ଦୁଇ ଦିନଆ ରିମାଣ୍ଡରେ ଗଲେ ପ୍ରଦୀପ


ଭୁବନେଶ୍ୱର: ଠକେଇ ଅଭିଯୋଗରେ ଗିରଫ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଆଜି ୨ଦିନିଆ ରିମାଣ୍ଡରେ ନେଇଛି । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି । ତାଙ୍କୁ ଆଜି କ୍ରାଇମବ୍ରାଞ୍ଚର ଏକ ୫ଜଣିଆ ଟିମ୍ ଝାରପଡା ଜେଲ୍ରୁ କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟକୁ ନେଇଛନ୍ତି । ସେଠାରେ ଠକେଇ ଅଭିଯୋଗରେ ଗିରଫ ତଥା ଏବେ ରିମାଣ୍ଡରେ ଥିବା ଆକାଶ ପାଠକ, ତାଙ୍କର ବ୍ୟକ୍ତିଗତ ସହାୟକ ଡେଭିଡ ପିଟର ଏବଂ ପାଣିଗ୍ରାହୀଙ୍କୁ ଏକାଠି ବସାଇ ମୁହାଁମୁହିଁ ଜେରା କରିବ । ତାଙ୍କଠୁ ସତ ଓଗାଳିବାପାଇଁ ମାରାଥାନ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ବହିଷ୍କୃତ ବିଜେଡି ନେତା ତଥା ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଡିସେମ୍ବର ୩ ତାରିଖରେ ଆଇପିସିର ଧାରା ୪୧୯, ୪୨୦, ୪୬୯, ୪୭୧, ୧୨୦-ବି ଏବଂ ଆଇଟି ଆକ୍ଟର ଧାରା ୬୬ସି / ୬୬ଡି ଅନୁଯାୟୀ ଗିରଫ କରାଯାଇଥିଲା । ପ୍ରମାଣ ସାମ୍ନାକୁ ଆସିଛି ଯେ, ଟାଟା କମ୍ପାନିରେ ଚାକିରି ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଅନୁଯାୟୀ ନିଳମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ନାମରେ ପାଣିଗ୍ରାହୀ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ । ଏହି ମାମଲା ଆକାଶ ପାଠକଙ୍କ ଛଦ୍ମନାମ, ପ୍ରତାରଣା, ଜାଲିଆତି, ଅପରାଧିକ ଷଡଯନ୍ତ୍ର ଏବଂ ଅନ୍ୟାନ୍ୟ ସାଇବର ଅପରାଧ ସହ ଜଡିତ ବୋଲି କ୍ରାଇମବ୍ରାଞ୍ଚ ଏହା ପୂର୍ବରୁ କହିଥିଲା । ଠକେଇର ଶିକାର ହୋଇଥିବା ବ୍ୟକ୍ତି, କିଛି ସ୍ଥାନୀୟ ଲୋକଙ୍କଠାରୁ ମଧ୍ୟ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇଥିବା ସୂଚନା ମିଳିଥିଲା । ସେହି ସମୟ ମଧ୍ୟରେ ପ୍ରଦୀପଙ୍କୁ ମଧ୍ୟ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଥିଲା ତଦନ୍ତକାରୀ ଟିମ୍ । ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନ ରିମାଣ୍ଡରେ ନେବା ପରେ ପିଟର-ଆକାଶ-ପ୍ରଦୀପ-ସର୍ବେଶ୍ୱରଙ୍କୁ ଏକାଠି ମୁହାଁମୁହିଁ ଜେରା କରାଯିବ ବୋଲି ଜଣାପଡିଛି ।

Comments (0)
Add Comment