ଦୈନିକ ଆସୁଥିଲେ ହଜାରେ ପାଖାପାଖି: ଏବେ ବଡ଼ କଷ୍ଟରେ ୫୦

କଟକ: ମାଲଗୋଦାମକୁ ଏବେ ପଡେ଼ାଶୀ ଜିଲ୍ଲାର ବ୍ୟବସାୟୀମାନେ ଆସିବାକୁ ଭୟ କଲେଣି । ଭଦ୍ରକ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାର ବ୍ୟବସାୟୀ ଆଦୌ ଆସୁନଥିବା କୁହାଯାଉଛି । ଦୈନିକ ପ୍ରାୟ ୧ ହଜାର ବ୍ୟବସାୟୀ ଆସୁଥିବା ବେଳେ ଏବେ ୫୦ ଜଣ ଆସିବା ବି କଷ୍ଟକର ହୋଇପଡ଼ିଛି । କଟକରେ ସାହି ସାହିରେ କରୋନା ସଂକ୍ରମଣ ମାଡ଼ିବା ଏବଂ ମାଲଗୋଦାମ ପାଶ୍ୱର୍ ତେଲଗୁ ବସ୍ତିରୁ ପଜେଟିଭ ଚିହ୍ନଟ ପରେ ପଡେ଼ାଶୀ ଜିଲ୍ଲାର ବ୍ୟବସାୟୀ ମାଲଗୋଦାମ ଆସୁ ନାହାନ୍ତି । ବ୍ୟବସାୟ ପ୍ରଭାବିତ ହେବାରୁ ମାଲଗୋଦାମରେ ପାଖପାଖି ୯ଟି ଦୋକାନ ବନ୍ଦ ହୋଇଥିବା ବେଳେ ଏଭଳି ସ୍ଥିତି ଲାଗି ରହିଲେ ମାଲଗୋଦାମରେ ସମ୍ପୂର୍ଣ୍ଣ ତାଲା ଝୁଲିବା ନେଇ ଆଶଙ୍କା କରାଯାଉଛି । ସୂଚନା ଅନୁଯାୟୀ, କଟକ ମାଲଗୋଦାମ ଉପରେ କଟକ ଜିଲ୍ଲା ସମେତ ପଡେ଼ାଶୀ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରୁ ଦୈନିକ ୧ ହଜାର ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆସିଥାନ୍ତି । ସେହି ହିସାବରେ ଦୈନିକ ୫୦ କୋଟି ଟଙ୍କାର କାରବାର ମାଲଗୋଦାମରେ ସାଧାରଣ ଦିନଗୁଡ଼ିକରେ ହୁଏ । ଏବେ କଟକରେ କରୋନା ସ୍ଥିତି ଭୟଙ୍କର ହେବାରୁ ବ୍ୟବସାୟୀମାନେ ଆସିବାକୁ ଭୟ କଲେଣି । କେବଳ ବ୍ୟବସାୟୀ ନୁହେଁ, ମାଲଗୋଦାମକୁ ଦୈନିକ ୧୨ ଶହ ଗୋଦାମ କର୍ମଚାରୀ ଆସୁଥିଲେ । ଏବେ ସେମାନଙ୍କ ଭିତରୁ ୪୦୦ ଆସିବା ବି କଷ୍ଟକର ହୋଇପଡ଼ୁଛି । ସେହିପରି ମାଲଗୋଦାମକୁ ଦୈନିକ ପାଖପାଖି ୨ ହଜାର ଶ୍ରମିକ ଓ ଟ୍ରଲିଚାଳକ ଆସୁଥିବା ବେଳେ ଏବେ ମାତ୍ର ୯ ଶହରୁ ଏକ ହଜାର ଆସୁଛନ୍ତି । ଏବେ ନୂଆ କୋଭିଡ୍ କଟକଣା ଅନୁଯାୟୀ ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡ଼ିକ ଖୋଲିବାକୁ ଅନୁମତି ମିଳିଥିବାରୁ ମାଲଗୋଦାମରେ ଖୁଚୁରା ଦୋକାନୀ ସକାଳ ୬ଟାରେ ଖୋଲୁଥିବା ବେଳେ ଦିନ ୧୧ଟା ବେଳେ ବ୍ୟବସାୟ ଆରମ୍ଭ ହେଉଛି । ସେପଟେ, ଦିନ ୧୨ଟାରେ ବନ୍ଦ କରିବାକୁ ପଡୁଛି । ହୋଲସେଲିଂ ଗୋଦାମ ଅବସ୍ଥା ବି ସେହିଭଳି । ଦିନ ୯ଟାରେ ଗୋଦାମ ଖୋଳୁଥିବା ବେଳେ ୧୨ଟା ବେଳକୁ ବନ୍ଦ କରି ଦିଆଯାଉଛି । ୧୦ଟାରୁ ୧୨ଟା ଦୁଇଘଂଟା ମଧ୍ୟରେ ଯାହା କିଛି ବ୍ୟବସାୟ ହେଉଛି । ଗୋଦାମକୁ ବି ଲେବର ସକାଳ ୯ଟା ପୂର୍ବରୁ ଆସୁ ନଥିବାରୁ ଗୋଦାମ ଖୋଲିବା ସମ୍ଭବପର ହୋଇପାରୁ ନାହିଁ । ଏଭଳି ମାନ୍ଦାବସ୍ଥା ବୃଦ୍ଧି ପାଉଥିବାରୁ ଏବେ ମାଲଗୋଦାମରେ ୪ଟି ଖୁଚୁରା ଦୋକାନ ବନ୍ଦ ହୋଇଥିବା ବେଳେ ଆସନ୍ତାକାଲି ଆହୁରି ୫ଟି ଦୋକାନ ବନ୍ଦ କରିବାକୁ ମାଲିକମାନେ ନିଷ୍ପତି ନେଇଛନ୍ତି । ବ୍ୟବସାୟ ଅଳ୍ପ ସମୟ ମଧ୍ୟରେ ହୋଇପାରୁ ନଥିବାରୁ କୋଭିଡ ସମୟରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ଏଭଳି ଅବସ୍ଥା ଜାରି ରହିଲେ କ୍ରମାଗତ ଭାବେ ମାଲଗୋଦାମରେ ଦୋକାନରେ ତାଲା ଝୁଲିବା ଭଳି ପରିସ୍ଥିତି ସୃଷ୍ଟି ହେବା ନେଇ ବ୍ୟବସାୟୀମାନେ ଆଶଙ୍କା କଲେଣି । ମାଲଗୋଦାମ ବଣିକ ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଛାଟୋଇ କହିଛନ୍ତି ଯେ, କଟକରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଇଥିବାରୁ ବାହାର ଜିଲ୍ଲାର ବ୍ୟବସାୟୀ ଆସିବାକୁ ଭୟ କଲେଣି । ବ୍ୟବସାୟୀ ନ ଆସିଲେ ହୋଇସେଲିଂ ଗୋଦାମର କାରବାର ବ୍ୟାପକ ଭାବେ ପ୍ରଭାବିତ ହେବ ନେଇ ଆଶଙ୍କା କରାଯାଉଛି । କରୋନା ସମୟରେ ଘରଭଡ଼ା ଛାଡ କରିବାକୁ ସରକାର କହିଥିବା ବେଳେ ଏହି ନିୟମ ମାଲଗୋଦାମ ଅଂଚଳରେ ସେଭଳି କାର୍ଯ୍ୟମାରୀ ହୋଇପାରି ନାହିଁ ।

Comments (0)
Add Comment