ନୂଆପଡ଼ାରେ ପାନୀୟ ଜଳ ସଙ୍କଟ : ଗାଡ଼ିଆପାଣି ଭରସା

ଖଡ଼ିଆଳ : ନୂଆପଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା । ବୋଡେ଼ନ ବ୍ଲକ ବୁଏର ଗ୍ରାମ ପଞ୍ଚାୟତର କୁଠିଆ ପଡା ଗ୍ରାମରେ ଖରା ବଢିବା ସହିତ ପାନୀୟ ଜଳର ଘୋର ଅଭାବ ସୃଷ୍ଟି ହୋଇଛି । ପାଣି ମୁନ୍ଦାଏ ପାଇଁ ଲୋକମାନେ ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି । ଗାଁର କୁର୍ଲୁପଡା ଓ ସିହିଁନା ପଡାବାସୀ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି । ସିହିଁନା ପଡାରେ ଥିବା ନଳକୂପରୁ ହଳଦିଆ ପାଣି ବାହାରୁ ଥିବାରୁ ଏହା ବ୍ୟବହାର ଉପଯୋଗୀ ହେଉନାହିଁ । ଏହି ପାଣି ପିଇଲେ ଦାନ୍ତ କଳା ହେଉଥିବା ଓ ରାନ୍ଧୁଥିବା ଖାଦ୍ୟ ସ୍ୱାଦହୀନ ଲାଗୁଥିବା ଲୋକେ ଅଭିଯୋଗ କରିଛନ୍ତି ।
ଅପର ପକ୍ଷରେ ଗାଁର ମହିଳାମାନେ ପାଣି ପାଇଁ ଅଧା କିଲୋମିଟର ଯାଉଛନ୍ତି । ସେହି ପଡାର ଏକ ଜମିରେ ଛୋଟ ଖାଲ କରି ପାଣି ସଂଗ୍ରହ କରିବାକୁ ପଡୁଛି । ପୁଣି ଏକ ପଥର ସନ୍ଧିରୁ ପାଣି ଆଣୁଛନ୍ତି । ଗୋଟିଏ ମାଠିଆ ପାଣି ପାଇଁ ବହୁତ ସମୟ ଲାଗିଥାଏ । ରାତି ପାହିବା ପୂର୍ବରୁ ମହିଳାମାନେ ଭିଡ଼ ଜମାଇଥାନ୍ତି । ହିଡ ଦେଇ ପାଣି ଆଣିବାକୁ ଗଲାବେଳେ ବହୁତ ଅସୁବିଧା ହୋଇଥାଏ । ସେହିପରି କୁର୍ଲୁ ପଡାବାସୀ ମଧ୍ୟ ପାଣି ପାଇଁ ଏକ ବିଲରେ ଥିବା ଛୋଟ ଗାତ ଉପରେ ନିର୍ଭର କରନ୍ତି । ପଡ଼ାରେ ଥିବା ଏକମାତ୍ର ନଳକୂପ ଅଚଳ ହୋଇ ପଡିଛି । ଗ୍ରାମକୁ ପାଣି ଯୋଗାଣ ପାଇଁ ପାଞ୍ଚ ବର୍ଷ ତଳେ ଗଭୀର ନଳକୂପ ଖୋଳା ଯାଇଥିଲା ଓ ଟାଙ୍କି ନିର୍ମାଣ କରି ଜଳଯୋଗାଣ କରାଗଲା । ଗତବର୍ଷ ରାସ୍ତାରେ ପାଇପ କଟି ଯିବାରୁ ଏହି ଦୁଇ ପଡାକୁ ପାଣି ଆସୁନାହିଁ ।ଫଳରେ ବସ୍ତିରେ ଜଳ ଯୋଗାଣ ସ୍ୱାଭାବିକ ଥିବାବେଳେ ଦୁଇ ପଡାର ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଶୀଘ୍ର ଏହାର ସମାଧାନ ନକଲେ ଗ୍ରାମବାସୀମାନେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । ଏନେଇ ବୋଡେ଼ନ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ରତିକାନ୍ତ ବାଳମୁଚୁଙ୍କୁ ପଚାରିବାରୁ ଚାରି ପାଞ୍ଚ ଦିନ ମଧ୍ୟରେ ଜଳ ଯୋଗାଣ ସ୍ୱାଭାବିକ କରାଯିବ ବୋଲି କହିଛନ୍ତି ।

Comments (0)
Add Comment