ନାଲକୋ ଏମ୍ପ୍ଲଇଜ୍ ସେଣ୍ଟ୍ରାଲ ୟୁନିଅନର ଶ୍ରମିକ ଦିବସ ପାଳନ

ଭୁବନେଶ୍ୱର  :  ନାଲକୋ କର୍ପୋରେଟ ଅଫିସ,ଭୁବନେଶ୍ୱରର ନାଲକୋ ଏମ୍ପ୍ଲଇଜ୍ ସେଣ୍ଟ୍ରାଲ ୟୁନିଅନ (ନେକୁ) ମଇ ଦିବସ (ଶ୍ରମିକ ଦିବସ)କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିଛି। ଏହି ଅବସରରେ “ବର୍ତ୍ତମାନ ସମୟରେ ଶିଳ୍ପୋଦ୍ୟୋଗ ପରିପ୍ରେକ୍ଷିରେ ଶ୍ରମିକ ସଙ୍ଗଠନମାନଙ୍କର ଭୂମିକା” ବିଷୟରେ ଆଲୋଚନା ନିମନ୍ତେ ଚନ୍ଦ୍ରେଶେଖରପୁରସ୍ଥ ନାଲକୋନଗରଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଶ୍ରୀ ରାଧାଶ୍ୟାମ ମହାପାତ୍ର, ନିର୍ଦ୍ଦେଶକ (ମାନବ ସମ୍ବଳ) ମୁଖ୍ୟ ଅତିଥି;  ଶ୍ରୀ ମନସାପ୍ରସାଦ ମିଶ୍ର, ନିର୍ଦ୍ଦେଶକ(ପ୍ରକଳ୍ପ ଓ ପରିଯୋଜନା);  ଶ୍ରୀ ରମେଶ ଚନ୍ଦ୍ର ଯୋଶୀ, ନିର୍ଦ୍ଦେଶକ(ବିତ୍ତ); ଶ୍ରୀ ସଦାଶିବ ସାମନ୍ତରାୟ, ନିର୍ଦ୍ଦେଶକ(ବାଣିଜ୍ୟ) ଓ ଶ୍ରୀ ପଙ୍କଜ କୁମାର ଶର୍ମା, ନିର୍ଦ୍ଦେଶକ (ଉତ୍ପାଦନ) ସମ୍ମାନିତ ଅତିଥିଭାବେ ଯୋଗଦାନ କରି ସେମାନଙ୍କର ବକ୍ତବ୍ୟ ରଖିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ପର୍ସନାଲ ମ୍ୟାନେଜମେଣ୍ଟ ଏବଂ ଇଣ୍ଡଷ୍ଟ୍ରିଆଲ ରିଲେସନ ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଡକ୍ଟର.ବିଜୟ କୁମାର ସୁନ୍ଦରାୟ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଶ୍ରମିକ ସଙ୍ଗଠନମାନଙ୍କର ଭବିଷ୍ୟତ କାର୍ଯ୍ୟଶୈଳୀ ଓ ପନ୍ଥା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ନାଲକୋରେ କର୍ମଚାରୀମାନଙ୍କ ନିମନ୍ତେ ନିଆଯାଉଥିବା ଉନ୍ନତିମୂଳକ ପଦକ୍ଷେପ, ଶ୍ରମିକ ସଙ୍ଗଠନମାନଙ୍କର ଦାୟୀତ୍ବ ଓ କାର୍ଯ୍ୟଧାରା ବିଷୟରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥିମାନେ କହିଥିଲେ ଯେ, ସମସ୍ତ କର୍ମଚାରୀ ଓ ଶ୍ରମିକ ସଙ୍ଗଠନମାନେ ସମ୍ମିଳିତ ହୋଇ କାମ କଲେ ଅନୁଷ୍ଠାନର ଉନ୍ନତି ହେବା ସଙ୍ଗେସଙ୍ଗେ ନିଜର ମଧ୍ୟ ଉନ୍ନତି ହୋଇପାରିବ। ନେକୁର ସଭାପତି ଶ୍ରୀ ଅଶୋକ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିଲେ ଓ ଉପସଭାପତି ଶ୍ରୀ ଦେବଦତ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ ଶ୍ରୀ ବୈକୁଣ୍ଠ ପ୍ରସାଦ ଦାସ, ସହ ସମ୍ପାଦକ ଶ୍ରୀ ସୁଶିଲ କୁମାର ନାୟକ, କୋଷାଧ୍ୟକ୍ଷ ଶ୍ରୀ ଅସିତ କୁମାର କାମିଲା, କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ବିଜୟ କୁମାର ଦାଶ, ଶ୍ରୀ ପ୍ରମୋଦ କୁମାର ସେଠୀ, ଶ୍ରୀ ଭାଗିରଥୀ ନାୟକ ଓ ସମସ୍ତ ସଭ୍ୟ ସଭ୍ୟାମାନେ ପୂର୍ଣ୍ଣମାତ୍ରାରେ ସାହାଯ୍ୟ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ଆୟୋଜନ କରିଥିଲେ। ନାଲକୋ କର୍ରପୋରେଟ ଅଫିସର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କାର୍ଯ୍ୟକାରୀ ସଦସ୍ୟା ଶ୍ରୀମତୀ ନିଳିମା କଙ୍ଗାରୀ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମୂହ ଭୋଜନରେ ଅତିଥିବୃନ୍ଦ, ସମସ୍ତ କର୍ମଚାରୀ ଏବଂ ପରିବାରବର୍ଗଙ୍କୁ ଆପ୍ୟାୟିତ କରାଯାଇଥିଲା।

Comments (0)
Add Comment