ପର୍ଯ୍ୟଟକଙ୍କଠାରୁ ଚେନ୍ ଲୁଟ୍ ଉଦ୍ୟମ : ୫ ଡକାୟତ ଗିରଫ

ପୁରୀ: ଜିରୋ ଟଲେରାନ୍ସ ଟୁ କ୍ରାଇମ୍ ନାରା ଦେଇ ପୁରୀ ପୋଲିସ୍ ସହରକୁ ଏବେ ଅପରାଧମୁକ୍ତ କରିବା ପାଇଁ ଏବେ ଆକ୍ସନ ଓରିଏଣ୍ଟେଡ଼୍ ହୋଇଛି । ବିଭିନ୍ନ ଅପରାଧରେ ଲିପ୍ତ ରହୁଥିବା କୁଖ୍ୟାତ ଅପରାଧିମାନଙ୍କୁ ଦମନ କରିବା ପାଇଁ ଏବେ କାର୍ଯ୍ୟାନୁଷ୍ଠାନକୁ ଅଧିକ ଜୋରଦାର କରିଛି । ଗତକାଲି ବିଳମ୍ପିତ ରାତ୍ରିରେ ତାଳବଣିଆ ଥାନା ପୋଲିସ୍ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଠାରୁ ଡକାୟତୀ ଯୋଜନା ଓ ସୁନା ଚେନ୍ ଲୁଟ୍ ପାଇଁ ଯୋଜନା ପ୍ରସ୍ତୃତ କରୁଥିବା ଏକ ୫ ଜଣିଆ ଡକାୟତୀ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହେବା ସହ ଡକାୟତ ଯୋଜନା ଉଦ୍ୟମକୁ ପଣ୍ଡ କରିଦେଇଛି । ଡକାୟତୀ ଯୋଜନା ପ୍ରସ୍ତୃତି ଅଭିଯୋଗରେ ପୋଲିସ୍ ୫ ଜଣ କୁଖ୍ୟାତ ଅପରାଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଅଭିଯୁକ୍ତମାନଙ୍କର ଜାମିନ ନାମଞ୍ଜୁର କରିବାରୁ ପୋଲିସ୍ ସେମାନଙ୍କୁ ଜେଲ୍କୁ ପଠାଇ ଦେଇଛି । ଏ ନେଇ ତାଳବଣିଆ ଥାନା ପକ୍ଷରୁ କେଶ୍ ନଂ ୨୧/୨୦୨୧ ଅନୁଯାୟୀ ଆଇପିସିର ଧାରା ୩୯୯, ୪୦୨, ୩୦୭ ଓ ୩, ୪, ୫ ଏକ୍ସପ୍ଲୋସିଭ୍ ସବ୍ଷ୍ଟାନ୍ସିଆଟ୍ ଆକ୍ଟ ବଳରେ ମାମଲା ରୁଜୁ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ନାମରେ ସହରର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ପରିଚୟ ହେଲା (୧) ବାବୁଲି ନାୟକ (୨୪) । ତା ଘର ପୁରୀ ପେଣ୍ଠକଟା ଥାନା ଅନ୍ତର୍ଗତ ମେରାଇନ୍ ଥନା ଅଟେ । (୨) ଆବୁଆ ଓରଫ ସନ୍ତୋଷ ସାହୁ (୨୬) । ତା ଘର ପୁରୀ ସଦର ଥାନା ଅନ୍ତର୍ଗତ ପିଳିପିଳା ଗ୍ରାମ ଅଟେ । (୩) କାବୁ ଓରଫ ପୂର୍ଣ୍ଣଚନ୍ଦ୍ର ପ୍ରଧାନ (୨୬) ଓ (୪) ବାବୁ ପ୍ରଧାନ (୨୭) । ଉଭୟ ଅଭିଯୁକ୍ତ ଦୁଇ ଭାଇ । ସେମାନଙ୍କ ଘର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ରାମଚଣ୍ଡୀ ସାହି ବାଲିକୁଦ ବସ୍ତି ଅଟେ । (୫) ଗିଲ୍ଟି କାଳୁ ଓରଫ କାଳିଆ ଓରଫ ସୁବାଷ ମହାନ୍ତି (୩୭) । ତା ଘର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଦରଜୀପୋଖରୀ ଛକ ଅଟେ । ଏ ସମ୍ପର୍କରେ ଜିଲ୍ଲା ଏସ୍ପି ଡକ୍ଟର କନ୍ୱର ବିଶାଲ ସିଂ ସୂଚନା ଦେଇ କହିଛନ୍ତିଯେ ଗତକାଲି ବିଳମ୍ବିତ ରାତ୍ରିରେ ତାଳବଣିଆ ଥାନା ପକ୍ଷରୁ ରାତ୍ରୀକାଳିନ ପେଟ୍ରୋଲିଂ କରାଯାଉଥିଲା । ଏହି ସମୟରେ ପୋଲିସ୍ ବିଶେଷ ସୂତ୍ରରୁ ପୋଲିସ୍ ଖବର ପାଇଥିଲା ଯେ କେତେକ କୁଖ୍ୟାତ ଅପରାଧି ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ଠାରୁ ଡକାୟତୀ କରିବା ଉଦେ୍ଧଶ୍ୟରେ ସ୍ଥାନୀୟ ମଧୁରଜଳ ସଂରକ୍ଷଣ ଅଞ୍ଚଳ ନିକଟସ୍ଥ ଏକ ଝାଉଁ ଜଙ୍ଗଲରେ ବିଭିନ୍ନ ମାରଣାସ୍ତ୍ରରେ ଏକତ୍ରିତ ହୋଇ ଯୋଜନା ପ୍ରସ୍ତୃତ କରୁଛନ୍ତି । ଖବର ପାଇ ତାଳବଣିଆ ଥାନା ପୋଲିସ୍ ଅତର୍କିତ ଭାବେ ସେଠାରେ ଚଢ଼ାଉ କରିଥିଲା । ପୋଲିସ୍କୁ ଦେଖି ଅଭିଯୁକ୍ତମାନେ ପୋଲିସ୍ ଉପରକୁ ବୋମା ଫିଙ୍ଗିଥିଲେ । ତେବେ ସୈାଭାଗ୍ୟ ବଶତଃ କୈାଣସି ପୋଲିସ୍ କର୍ମଚାରୀ ଆହତ ହୋଇନଥିବା ଜଣାପଡ଼ିଛି । ତେବେ ପୋଲିସ୍ ଘଟଣା ସ୍ଥଳରୁ ୫ ଜଣ ଡକାୟତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଘଟଣାସ୍ଥଳରୁ ପୋଲିସ୍ ୧ ଗୋଟି ଅଫୁଟା ହାତବୋମା, ୧ ଟି ଭୂଜାଲି, ୫ ଗୋଟି ମାସ୍କ, ୩ ଟି ଟର୍ଚ୍ଚ ଲାଇଟ୍, ୨ ଟି ଲୁହା ରଡ଼୍ ଜବତ କରିଛି । ଅଭିଯୁକ୍ତ କାବୁ ଓରଫ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ନାମରେ କୁମ୍ଭାରପଡ଼ା ଥାନାରେ ହତ୍ୟା, ଚୋରୀ, ଡକାୟତୀ, ହତ୍ୟା ଉଦ୍ୟମ ଭଳି ୧୩ ଗୋଟି ମାମଲା ରହିଛି । ସେହିପରି ବାଦଲ ନାୟକ ନାମରେ ପେଣ୍ଠକଟା ମେରାଇନ୍ ଥାନା, କୋଣାର୍କ ଥାନା ଓ ରାମଚଣ୍ଡୀ ଥାନାରେ ବିଭିନ୍ନ ଅପରାଧରେ ଜଡ଼ିତ ଥିବା ୪ ଗୋଟି ମାମଲା ରହିଛି । ଆବୁଆ ଓରଫ ସନ୍ତୋଷ ସାହୁ ନାମରେ ପୁରୀ ସଦର ଥାନାରେ ୧ ଗୋଟି ମାମଲା ରହିଛି । ବାବୁ ପ୍ରଧାନ ନାମରେ କୁମ୍ଭାରପଡ଼ା ଥାନାରେ ୯ ଗୋଟି ମାମଲା ରହିଛି । ସେହିପରି ଦରଜୀପୋଖରୀ ଛକର ଗିଲ୍ଟି କାଳୁ ଓରଫ କାଳିଆ ନାମରେ କୁମ୍ଭାରପଡ଼ା ଓ ସିଂହଦ୍ୱାର ଥାନାରେ ସର୍ବାଧିକ ୩୧ ଗୋଟି ମାମଲା ରହିଛି । ତେବେ ଗିରଫ ହୋଇଥିବା ପୂର୍ଣ୍ଣଚନ୍ଦ୍ର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ୍ କର୍ମଚାରୀମାନଙ୍କୁ ଧମକ ଦେଇ ପୋଲିସ୍ ହେପାଜତରୁ ଖସି ଯିବା ପାଇଁ ଉଦ୍ୟମ କରିଥିଲା । ଯାହାକୁ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀମାନେ ଅଟକାଇଥିଲେ । ତେବେ ପୋଲିସ୍ ସୁରକ୍ଷା ବଳରୁ ଖସି ନପାରିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରି ନିଜର ବାମହାତ ଓ ବେକରେ କ୍ଷତ ସୃଷ୍ଟି କରିଥିଲା । ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ୍ କର୍ମଚାରୀମାନେ ତୁରନ୍ତ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଚିକିତ୍ସା ପରେ ପୁନର୍ବାର ଥାନାକୁ ଅଣାଯାଇଥିଲା । ଏ ନେଇ ତାଳବଣିଆ ଥାନା ପକ୍ଷରୁ କେଶ୍ ନଂ ୨୨/୨୦୨୧ କ୍ରମେ ଭାରତୀୟ ପିଙ୍ଗଳ କୋଡର଼୍ର ଦଫା ୨୨୪, ୫୦୬, ୩୫୩, ୩୨୩, ୩୦୯ ଆଧାରରେ ଏକ ମାମଲା ରୁଜୁ ହୋଇଛି ।

Comments (0)
Add Comment