ନିଯୁକ୍ତି ଦାବିରେ ଧାରଣାରେ ବସିଲେ ପଞ୍ଚାୟତ ବାସୀ

କେନ୍ଦୁଝର : ଯୋଡ଼ା ବ୍ଲକ ବିରିକଳା ପଞ୍ଚାୟତ ବିଲେଇପଦା ଠାରେ ଅବସ୍ଥିତ ଟାଟା ଲଙ୍ଗ ପ୍ରଡକ୍ଟ କମ୍ପାନୀ ନିଯୁକ୍ତି କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ ଯୋଗୁଁ ଦୁଇଦିନ ହେବ ବିରିକଳା ତଥା ଆଖପାଖ ଗ୍ରାମର ଶତାଧିକ ଲୋକ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଅଭିଯୋଗ ମୁତାବକ ଉକ୍ତ କମ୍ପାନୀ ନିକଟରେ ସ୍ଥାନୀୟ ପାଞ୍ଚ ପଞ୍ଚାୟତ ବାସୀ ବାରମ୍ବାର କର୍ମନିଯୁକ୍ତି ନିମନ୍ତେ ଲିଖିତ ଅନୁରୋଧ କରିଥିଲେ ମଧ୍ୟ ଏଯାବତ ତାହାର ସୁଫଳ ମିଳି ପାରିନାହିଁ । ଟାଟା ଲଙ୍ଗ ପ୍ରଡକ୍ଟ କମ୍ପାନୀର ରେଳ ସାଇଡିଂରେ ଲଜିଷ୍ଟିକ ସଲୁସନ ନାମକ ଏକ ଠିକା ସଂସ୍ଥା  କାର୍ଯ୍ୟ କରିଆସୁଛି । ଉକ୍ତ ଠିକା ସଂସ୍ଥାରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଉଚିତ ଦରମା ପ୍ରଦାନ, ସ୍ଥାନୀୟ ତଥା ଜମିହରା ପ୍ରଜା ମାନଙ୍କୁ ନିଯୁକ୍ତି ଓ ସ୍ଥାନୀୟ ଗାଡି ମାଲିକଙ୍କୁ ପରିବହନ ନିମନ୍ତେ ପ୍ରାଧାନ୍ୟ ଦେବା ଦାବିରେ ବିରିକଳା ପଂଚାୟତର ସରପଞ୍ଚ ମୁଖ ନାଏକ ଓ ସମିଟିସଭ୍ୟ ଜ୍ଞାନରଞ୍ଜନ ଖୁଣ୍ଟିଆଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଥିବା ଜଣାପଡିଛି । ଏହାକୁ କେନ୍ଦ୍ରକରି ଉକ୍ତ ଠିକ ସଂସ୍ଥାର କ୍ଷୀରୋଦ ଗୋପ ନାମକ ଜଣେ କର୍ମଚାରୀ କଣ ପାଇଁ ଏଠି ବସିଛ , ଜଲଦି ପଳା ବୋଲି କହିବା ସହିତ ସମିତିସଭ୍ୟ ଶ୍ରୀ ଖୁଣ୍ଟିଆଙ୍କୁ ପଥରରେ ଆକ୍ରମଣ କରିଥିଲେ । ଶ୍ରୀ ଖୁଣ୍ଟିଆ ଏ ସମ୍ପର୍କରେ ଯୋଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଶ୍ରୀ ଖୁଣ୍ଟିଆଙ୍କ ଅଭିଯୋଗ ମୁତାବକ କମ୍ପାନୀ କତ୍ତୃପକ୍ଷ ସବୁ ସମୟରେ ଲୋକମାନଙ୍କୁ ଭୁଆଁ ବୁଲାଇବା ସହିତ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବାର ପ୍ରତିଶୃତି ଦେଇ ମଧ୍ୟ ନିଯୁକ୍ତି ଦେଉ ନାହିଁ । ନିକଟରେ କମ୍ପାନୀ ଚାଲାଖି କରି ପଡୋଶୀ ଝାଡଖଣ୍ଡ ରାଜ୍ୟରୁ ୪୦ ଜଣଙ୍କୁ ନିଯୁକ୍ତି ଦେଇଥିବାବେଳେ ଗତ ଶୁକ୍ରବାର ୭ ତାରିଖ ଦିନ କମ୍ପାନୀ ଅନୁରୂପ ଭାବେ ଝାଡଖଣ୍ଡ ରାଜ୍ୟର ୧୧ ଜଣଙ୍କୁ ନିଯୁକ୍ତି ଦେଇଛି । ବିଡ଼ମ୍ବନାର ବିଷୟ ସ୍ଥାନୀୟ ଅଞ୍ଚଳରେ ଜମିହରା ଶିକ୍ଷିତ ଯୁବକ ଯୁବତୀ କାମଧନ୍ଦା ନପାଇ ପାଗଳ ପ୍ରାୟ ଘୁରି ବୁଲୁଛନ୍ତି । ପ୍ରକାଶ ଯୋଗ୍ୟ ଏଠାକାର ଲୋକେ ସାଧାରଣତଃ ଖଣି , କାରଖାନା ଓ ଟ୍ରକ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । ସ୍ଥାନୀୟ ବାସିନ୍ଦା ଘରବାଡି ବନ୍ଧା ଦେଇ ଖଣ୍ଡିଏ ଖଣ୍ଡିଏ ଟ୍ରକ ଖଣିଜ ପରିବହନ କରିଥାନ୍ତି । ସେଥିରୁ ଯାହା ଲାଭ ହୁଏ  ପରିବାର ପ୍ରତିପୋଷଣ କରିଥାନ୍ତି ।  କିନ୍ତୁ ଦୁଃଖର ବିଷୟ ଟାଟା ଲଙ୍ଗ ପ୍ରଡକ୍ଟ କମ୍ପାନୀର ରେଳ ସାଇଡିଂରେ କାର୍ଯ୍ୟରତ ଠିକାସଂସ୍ଥା ସ୍ଥାନୀୟ ଗାଡି ମାଲିକଙ୍କୁ ଅଣଦେଖା କରି ବାହାରୁ ଗାଡି ଆଣି ପରିବହନ କାର୍ଯ୍ୟରେ ନିୟୋଜିତ କରିଥିବା ଅଭିଯୋଗ ହୋଇଛି । ଯଥାଶୀଘ୍ର କମ୍ପାନୀ କତ୍ତୃପକ୍ଷ ଏଥିପ୍ରତି ନଜର ଦେବା ସହିତ ତୁରନ୍ତ ଏହାର ସମାଧାନ ନକଲେ ଆଗାମୀ ଦିନରେ କମ୍ପାନୀର ସମସ୍ତ ଫାଟକ ବନ୍ଦ କରିବା ସହିତ କମ୍ପାନୀ ଚାଲିବାକୁ ଦେବୁ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଥିବା ଜଣାପଡିଛି ।

Comments (0)
Add Comment