ଭୁବନେଶ୍ୱର: ନୂଆବର୍ଷରେ ଜାଡରେ ଥରିବ ସାରା ଓଡିଶା । ରାଜଧାନୀ ସମେତ ପୂରା ରାଜ୍ୟରେ ତାପମାତ୍ରା ୪ରୁ ୫ଡିଗ୍ରି ପର୍ଯ୍ୟନ୍ତ ଖସି ଆସିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏପରି ଆକଳନ କରିଛି । କେନ୍ଦ୍ରର ନିଦେ୍ର୍ଧଶକ ଏଚ୍.ଆର୍ ବିଶ୍ୱାସ କହିଛନ୍ତି, ୩୧ ତାରିଖ ସକାଳୁ ରାଜ୍ୟରେ ପୁଣି ଉତରା ପବନର ପ୍ରବାହ ଆରମ୍ଭ ହୋଇଯିବ । ଫଳରେ ଶୀତର ପ୍ରକୋପ ବଢିବ । ବିଶେଷ କରି ଝାରସୁଗୁଡା, ଅନୁଗୁଳ, ସୁନ୍ଦରଗଡ, ଦେବଗଡ, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ହାଡଭଙ୍ଗା ଶୀତ ହେବ । ରାଜଧାନୀର ରାତ୍ରି ତାପମାତ୍ରା ବି ୧୧ ଡିଗ୍ରିକୁ ଖସି ଆସିବ । ସେହିପରି ଅବଶିଷ୍ଟ ଅଞ୍ଚଳର ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିବ ବୋଲି ଶ୍ରୀ ବିଶ୍ୱାସ କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ଗତ ୫-୬ ଦିନ ଧରି ରାଜ୍ୟକୁ ଉତରା ଥଣ୍ଡା ପବନ ପ୍ରବେଶରେ ବାଧା ସୃଷ୍ଟି ହେବାରୁ ଶୀତ କମିଥିଲା । ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଥିଲେ । କିନ୍ତୁ ୩୧ ତାରିଖରୁ ରାଜ୍ୟକୁ ପୁଣି ଶୀତ ଫେରିବ । ୨୯ ଓ ୩୦ ତାରିଖ ରାଜ୍ୟରେ ଆଜି ଭଳି ତାପମାତ୍ରା ଜାରି ରହିବ ।
ଆଜି ପାରାଦୀପ ସମେତ କଟକ, ମାଲକାନଗିରି ଓ ନୟାଗଡ ଆଦି ଜିଲ୍ଲାରେ ହାଲ୍କା କୁହୁଡି ଦେଖିବାକୁ ମିଳିଥିଲା । ଆସନ୍ତା ୨ ଦିନ କଟକ, ଜଗତସିଂହପୁର, ନୟାଗଡ, କନ୍ଧମାଳ, ରାୟଗଡା, କୋରାପୁଟ, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ । ୩୧ ସକାଳୁ ରାଜ୍ୟରେ ଶୀତ ପ୍ରକୋପ ବଢିବା ଆରମ୍ଭ ହୋଇଯିବ ।
ଗତ ୨୪ ଘଂଟାରେ ପୂରା ରାଜ୍ୟର ପାଗ ଶୁଖିଲା ରହିଥିଲା । ଆଭ୍ୟନ୍ତରୀଣ ଓଡିଶାର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ଓ ଉପକୂଳ ଓଡିଶାରେ ୧ରୁ ୨ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଥିଲା । ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୫.୫ ଡିଗ୍ରି ରେକର୍ଡ ହୋଇଛି । ଭୁବନେଶ୍ୱର ସର୍ବନିମ୍ନ ତାପମାତ୍ରା ୧୩.୨ ଡିଗ୍ରି ଥିଲା । ଆସନ୍ତା ୨ ଦିନ ବି ରାଜଧାନୀର ତାପମାତ୍ରା ୧୩ ଡିଗ୍ରି ପାଖାପାଖି ରହିବ । ଜାନୁଆରି ପହିଲା ସୁଦ୍ଧା ଏହା ଖସି ୧୧ ଡିଗ୍ରିରେ ପହଞ୍ଚିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।