ଦିଶା ବୈଠକ ବର୍ଜନ ଘଟଣା

*ରାଇଘର ବ୍ଲକ କାର୍ଯ୍ୟାଳୟ ଘେରିଲା ବିଜେପି

ରାଇଘର : ନବରଙ୍ଗପୁରର ସ୍ଥାନୀୟ ମିଶନ ଶକ୍ତି ହଲରେ ଦିଶା କମିଟି ବୈଠକରେ ୫-ଟି ବୋର୍ଡକୁ କେନ୍ଦ୍ର କରି ପ୍ରବଳ ଯୁକ୍ତିତର୍କ ହୋଇଥିଲା | ପରିସ୍ଥିତି ଏମିତିହେଲା ଯେ, ଶେଷରେ ବୈଠକରୁ ଉଠି ଆସିଥିଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ l ସେହି ସମୟରେ ସରକାରୀ  କାର୍ଯ୍ୟକ୍ରମରେ ତାଙ୍କୁ ଅଣଦେଖା କରାଯାଉଥିବା ନେଇ ବିଧାୟକ ଅଭିଯୋଗ କରିଥିଲେ। ଆଜି ବିଧାୟକଙ୍କ ଅଭିଯୋଗକୁ  ଆଧାର କରି ରାଇଘରର ବିଜେପି କର୍ମୀ ପ୍ରତିବାଦ ଜଣାଇଛନ୍ତି। ରାଇଘର ବ୍ଲକ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ୫-ଟି ସଚିବ ଭି.କେପାଣ୍ଡିଆନ୍‌ଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଆଜି ଅପରାହ୍ନ ପ୍ରାୟ  ୨ଟାରେ ଉମରକୋଟ ନିର୍ବାଚନ ମଣ୍ଡଳୀ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଇଘର ନୂତନ ବସଷ୍ଟାଣ୍ଡରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରାରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ସନ୍ତୋଷ ମହାପାତ୍ର, ରମେଶ ସାହୁ, ପ୍ରୀତିସ୍ନିଗ୍ଧା ମହାପାତ୍ର, ମନୋହର ଦଣ୍ଡସେନା,ଶିବ କୁମାର ଗଣ୍ଡ, ଶ୍ୟାମଲାଲ କଳାର, ସୁଦର୍ଶନ ମାଝୀ ଙ୍କ ସହ ଅନ୍ୟାନ୍ୟ ବିଜେପି କର୍ମୀ ସାମିଲ ହୋଇ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ପଦ ଯାତ୍ରା ଏହାପରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ସେହିପରି ଦିଶା ବୈଠକରେ ବିଧାୟକଙ୍କ ସହ ଶାସକ ଦଳର ସଭ୍ୟମାନେ ବିଧାୟକଙ୍କୁ ଉପେକ୍ଷା ଅସମ୍ମାନ ପ୍ରଦର୍ଶନ କରିଥିବା ଅଭିଯୋଗ ରେ  ରାଇଘର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ବିଜେପି କର୍ମୀ। ୫-ଟି ଅନ୍ତର୍ଗତ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ସାଂଗକୁ ନିମ୍ନମାନର କାମ ହେଉଥିବା ଅଭିଯୋଗ କରିଥିଲେ। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଥିଲା। ଆଖପାଖ ଅଞ୍ଚଳରୁ ପ୍ରାୟ ୪ହଜାର ବିଜେପି କର୍ମୀ ଉକ୍ତ ବିକ୍ଷୋଭରେ ସାମିଲ ହୋଇଥିଲେ|

Comments (0)
Add Comment