ନଡକା ନାଳରୁ ନିଖୋଜ ଶିଶୁପୁତ୍ରର ଶବ ଉଦ୍ଧାର

ଯାଜପୁର: ଶନିବାର ସକାଳୁ ନିଖୋଜ ଥିବା ଶିଶୁପୁତ୍ରର ମୃତ ଶରୀରକୁ ଘର ପାଖ ଦେଇ ପ୍ରବାହିତ ନଡ଼କା ନାଳରୁ ଉଦ୍ଧାର କରାଯାଇଛି । ପ୍ରଥମେ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ପରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ତଥା ଓଡ଼୍ରାଫ୍ ଟିମ୍ ପକ୍ଷରୁ ଶିଶୁ ପୁତ୍ରକୁ ଠାକ କରିବାର ଉଦ୍ୟମ ଜାରି ରହିଥିବା ବେଳେ ସ୍ଥାନୀୟ କିଛି ମାଛ ଧରାଳି ମୃତ ଶିଶୁ ପୁତ୍ରର ଶବକୁ ପାଣି ଭିତରେ ଠାବ କରି ପାଣିରୁ ଉଦ୍ଧାର କରିଥିଲେ । ଖବର ପାଇ ଯାଜପୁର ଟାଉନ ପୁଲିସ ଘଟଣା ସ୍ଥଳରେ ପହଂଚି ମୃତ ଶିଶୁ ପୁତ୍ରର ଶବକୁ ଯାଜପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିବା ଜଣାଯାଇଛି । ସୂଚନା ଥାଉକି ଯାଜପୁର ଜିଲ୍ଳା ଦଶରଥପୁର ବ୍ଲକ୍ ବିହାରୀ ପଂଚାୟତ ଉପର ସାଉଣ୍ଡି ନିମକଳପୁର ଗ୍ରାମର ବିଧ୍ୟାଧର ସାହୁ ଓ ମୀନତି ସାହୁଙ୍କ ପୁଅ ସତ୍ୟପ୍ରକାଶ (୬) ଶନିବାର ସକାଳୁ ଦାନ୍ତ ଘସିବା ପରେ ମା ମିନତୀଙ୍କୁ ଖାଇବାକୁ ମାଗିବାରୁ ମିନତୀ ରୋଷେଇ ଘରକୁ ଖାଇବା ତିଆରି କରିବାକୁ ଯାଇଥିଲେ । ଠିକ୍ ଏହି ସମୟରେ ପାଖ ପଡେ଼ାଶୀ ଘରକୁ ଆସିଥିବା ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଦେଖିବାକୁ ସତ୍ୟପ୍ରକାଶ ଦୈାଡ଼ି ଯାଇଥିଲା । ଖାଦ୍ୟ ପ୍ରସ୍ତୁତ କରି ମିନତୀ ପୁଅ ସତ୍ୟପ୍ରକାଶକୁ ଖୋଜିବାରୁ ସତ୍ୟପ୍ରକାଶକୁ ପାଇନଥିଲେ । ଖୋଜାଖୋଜି କରିବା ପରେ ସତ୍ୟ ପ୍ରକାଶ ଘରୁ ସାଙ୍ଗରେ ନେଇ ଆସିଥିବା ଏକ ପାଣି ବୋତଲଟି ଘର ପାଖ ଦେଇ ପ୍ରବାହିତ ନଡ଼କା ନାଳ ପାଣିରେ ଭାସୁଥିଲା । ଯାହାକୁ ଦେଖି ପୁଅ ସତ୍ୟପ୍ରକାଶ ପାଣିରେ ବୁଡ଼ି ଯାଇଥିବା ସମସ୍ତେ ସନେ୍ଦହ କରି ଯାଜପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଦୀର୍ଘ ୪ ଘଂଟା ଧରି ନଡ଼କା ନାଳ ପାଣିରୁ ସତ୍ୟ ପ୍ରକାଶକୁ ଠାବ କରିବାକୁ ଉଦ୍ୟମ କରିଥିଲେ ହେଁ ତାହା ସମ୍ଭବ ହୋଇନଥିଲା । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ପୁତ୍ରକୁ ଠାବ କରିବା କାର୍ଯ୍ୟରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ବାହିନୀ ତଥା ଓଡ୍ରାଫ୍ ଟିମକୁ ଶନିବାର ଅପରାହ୍ନ ୪ଟାରୁ ନିୟୋଜିତ କରାଯାଇଥିଲେ ହେଁ ରାତି ହୋଇଯିବାରୁ ଓଡ଼୍ରାଫ୍ ଟିମ ପକ୍ଷରୁ ଶିଶୁ ପୁତ୍ରକୁ ଠାବ କରିବା କାର୍ଯ୍ୟ ବନ୍ଦ ରହିଥିଲା । ପୁନଶ୍ଚ ରବିବାର ସକାଳୁ ଓଡ଼୍ରାଫ୍ ଟିମ୍ ପକ୍ଷରୁ ଶିଶୁ ପୁତ୍ରକୁ ଠାବ କରିବାକୁ ଅବିଶ୍ରାନ୍ତ ଉଦ୍ୟମ ଜାରି ରହିଥିବା ବେଳେ ସ୍ଥାନୀୟ କିଛି ମାଛ ଧରାଳି ନଡ଼କା ନାଳରେ ମାଛ ଧରୁଥିବା ବେଳେ ଅପରାହ୍ନ ପ୍ରାୟ ୪ଟାରେ ମୃତ ଶିଶୁ ପୁତ୍ରର ଶବ ସେମାନଙ୍କ ଜାଲରେ ଲାଗିଥିଲା । ପରେ ଶିଶୁ ପୁତ୍ରର ମୃତ ଶରୀରକୁ ପାଣିରୁ ଉଦ୍ଧାର କରି ଉପରକୁ ଅଣାଯିବା ପରେ ଘଟଣା ସ୍ଥଳରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଥିଲା । ବାପା ବିଦ୍ୟାଧର ଓ ମା ମିନତୀ ପୁଅ ସତ୍ୟପ୍ରକାଶର ମୃତ ଶରୀରକୁ ଦେଖି ଚେତାଶୂନ୍ୟ ହୋଇଯାଇଥିଲେ । ଖବର ପାଇ ଯାଜପୁର ପୁଲିସ ଘଟଣା ସ୍ଥଳରେ ପହଂଚି ଶିଶୁ ପୁତ୍ରର ଶବକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପଠାଇ ଶବ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲେ । ପୁଅ ସତ୍ୟପ୍ରକାଶକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ଦମ୍ପତି ବିଦ୍ୟାଧର ଓ ମିନତୀଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Comments (0)
Add Comment