ଭଞ୍ଜନଗର: ଭାରତୀୟ ଦୂର ସଂଚାର ନିଗମ ଭଞ୍ଜନଗର ଶାଖା ଏବେ ଏଠାରୁ ଉଠିଯାଇଛି । ଏକଦା ଏହି ନିଗମ କାର୍ଯ୍ୟାଳୟରୁ ୩ ହଜାରରୁ ଅଧିକ ଲ୍ୟାଣ୍ଡଲାଇନ ଟେଲି ଫୋନ୍ ସଂଯୋଗ ହୋଇଥିଲା । ଗାଁ ଗାଁରେ ଦୂର ଭାଷାର ଏକମାତ୍ର ଶ୍ରେୟ ଥିଲା ବିଏସ୍ଏନ୍ଏଲ ସଂସ୍ଥା । ଶହଶହ କିମି ବ୍ୟାପି ଭୂତଳ ଗର୍ଭରେ କେବୁଲ ବିଛାଇ ଗାଁ ଗଣ୍ଡାକୁ ସେବା ଯୋଗାଇ ଦିଆଯାଇଥିଲା । ପରବର୍ତୀ ସମୟରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଅଧିକାଂଶ ଗ୍ରାମରେ ସ୍ୱତନ୍ତ୍ର ବ୍ୟାଟେରୀ ଓ ସୋଲାର ପାୱାର ଦ୍ୱାରା ଟାୱାର ସ୍ଥାପନ କରାଯାଇଥିଲା । ସେ ସବୁର ଚିହ୍ନବର୍ଣ୍ଣ ହଜିଗଲାଣି । କୋଟି କୋଟି ଟଙ୍କା ବ୍ୟୟରେ ଭୂଗର୍ଭରେ ବିଛୁରିତ ବୁଲ ସବୁ ମାଟି ତଳେ ପୋତି ହୋଇ ରହିଛି । ସେ ସବୁ ଆଉ କାମରେ ଆସୁ ନାହିଁ । ଭାରତ ସରକାରଙ୍କ ପ୍ରଗତିର ଏହି ସାଧନ ଏବେ ସଂପୂର୍ଣ୍ଣ ସ୍ଥାଣୁ । ଏହି ସଂସ୍ଥା ଦୁର୍ବଳ ହେବା ସହ ଏହାର କର୍ମଚାରୀ ମଧ୍ୟ ଏବେ ନିରାଶ୍ରିତ ହୋଇପଡିଛନ୍ତି । କିଏ କବାଡି ବାଲା ସାଜିଲେଣି ତ କିଏ ଅନ୍ୟ ବେପାରକୁ ଆପଣାଇଛନ୍ତି । ଏପଟେ ୧୯୯୦ ମସିହାରୁ କାର୍ଯ୍ୟକାରୀ ହୋଇ ଆସିଥିବା ଭଞ୍ଜନଗର ମୁଖ୍ୟ ଏକ୍ସଚେଞ୍ଜର ଉପବିଭାଜନ କାର୍ଯ୍ୟାଳୟକୁ ଉଚ୍ଛେଦ କରି ଦିଆଯାଇଛି । ଏଠାର ଏସ୍ଡିଓ ପଦକୁ ଉଠାଇ ନିଆଯାଇ ଆସିକା ଉପବିଭାଜନ କାର୍ଯ୍ୟାଳୟରେ ମିଶ୍ରଣ କରି ଦିଆଯାଇଛି । ଜଣେ ମାତ୍ର ଏସ୍ଡିଓଙ୍କୁ ଆସିକା ସମେତ ଭଞ୍ଜନଗର ଓ ଦିଗପହଣ୍ଡି ଏକ୍ସଚେଞ୍ଜର ଦାୟିତ୍ୱ ଦିଆଯାଇଛି । ଏଠାରେ ଜଣେ ମାତ୍ର ଜେଟିଓ, ଜଣେ ଜେଇ ଓ ଜଣେ ସ୍ଥାୟୀ କର୍ମଚାରୀ ରହୁଥିବା ବେଳେ ବାକିତକ ୩୩ ଜଣ ଅସ୍ଥାୟୀ କର୍ମଚାରୀ ଦୀର୍ଘ ୧୯ ମାସର ଦରମା ନ ପାଇ ଘୋର ଦୁର୍ଦିନରେ ଦିନ କାଟି କାଟୁଛନ୍ତି । କେତେକ ପରିବାର ଓଳିଏ ଖାଇଲେ ଓଳିଏ ଉପବାସ ରହୁଛନ୍ତି । ଏମାନଙ୍କ ମଧ୍ୟରୁ କିଛି କର୍ମଚାରୀ କୁଟୁମ୍ବ ପୋଷିବା ପାଇଁ ବିଭିନ୍ନ କାମଧନ୍ଦା ଆପେଣାଇ ନେଲେଣି । ମାଧବ ନାୟକ ନାମରେ ଜଣେ ଅସ୍ଥାୟୀ କର୍ମଚାରୀ ରାଜରାସ୍ତାରେ ଘର ଘର ବୁଲି ଫିଙ୍ଗା ଆଟା ଓ ବଦିଲୁହା ଗୋଟାଉଛନ୍ତି । ଏହି କାମ କରିବାକୁ ପରିସ୍ଥିତ ତାଙ୍କୁ ବାଧ୍ୟ କରିଛି ବୋଲି ମାଧବ ପ୍ରକାଶ କରି ଟଙ୍କା ଦେଡଶହ କିମ୍ବା ଦୁଇ ଶହ ଉପାର୍ଜନ ହେଲେ କୁଟୁମ୍ବ ଚଳିବ ବୋଲି ଦୁଃଖଭରା କଣ୍ଠରେ କହିଛନ୍ତି । ଏପଟେ ଦୁଇ ପୁଅ ମଧ୍ୟରୁ ବଡ଼ପୁଅ ଯୁକ୍ତଦୁଇରେ ଓ ସାନ ପୁଅ ମାଟ୍ରିକରେ ପଡୁଛନ୍ତି । ଦୀର୍ଘ ୨୫ ବର୍ଷ ଧରି ବିଏସ୍ଏନ୍ଏଲ ସଂସ୍ଥାରେ କାମ କରି ପାଖରେ ପଇସାଟିଏ ମଧ୍ୟ ନାହିଁ । ଏପଟେ ଜୁନ୍ ୨୦୧୯ ମସିହାରୁ ଦୀର୍ଘ ୧୯ ମାସ ଧରି ଦରମା ପାଇ ନ ପାରି ଘୋର ଦୁର୍ଦିନରେ ଦିନ କାଟୁଥିବା ବେଳେ କୌଣସି ମତେ ତେଲ ଲୁଣର ସଂସାରକୁ ଚଳାଇ ନେବା ରାଜରାସ୍ତାରେ ଘୁରି ବୁଲି କବାଡିବାଲା ସାଜିଛନ୍ତି ମାଧବ । ୧୯୯୫ ମସିହାରୁ କୁନ୍ତୁଳା ନାଇକ ନାମ୍ନୀ ଜଣେ ମହିଳା ଅସ୍ଥାୟୀ କର୍ମଚାରୀ ସଂସ୍ଥାର ସଫେଇ କାମରେ ନିୟୋଜିତ ରହିଥିଲେ । ପରବର୍ତୀ ସମୟରେ ତାଙ୍କର ପୁଅ ରୁନା ନାଇକ ମା’ କାମ ଆପେଣଇ ନେଇଥିଲେ ହେଁ ତାଙ୍କର ମଧ୍ୟ ସେହି ଏକା ଅବସ୍ଥା । ଘର ତିନି ତିନତିନିଟା ସଦସ୍ୟ । ସେମାନଙ୍କୁ ପୋଷିବା ପାଇଁ ଦଶ ଦିଗ ଅନ୍ଧକାର କର୍ମଚାରୀଙ୍କ ଅବସ୍ଥା ଦୟନୀୟ ସଂସ୍ଥାର ଦୁରବସ୍ଥା ଓ କର୍ମକର୍ତାଙ୍କ ଦାୟିତ୍ୱହୀନତାକୁ ସେ ବିଷୋଦଗାର କରିଛନ୍ତି । ମାତ୍ର ୮ ହଜାର ୮ ଶହ ଟଙ୍କାରେ କାମ କରୁଥିବା ଏହି ସବୁ ଅସ୍ଥାୟୀ କର୍ମଚାରୀଙ୍କୁ ବର୍ଷ ବର୍ଷ ଧରି ଦରମା ମିଳିନି । ବରଂ ସଂସ୍ଥା ବୁଡ଼ିଯିବା ଭଲ ବୋଲି ଶ୍ରୀ ସେଠୀଙ୍କ ସମେତ ସେହି ଏକାଦଶା ଭୋଗ କରୁଥିବା କର୍ମଚାରମାନେ ପ୍ରକାଶ କରିଛନ୍ତି । ଭୋକ ଉପବାସରେ ମରିବୁ କିମ୍ବା ଭିକ ମାଗିବୁ ଆମ କର୍ମକୁ ଆଦରି ଚଳିବୁ ବୋଲି କ୍ଷୋଭର ସହ ଏମାନେ କହିଛନ୍ତି । ୨୦ରୁ ୨୫ ବର୍ଷ ଧରି କାମ କରି ଆସୁଥିବା ଏହି ସବୁ ଅସ୍ଥାୟୀ କର୍ମଚାରୀଙ୍କ ଦୁଃଖ ବଳି ପଡିଥିବା ବେଳେ ଗତ ୬ ମାସର କିଛି ଠିକାଦାର ଟାୱାର, ଏକ୍ସଚେଞ୍ଜ ଓ କଂପୁ୍ୟଟର ପ୍ରଭୃତି ବିଭାଗରେ କାମ କରୁଥିବା ଏହି ୩୩ କର୍ମଚାରୀଙ୍କ ଭିନ୍ନ ଭିନ୍ନ ପ୍ରକାର ଦରମା ପ୍ରଦାନ କରିଛନ୍ତି । କାହାକୁ ମାସିକ ୧୫ ଶହ ତ ଆଉ କାହାକୁ ୨ ହଜାର ଏବଂ ଅନ୍ୟ କାହାକୁ ଯାହିତାହି ଦେଇଛନ୍ତି । ଭଞ୍ଜନଗର ମୁଖ୍ୟ ଏକ୍ସଚେଞ୍ଜ ଅଧିନରେ ମୁଜାଗଡ, ବଦାଙ୍ଗି, ଗାଲେରୀ, କୁଲାଡ, ତିଳିସିଂଗି, ଷଡଙ୍ଗିପଲ୍ଲି, ବେଲଗୁଣ୍ଠା, ବଙ୍କା, ବାଲିପଦର, ହାତୀଓଟ, ଚିରିକିପଡ଼, ଢ଼ୁଙ୍କାପଡା, ମାଣିତାରା କରୁଚୂଲି, ବୁଗୁଡା, ଜଗନ୍ନାଥପ୍ରସାଦ, ପଂଚଭୂତି, କାଦୁଆ, ବିଡିପୁର ଓ କୁକୁତାଇ ଏପରି ୨୯ଟି ସଂସ୍ଥା ଭଂଜନଜଗ, ବେଲଗୁଣ୍ଠା, ଜଗନ୍ନାଥପ୍ରାଦ, ବୁଗୁଡ଼ା ଓ ପୋଲସରା ବ୍ଲକର ଗ୍ରାମାଂଚଳର ଲୋକଙ୍କୁ ଲ୍ୟାଣ୍ଡଲାଇନର ଟେଲିଫୋନ ସେବା ଯୋଗଇ ଆସୁଥିଲା । ଏହିସବୁ ଏକ୍ସଚେଞ୍ଜ ଓ ଦିଲ୍ଲିପ ଯେନା, ସଂଜୀବ ଯେନା, ମାଧବ ନାୟକ, ସୀମାଂଚଳ ନାୟକ, ବିଶ୍ୱନାଥ ନାୟକ, ସନିଆ ନାୟକ କର୍ମଚାରୀ ଭାବେ ଅତ୍ୟନ୍ତ ସ୍ୱଳ୍ପ ବେତନରେ କାମ ଆରମ୍ଭ କରିଥିଲେ । କିଛି ବର୍ଷ ଧରି ସଂସ୍ଥା ବେଶ୍ ନିଜର ଗାରିମା ବଂଚାଇ ରଖିଥିଲା । ୨୦୧୦ ମସିହା ପରେ ପରେ ସଂସ୍ଥା କ୍ରମଶଃ ଦେବାଳିଆ ପାଲଟି ଯାଇଛି ।