ନନ୍ଦନକାନନରେ କମୁଛି ସିଂହ ସଂଖ୍ୟା

ଭୁବନେଶ୍ୱର: ପ୍ରାଣୀ ଉଦ୍ୟାନ ନନ୍ଦନକାନନ କର୍ତୃପକ୍ଷ ଏଠାରେ ଏମିତି ବି ଦିନ ଥିଲା, ସିଂହଙ୍କ ସଂଖ୍ୟାକୁ ନେଇ ଗର୍ବ ଅନୁଭବ କରୁଥିଲେ । ୧୯୯୧ରେ ୫୬ଟି ସିଂହ ଥିଲେ । ଏମାନଙ୍କୁ ରଖିବାକୁ ଜାଗା ପାଉନଥିଲେ ନନ୍ଦନକାନନ କର୍ତୃପକ୍ଷ । ଇତିହାସରେ ସର୍ବାଧିକ ସିଂହ ଏହି ସମୟରେ ଥିଲେ ବୋଲି ତଥ୍ୟ ହସ୍ତଗତ ହୋଇଛି । ଏତେ ଗୁଡିଏ ସିଂହଙ୍କ ରକ୍ଷଣାବେକ୍ଷଣ ଓ ପାଳନ କରିବା କର୍ତୃପକ୍ଷଙ୍କ ପାଇଁ ଏକ ବଡ଼ ଆହ୍ୱାନ ଥିଲା । ଏଭଳି ସମସ୍ୟା ଭିତରେ କର୍ତୃପକ୍ଷ ଏକ ଭଲ ଚିନ୍ତାଧାରା ମନକୁ ଆଣିଥିଲେ । ବାହାର ରାଜ୍ୟର ଚିଡିଆଖାନାକୁ ସିଂହ ଦେଇ ତା ବଦଳରେ ସେଠାରୁ ବିରଳ ପ୍ରାଣୀଙ୍କୁ ଏଠାକୁ ଅଣାଯାଇଥିଲା । କିନ୍ତୁ କେନ୍ଦ୍ରୀୟ ଚିଡିଆଖାନା କର୍ତୃପକ୍ଷଙ୍କ ନିର୍ଦେଶକ୍ରମେ ଏଥିରେ ରୋକ୍ ଲାଗିଥିଲା । ମାତ୍ର ୩ଟି ସିଂହକୁ ଛାଡ଼ି ବାକି ୨୨ଟି ସିଂହଙ୍କୁ (ସମସ୍ତ ପୁରୁଷ ସିଂହ) ଏଠାରେ ଅସ୍ତେ୍ରାପଚାର ଜରିଆରେ ଦ୍ୱାରା ବନ୍ଧ୍ୟାକରଣ କରାଗଲା । ଏହା ଫଳରେ ସିଂହ ବଂଶ ବୃଦ୍ଧିରେ ଅଙ୍କୁଶ ଲାଗିଲା । କିନ୍ତୁ ପରବର୍ତୀ ସମୟରେ ଏହା ଥିଲା ନନ୍ଦନକାନନର ଅଭିଶପ୍ତ ଘଟଣା । କ୍ରମାଗତ ଭାବରେ ସିଂହଙ୍କର ଗୋଟିଏ ପରେ ଗୋଟିଏ ମୃତ୍ୟୁ ଘଟିବା ସହିତ ୧୯୯୩ ମସିହାରେ ମାତ୍ର ୩ ମାସ ଅନ୍ତରରେ ୬ଟି ସିଂହ ଶାଦକଙ୍କର ନିମୋନିଆରେ ମୃତ୍ୟୁ ଘଟିଲା । ଏଭଳି ସଙ୍କଟ ଦେଖାଦେବାରୁ ନନ୍ଦନକାନନ କର୍ତୃପକ୍ଷ ସିଂହ ବଂଶ ବୃଦ୍ଧି ପାଇଁ ସଂଘର୍ଷ ଜାରି ରଖିଲେ । ହେଲେ ବନ୍ଧ୍ୟାକରଣ ଯୋଗୁଁ ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହେଲା । ଗତ ୧୪ ବର୍ଷ ମଧ୍ୟରେ ଏଠାରୁ ୩୫ଟି ସିଂହ ମୃତ୍ୟୁବରଣ କରିସାରିଲେଣି । ଏହି ଅସ୍ୱାଭାବିକ ମୃତ୍ୟୁ ପ୍ରକ୍ରିୟା ୨୦୦୬ ମସିହାରୁ କ୍ରମାଗତ ଭାବରେ ଜାରି ରହିଛି । ତେବେ ୧୯୯୪ରୁ ୨୦୨୦ ଏଇ ୨୬ ବର୍ଷ ମଧ୍ୟରେ ମାତ୍ର ୪ଟି ସିଂହ ଶାବକ ଏଠାରେ ଜନ୍ମ ନେଇଛନ୍ତି । ଯାହା ଚିନ୍ତାର ବିଷୟ । ୧୯୯୪ ମସିହା ମେ ୧୩ ତାରିଖରେ ସୁପ୍ରିୟା ନାମକ ସିଂହ ଶାବକ ଏଠାରେ ଜନ୍ମ ନେଇଥିଲା । ଏବେ ତାକୁ ୨୬ ବର୍ଷ ବୟସ ହୋଇଛି । ତା ପରେ କ୍ରିଷ୍ଣା ନାମକ ସିଂହ ଶାବକ ୨୦୦୪ ଜୁନ୍ ୧୬ରେ ଜନ୍ମ ନେଇଥିଲା । ଏହାକୁ ଏବେ ୧୫ ବର୍ଷ ହୋଇଛି । ଏହା ବ୍ୟତୀତ ରାଧା ନାମକ ସିଂହୀଠାରୁ କଳ୍ପନା ଓ ଜିତ୍ ନାମକ ଦୁଇ ଶାବକ ଜନ୍ମ ନେଇଥିଲେ । କଳ୍ପନା ୨୦୧୫ରେ ଜନ୍ମ ନେଇଥିଲା ବେଳେ ଜିତ୍ ୨୦୧୭ ମାର୍ଚ୍ଚ ୭ ତାରିଖରେ ଜନ୍ମ ନେଇଥିଲା । କଳ୍ପନାକୁ ଏବେ ମାତ୍ର ୫ ବର୍ଷ ଓ ଜିତ୍କୁ ମାତ୍ର ୩ ବର୍ଷ । ୧୯୯୪ ମସିହାଠାରୁ ଆଜି ପର୍ଯ୍ୟନ୍ତ ୨୬ ବର୍ଷ ମଧ୍ୟରେ ମାତ୍ର ଏଇ ୪ଟି ସିଂହ ଶାବକ ନନ୍ଦନକାନନରେ ଜନ୍ମ ନେଇଛନ୍ତି । ବର୍ତମାନ ନନ୍ଦନକାନନରେ ସିଂହ ସଂଖ୍ୟା ମାତ୍ର ୧୫ । ଏମାନଙ୍କ ମଧ୍ୟରେ ରହିଛନ୍ତି ୮ଟି ହାଇବ୍ରିଡ୍ ପ୍ରଜାତିର, ଗୋଟିଏ ଏସୀୟ ସିଂହ ଓ ବାକି ୪ଟି ଆଫ୍ରିକୀୟ । ଏହା ମଧ୍ୟରେ ଗତ ମାର୍ଚ୍ଚ ୧୮ରେ ୪ଟି ସିଂହ ଛତିଶଗଡ଼ର ବିଳାଶପୁର କାନନ ପେଣ୍ଡାରୀ ଚିଡ଼ିଆଖନାରୁ ଏଠାକୁ ଆସିଛନ୍ତି । ଏ ସମସ୍ତ ହେଉଛନ୍ତି ଆଫ୍ରିକୀୟ ସିଂହ । ନନ୍ଦନକାନନ ଇତିହାସକୁ ଦେଖିଲେ ଜଣାପଡେ ୧୯୬୫ ମସିହାରୁ ଏଠାରେ ରହି ଆସୁଥିବା ଏସୀୟ ସିଂହଙ୍କୁ ସ୍ଥାନୀୟ ଜଳବାୟୁ ଓ ପ୍ରାକୃତିକ ପରିବେଶ ବେଶ୍ ସୁହାଉଥିଲା । ତେଣୁ ବଂଶ ବିସ୍ତାର ବି ଆଶାଜନକ ଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ୧୯୮୪ ମସିହାରେ ସିଂହ ସଫାରୀ ଉଦ୍ଘାଟନ କରିଥିଲେ । ୧୯୯୧ ମସିହା ବେଳକୁ ଏଠାରେ ୫୬ଟି ସିଂହ ସଫାରୀ ମଧ୍ୟରେ ରହିଥିଲେ । ହେଲେ ଏଇ ୨୯ ବର୍ଷ ମଧ୍ୟରେ ସିଂହ ସଂଖ୍ୟା ଖସି ମାତ୍ର ୧୫ରେ ସୀମିତ ରହିବା ଉଭୟ ନନ୍ଦନକାନନ କର୍ତୃପକ୍ଷ ଓ ପଶୁ ପ୍ରେମୀଙ୍କୁ ବ୍ୟଥିତ କରିଛି ।

Comments (0)
Add Comment