ନବରଂଗପୁର : ନବରଂଗପୁର ଓ ସମର୍ପଣ ଭାବରେ ଭାରତୀୟ ସଂସ୍କୃତି ଆଧାରରେ ଶିଶୁ ଶିକ୍ଷାଦାନ କେବଳ ଶିଶୁ ମନ୍ଦିରରେ ହିଁ ହୋଇଥାଏ ବୋଲି ଆଜି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ମାନ୍ୟବର ବିଶେଶ୍ବର ଟୁଡୁ ଅଞ୍ଚଳଗୁମ୍ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ ଅବସରରେ ଯୋଗ ଦେଇ ନିଜ ଅଭିଭାଷଣରେ କହିଛନ୍ତି। ଏଠାରେ ଶିକ୍ଷାର ମହତ୍ତ୍ବ,ଶିକ୍ଷାଦାନର ମାର୍ଗ ଓ ଶିକ୍ଷାର ଆଧାର ଦେଶ ଗଠନ,ସେବାକୁ ପ୍ରଧାନ୍ୟ ଦେଉଥିବାରୁ ମନ୍ତ୍ରୀ ଶ୍ରୀଯୁକ୍ତ ଟୁଡୁ ଏହି ଅନୁଷ୍ଠାନକୁ ଏକ ମଣିଷ ତିଆରି କାରଖାନା ବୋଲି କହିଛନ୍ତି। ଏହି ଅବସରରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ମୋଦିଜୀଙ୍କ ମିଶନ ଆସନ୍ତା ୨୦୪୭ ମସିହା ସୁଦ୍ଧା ଶକ୍ତିଶାଳୀ ଭାରତ,ସମୃଦ୍ଧ ଭାରତର ସଂକଳ୍ପକୁ ସଫଳ କରିବାକୁ ସାମୂହିକ ଭାବରେ ସମସ୍ତଙ୍କୁ ଯୋଡି ହେବାକୁ ଅନୁରୋଧ କରିଛନ୍ତି। ମାନସିକ ଭାବରେ ଶିଶୁ ମନ୍ଦିରର ଗୁରୁଜୀ-ଗୁରୁମାମାନେ ନବ ଜାଗରଣର ଉତ୍ସ ଭାବେ ଗଢି ତୋଳିବାକୁ ନିଜ ଅଭିଭାଷଣରେ କହିଥିଲେ। ରୌପ୍ୟ ଜୟନ୍ତୀର ଦ୍ୱିତୀୟ ରଜନୀର ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ରୂପେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଉପସ୍ଥିତ ରହି, ଦେଶର ପ୍ରାଥମିକ ଶିକ୍ଷାନୁଷ୍ଠାନ ଭାବରେ ଅଭିହିତ କରି ଅନୁଷ୍ଠାନର ଛାତ୍ରଛାତ୍ରୀ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରମୂଖ ସ୍ଥାନ ଗ୍ରହଣ କରିଥିବା କହିଛନ୍ତି। ମୂଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି,ଓଡିଶାର ଉପସଭାପତି ତଥା ବୋରିଗୁମା ସିଡିପିଓ ଶ୍ରୀମତି ଗାୟତ୍ରୀ ବାହିନୀପତି ଭାରତରେ ରାଷ୍ଟ୍ରୀୟ ଶିକ୍ଷାର ଲକ୍ଷ୍ୟ ପୂରଣ କରିବାକୁ ହେଲେ ଶିଶୁ ମନ୍ଦିର ହିଁ ଏକମାତ୍ର ଅନୁଷ୍ଠାନ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୨୫ ବର୍ଷ ଅତିକ୍ରମରେ ଅନୁଷ୍ଠାନ ନିମନ୍ତେ ଯେଉଁମାନଙ୍କ ଅବଦାନକୁ ମନେ ପକେଇ ହରେକୃଷ୍ଣ ବିଷୋୟୀ ସମ୍ୟକ ଧାରଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ମା’ ଭାରତୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ କରି ଦୀପ ପ୍ରଜ୍ବଳିତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଇଂ ବଳଭଦ୍ର ମାଝୀ,ଅତିରିକ୍ତ ଜିଲ୍ଲାପାଳ ନବୀନ ନାୟକ,ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବିନ୍ଦ୍ରନାଥ, ବିଦ୍ୟାଳୟ କମିଟି ସଭାପତି ମଧୁସୂଦନ ବିଷୋୟୀ,ସମ୍ପାଦକ ସୌମ୍ୟରଞ୍ଜନ ସାହୁ,ପ୍ରଧାନ ଆଚାର୍ଯ୍ୟ ଅଶୋକ ପଟ୍ଟନାୟକ,ପୂର୍ବତନ ସମ୍ପାଦକ ସଚ୍ଚିଦାନନ୍ଦ ଚୌଧୁରୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ଶେଷରେ ବର୍ଣାଢ୍ୟ ସମାରୋହରେ ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ଶିଶୁ ମନ୍ଦିରର କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ଏଥିରେ ସ୍ଥାନୀୟ ବୁଦ୍ଧିଜିବୀଙ୍କ ସହ ଅଭିଭାବକ,ବିଦ୍ୟାଳୟ ଆଲୁମିନି,ପୂର୍ବତନ ଗୁରୁଜୀଗୁରୁମା,ନବରଂଗପୁର ଗୁରୁକୁଳ କଲେଜ ଛାତ୍ରୀମାନଙ୍କ ସହ ପ୍ରିନ୍ସପାଲ ଉପସ୍ଥିତ ରହି ସାଂସ୍କୃତିକ ପରିବେଷଣକୁ ଉପଭୋଗ କରିଥିଲେ। ଶିକ୍ଷା ବିକାଶ ସମିତି ଦ୍ୱାରା ଗଠିତ ନବରଂଗପୁର ଭଳି ଆକାଂଖ୍ୟା ଜିଲ୍ଲାର ଉପାନ୍ତ ଅଞ୍ଚଳଗୁମ୍ମାଠାରେ ଦୀର୍ଘ ୨୫ ବର୍ଷ ଧରି ଏହି ଶିକ୍ଷା ଅନୁଷ୍ଠାନ ଚାଲୁଥିବାରୁ ସର୍ବସାଧାରଣରେ ପ୍ରଶଂସା କରାଯାଇଥିଲା।