ବାଲିମେଳା : ମାଲକାନଗିରି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପଳାସପଦର ଗ୍ରାମରେ ପୋଲିସର ଚଢାଉ । ଦେଢ କୋଟି ମୂଲ୍ୟର ଗଞ୍ଜେଇ ଜବତ । ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ୫୭ଟି ଜରି ଅଖାରେ ବନ୍ଧା ହୋଇ ପଡୋଶୀ ଆନ୍ଧ୍ରକୁ ବେଆଇନ ଗଞ୍ଜେଇ ଚୋରା ଚାଲାଣ ପାଇଁ ଉଦ୍ୟମ କରାଯାଉଥିବାବେଳେ ପୋଲିସ ଚଢାଉ କରିଛି । ଘଟଣାସ୍ଥଳରୁ ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି । ସୂଚନା ଅନୁଯାୟୀ, କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ତାଙ୍କ ଟିମ୍ ୬ ତାରିଖ ରାତିରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପଳାସପଦର ଗ୍ରାମରେ ଥିବା ଏକ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଅଭିଯୁକ୍ତମାନେ ଅନ୍ଧାରର ସୁଯୋଗ ନେଇ ପଛପଟ କବାଟ ଜରିଆରେ ନିକଟ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇବାର ସକ୍ଷମ ହୋଇଥିଲେ । ପୋଲିସ ସେଠାରୁ ୫୭ଟି ଜରି ବସ୍ତାରେ ବେଆଇନ ଚୋରା ଚାଲାଣ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିବା ଗଞ୍ଜେଇ ସହ, ଗୋଟେ ଓଜନ ମେସିନ, ୨୦ଟି ବ୍ରାଉନ କଲର ଟେପ ଓ ଏକ ପ୍ଲାଷ୍ଟିକ ଦଉଡି ଜବତ କରିଥିଲା । ଜବତ ହୋଇଥିବା ୫୭ ବସ୍ତା ଗଞ୍ଜେଇକୁ ଓଜନ ପରେ ତାହା ୧୭୧୫ କେଜି ୭୦୦ ଗ୍ରାମ ଜଣାପଡିଥିଲା ।