପଡ଼ା, ଭଞ୍ଜନଗର, ନବରଙ୍ଗପୁର, ସୋନପୁର ଆଦି ୧୯ଟି ଆର୍ଟିଓ କାର୍ଯ୍ୟାଳୟରେ ଏହି ଡ୍ରାଇଭିଂ ପରୀକ୍ଷଣ ଟ୍ରାକ୍ ସ୍ଥାପନ କରାଯିବ । ଏହାକୁ ୧୦ମାସ ମଧ୍ୟରେ କାର୍ଯ୍ୟକ୍ଷମ କରାଯିବ । ପରେ ଅନ୍ୟ ଆର୍ଟିଓରେ ଏହା କାର୍ଯ୍ୟକାରୀ କରାଯିବ । ଏହି ଏମ୍ଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ପରିବହନ କମିସନର ଅରୁଣ ବୋଥ୍ରା ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments (0)
Add Comment