ପଶ୍ଚିମ ଓଡିଶାର ପ୍ରବାସୀ ଶ୍ରମିକଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବି

ବଲାଙ୍ଗୀର: କୋରୋନା ମହାମାରୀ ପରିସ୍ଥିତିରେ ସମଗ୍ର ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଏହାର ଅର୍ଥନୈତିକ ଅଧୋଗତିର ପ୍ରଭାବ ଦେଖିବାକୁ ମିଳିଛି ପଶ୍ଚିମ ଓଡିଶାରେ । ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ୱରୂପ ଗତ କିଛି ମାସ ମ୍ମରେ ଚାରି ଲକ୍ଷ ପ୍ରବାସୀ ଓଡିଶା ଫେରିବାକୁ ପଞ୍ଜିକରଣ କରିଥିବା ବେଳେ ଟି . ଏମ. ସି. ମାଧ୍ୟମରେ ପଶ୍ଚିମ ଓଡିଶାକୁ ଦୁଇ ଲକ୍ଷ ରୁ ଅଧିକ ଫେରିଥିବା ପ୍ରବାସୀ ଶ୍ରମିକ ପଞ୍ଜୀକରଣ କରିଛନ୍ତି । ପଶ୍ଚିମ ଓଡିଶାର ପ୍ରବାସୀ ମାନେ ମୁଖ୍ୟତଃ ଦଳିତ, ଆଦିବାସୀ, ପଛୁଆ ବର୍ଗ ତଥା ଭୁମିହୀନ ଏବଂ କୃଷି ଶ୍ରମିକ ଶ୍ରେଣୀର ଅଟନ୍ତି । ଏହି ଅଂଚଳରେ ଅଭାବି ସ୍ଥାନାନ୍ତରଣ, ଦାଦନ ବା ଋଣ ଜନିତ ଶ୍ରମ ସ୍ଥାନାନ୍ତରଣ ର ଅଂଚଳ ଭାବରେ ମଧ୍ୟ ପରିଚିତ । ସ୍ଥାନାନ୍ତରଣକୁ ହ୍ରାସ କରିବା ପାଇଁ ଓଡିଶା ସରକାର ପଶ୍ଚିମ ଓଡିଶାର ୬ ଟି ଜିଲ୍ଲା କୁ ଅଧିକ ପ୍ରବାସୀ ଶ୍ରମିକ ସ୍ଥାନାନ୍ତରଣ ପ୍ରବଣ ଜିଲ୍ଲା ଭାବରେ ଚିହ୍ନଟ କରିଛନ୍ତି । ଏହି ଶ୍ରମିକ ମାନେ ନିଜ ଘରକୁ ଫେରି ହାତ ବାନ୍ଧି ବସିଛନ୍ତି ।ବର୍ଷାର ଅଭାବ ଓ କୃଷି କ୍ଷେତ୍ରରେ କାର୍ଯ୍ୟର ଅଭାବ ସେମାନଙ୍କୁ ଜୀବନ ବଂଚାଇବାକୁ ଜୀବିକାକୁ ଗୁରୁତ୍ୱ ଦେବାକୁ ବାଧ୍ୟ କରୁଥିବାରୁ ରାଜ୍ୟ ସରକାର ନରେଗା ମଧ୍ୟାମରେ କାର୍ଯ୍ୟଦେବାକୁ ଘୋଷଣା କରିଛନ୍ତି । ତେବେ ଅନେକ କ୍ଷେତ୍ରରେ ଲୋକଙ୍କୁ କାମ ଦିଆ ନ ଯାଇ ମେସିନ ଦ୍ୱାରା କାମ କରାଯାଉଥିବାଦେଖିବାକୁ ମିଳୁଛି । ଏପରି ସମୟରେ ପଶ୍ଚିମ ଓଡିଶାର ଅଭାବୀ ସ୍ଥାନାନ୍ତରଣ କୁ ରୋକିବାକୁ କେତେକ ପଦକ୍ଷେପ ନେବାକୁ ଓ ଏ ଦିଗରେ କରିବା ସମୟରେ ସମଗ୍ର ଓଡିଶାର ଶ୍ରମଜୀବି ସ୍ଥାନାନ୍ତରଣକୁ ସମାନ ଯୋଜନାରେ ନ ରଖି ପଶ୍ଚିମ ଓଡିଶାର ଅଭାବି ସ୍ଥାନାନ୍ତରଣ ବା ଦାଦନ ସମସ୍ୟାକୁ ଅଲଗା ଭାବେଧ୍ୟାନ ଦେବାକୁ ଓଡିଶାର ମାନ୍ୟନର ମୁଖ୍ୟମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ଅନୁରୋଧ କରିଛି ପଶ୍ଚିମ ଓଡିଶା ମାଇଗ୍ରେସନ ନେଟୱର୍କ ।
ଗତ ଦୁଇ ଦଶନ୍ଧି ମଧ୍ୟରେ ଏହି ଅଂଚଳରେ ଲୋକଙ୍କ ଅସହାୟତା, ମରୁଡି ଓ ଅଭାବି ସ୍ଥାନାନ୍ତରଣକୁ ରୋକିବା ପାଇଁ ଅନେକ ସରକାରୀ ଯୋଜନା ସହିତ ଓଡିଶା ସରକାରଙ୍କ ପ୍ରମୁଖ ସରକାରୀ ବିଭାଗ ଯଥା ଶ୍ରମ ବିଭାଗ, ଏବଂ ଜିଲ୍ଲା ତଥା ରାଜ୍ୟ ବେଆଇନ ମାନବ ଚାଲାଣ ନିରୋଧି ୟୁନିଟ ଆଦି ବେଆଇନ ଶ୍ରମ ଚାଲାଣ କାରବାରକୁ ତଦାରଖ କରିବାରେ, ଦଣ୍ଡ ବିଧାନ କରିବା ଓ ଆଇନ କୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା ବେଳେ ସଂପ୍ରତି କୋରୋନା ପରିସ୍ଥିତିରେ ଏମ ଜି ଏନ ଆର ଇ ଜି ଏ କୁ ଶୃଙ୍ଖଳିତ କରିବା ଏବଂ ପ୍ରମୁଖ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ବନିମ୍ନ ମଜୁରୀ ଦର ବୃଦ୍ଧି ପାଇଁ ଓଡିଶା ସରକାରଙ୍କ ପଦକ୍ଷେପ କୁ ପ୍ରଶଂସା କରିଛି ପଶ୍ଚିମ ଓଡିଶା ମାଇଗ୍ରେସନ ନେଟୱର୍କ । କୋଭିଡ ଯୋଗୁଁ ମାର୍ଚ ୨୪ ରେ ସାରା ଦେଶରେ ଲକଡାଉନ ଘୋଷିତ ହୋଇଥିଲା ଏବଂ ଏହାର ପରବର୍ତି ଅବସ୍ଥାରେ ବହୁ ସଂଖ୍ୟକ ଘରଫେରନ୍ତା ପ୍ରବାସୀ ଶ୍ରମିକ ସମ୍ମୁଖୀନ ହୋଇଥିବା ଦୁଃଖ, ଯନ୍ତ୍ରଣା, ଭୋକ ଓ ବେରୋଜଗାର ପରିସ୍ଥିତିରୁ ସାଧାରଣ ଜୀବନ ବଂଚିବା ପାଇଁ ସଂଘର୍ଷ କରୁଥିବା ବେଳେ ଏହାକୁ ସୁଧାରିବାକୁ କେତେକ ଦୁରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ପଶ୍ଚିମ ଓଡିଶାରେ ପ୍ରବାସୀ ଶ୍ରମିକଙ୍କ ଅସହାୟତା ଜନିତ ସମସ୍ୟା ର ସମାଧାନ କରିବା ପାଇଁ ପଶ୍ଚିମ ଓଡିଶା ମାଇଗ୍ରେସନ ନେଟୱର୍କ ପ୍ରସ୍ତାବ ଦେଇଛି । ସମସ୍ତ ପ୍ରବାସୀ ମାନଙ୍କୁ ସଂଗରୋଧ ପରବର୍ତି ୨୦୦୦ ଟଙ୍କା ସହାୟତା ଘୋଷଣା ଅନୁସାରେ ତୁରନ୍ତ ଯୋଗାଇ ଦିଆଯିବା ସହିତ ଶ୍ରମ ନିଯୁକ୍ତି ପାଇଁ କଂଟ୍ରାକ୍ଟର ଦ୍ୱାରା ଦିଆଯାଉଥିବା ଅଗ୍ରୀମ ସହିତ ଜଡିତ ବେଆଇନ ଅର୍ଥ ହେରଫେରକୁ ରୋକିବା,ପଂଚାୟତ ସ୍ତରରେ ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକଙ୍କ ଉପରେ ନଜର ରଖିବା, ରୋକିବା ଏବଂ ପଞ୍ଜୀକରଣ କରିବା ପାଇଁ ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ ଆଇନ ଅନୁସାରେ ସରକାର ନୂତନ ନିର୍ଦେଶାବଳୀ ଜାରି କରିବା, ସମସ୍ତ ଗରିବ ଏବଂ ଅସୁରକ୍ଷିତ ପ୍ରବାସୀ ତଥା ସମ୍ଭାବ୍ୟ ପ୍ରବାସୀ ଶ୍ରମିକ ମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ପଞ୍ଜୀକୃତ କରିବା ଉଚିତ ଏବଂ ରିହାତି ଦରରେ ଖାଦ୍ୟ ଶସ୍ୟ ପ୍ରଦାନ କରିବା ,ଗର୍ଭ୍ବତୀ ଏବଂ ସ୍ତନ୍ୟପାନ କରାଉଥିବା ମା ମାନଙ୍କ ଉପଯୁକ୍ତ ଯତ୍ନ ନିଆଯିବା ଏବଂ ସଂଗରୋଧ ଅବଧି ସରିବା ପରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାପାଇଁ ପସ୍ତାବ ଦିଆଯାଇଛି ।
ଏହା ସହିତ ଆଗାମୀ ୬ ମାସ ପର୍ଯ୍ୟନ୍ତ ନିରନ୍ତର ୩୦୦ ଦିନର ନିଯୁକ୍ତି ଯୋଗାଇ ଦିଆଯିବାକୁ ଓ ସମସ୍ତ ପ୍ରବାସୀ ପିଲାମାନେ, ଯେଉଁମାନେ ଗ୍ରାମକୁ ଫେରିବା ପରେ ମୌଳିକ ଶିକ୍ଷାରୁ ବଂଚିତ ହୋଇଥିଲେ, ସେମାନଙ୍କୁ ପ୍ରତିକାର ଶିକ୍ଷା କିମ୍ବା ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଅଧିନରେ ନାମ ଲେଖାଇ ଆନୁଷ୍ଠାନିକ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରାଯିବାକୁ, ପଶ୍ଚିମ ଓଡିଶା ଜିଲ୍ଲାରେ ୨୦୦୦୦ ପିଲା ରହିବା ପାଇଁ ଋତୁକାଳିନ ଆବାସିକ ଶିକ୍ଷା ଯୋଜନା କରାଯିବା ସହିତ ସମସ୍ତ ଅଣକୁଶଳୀ ପ୍ରବାସୀ ଶ୍ରମିକଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକ କୌଶଳ ବିକାଶ ତାଲିମ ଏବଂ କର୍ମସଂସ୍ଥାନ କରାଯିବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ପ୍ରାଥମିକ କ୍ଷେତ୍ର (କୃଷି, ବାଉଁଶ ହସ୍ତଶୀଳ୍ପ, ଉଦ୍ୟାନ କୃଷି, ମତ୍ସ୍ୟଚାଷ, ଜଙ୍ଗଲଯାତ ଦ୍ରବ୍ୟ, କୁକୁଡା ପାଳନ ଆଦି) ଉପରେ ନିବେଶ, ଋଣ ବ୍ୟବସ୍ଥା, ଚାକିରି ସୃଷ୍ଟି ଓ ମାର୍କେଟିଂ ଉପରେ ସର୍ବାଧିକ ପ୍ରାଧାନ୍ୟତା ଦେବାକୁ ମଧ୍ୟ କୁହାଯାଇଛି । ଏହା ସହିତ କ୍ଷୁଦ୍ର ଜଳସେଚନକୁ ପ୍ରୋତ୍ସାହନ , ପ୍ରବାସୀ ଶ୍ରମିକ ପରିବାର ଗୁଡିକର ଜୀବିକା ସୁଯୋଗକୁ ପୁନର୍ଜୀବିତ କରିବା ପାଇଁ ଦୀର୍ଘସ୍ଥାୟୀ ଜୀବିକା ପ୍ରୋତ୍ସାହନ କୁ ଗୁରୁତ୍ୱ ଦେଇ ଗ୍ରାମସ୍ତରରେ ଯୋଜନା ପ୍ରସ୍ତୁତ କରିବା, ଆଇନ ପ୍ରଣୟନକାରୀ ସଂସ୍ଥା ଦ୍ୱାରା ଅସାଧୁ ଶ୍ରମିକ ଠିକାଦାର ଏବଂ ବେପାରୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବାକୁ ଦାବି କରାଯାଇଛି ।

Comments (0)
Add Comment