ନୂଆଗଡ଼ ଠାରୁ ରାୟଗଡ଼ା ଜିଲ୍ଲା ସୀମାନ୍ତ ଅଞ୍ଜରସିଂ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ

ରାୟଗଡ଼ : ଗଜପତି ଜିଲ୍ଲା ନୂଆଗଡ଼ ସଦର ମହକୁମା ଠାରୁ ରାୟଗଡ଼ା ଜିଲ୍ଲା ସୀମାନ୍ତ ଅଞ୍ଜରସିଂ ଗ୍ରାମ ପର୍ଯ୍ୟନ୍ତ ଅତି ଦୟନୀୟ ଅବସ୍ଥାରେ ରହି ମରଣ ଜନ୍ତା ପାଲଟିଛି ରାସ୍ତା। ଏହି ଖାଳଖମା ପଥୁରିଆ ରାସ୍ତା ଦେଇ ମରଣକୁ ବାଜି ଲଗାଇ  ସ୍ବାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ବ୍ୟବସାୟୀ କାରବାର ନିମନ୍ତେ ପ୍ରତିଦିନ ଯିବା ଆସିବା କରିଥାନ୍ତି । ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବା ସକାଶେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ। ଖରାଦିନେ ଯେମିତି ସେମିତି ଚଳି ଯାଉଥିବା ବେଳେ ବର୍ଷା ଦିନେ ଗାଡ଼ି ମଟର ଯିବାରତ ଦୂରର କଥା ଚାଲିଚାଲି ଯିବା ମଧ୍ୟ ସମ୍ଭବ ହେଉନି। ଅଣଓସାରିଆ ରାସ୍ତା ସମସ୍ୟା ଯୋଗୁ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଇ ଦୁର୍ଘଟଣା କିମ୍ବା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳା ମାନଙ୍କୁ ଖଟିଆରେ ବୋହିଁ ସ୍ୱାସ୍ଥ୍ୟକେନ୍ଦ୍ର ନେବାକୁ ବାଧ୍ୟ ହେଉଛନ୍ତି ଲୋକେ। ପକା ରାସ୍ତା ନିର୍ମାଣ କରିବା ପାଇଁ ଅଭିଯୋଗ ଲିଖିତ ଭାବେ ବାରମ୍ବାର ଆବେଦନ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉନ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ରାୟଗଡ଼ା ଜିଲ୍ଲାର ସୀମାକୁ ଏହି ରାସ୍ତା ମାତ୍ର  ୫କିଲୋମିଟର। ପଡୋଶୀ ଜିଲ୍ଲା ନିଜ ସୀମା ପର୍ଯ୍ୟନ୍ତ ପକାରାସ୍ତା କରିଥିଲେ ମଧ୍ୟ ଜିଲ୍ଲାର ସିମାଠାରୁ ନୂଆଗଡ଼ ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇନାହିଁ। ବ୍ଲକର ଲୁହାଙ୍ଗର ପଞ୍ଚାୟତର କିଜାଙ୍ଗ, କୁଡିଙ୍ଗଡା, ଏସ.ଅନ୍ତରଡା ଗ୍ରାମର ଏବଂ ରାୟଗଡ଼ା ଜିଲ୍ଲା ସୀମାନ୍ତରେ ବସବାସ କରୁଥିବା ଗ୍ରାମର ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ନୂଆଗଡ଼ ସଦର ମହକୁମା ଅତି ନିକଟତର ହେଉଥିବାରୁ ସ୍ବାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ବ୍ୟବସାୟ ନିମନ୍ତେ ନିର୍ଭର କରିଥାନ୍ତି ଲୋକେ। ନୂଆଗଡ଼ ବ୍ଲକ ଅଞ୍ଚଳର ଲୋକେ ପଡୋଶୀ ଜିଲ୍ଲାକୁ କମ ଦୂରତା ସକାଶେ ବାଣିଜ୍ୟ ବ୍ୟବସାୟ କାରବାର କରିବାକୁ ଏହି ରାସ୍ତାରେ ହିଁ ନିର୍ଭର କରି ଯିବା ଆସିବା କରିଥାନ୍ତି। ଏହି ସୀମାବର୍ତ୍ତି  ଉପାନ୍ତ ଦୁର୍ଗମ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ପ୍ରତି ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିବା ସହିତ ତତ୍ପରତା ଦେଖାଉ ନଥିବାରୁ ଅଞ୍ଚଳର ଜନ ସାଧାରଣଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବି ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପକା ରାସ୍ତା ନିର୍ମାଣ କରିବା ଦାବି କରିଛନ୍ତି ଅଞ୍ଚଳବାସୀ ।

Comments (0)
Add Comment