ପାଠକ ଠକେଇର ତଦନ୍ତ ଆରମ୍ଭ

ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ତନାଘନା

ଭୁବନେଶ୍ୱର: କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଏବେ ଜେଲ୍ରେ ଥିବା ବରିଷ୍ଠ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ଦୁର୍ନୀତି ତଥା ଠକେଇ କାରନାମା ନେଇ ଦିନକୁ ଦିନ ନୂଆ ତଥ୍ୟମାନ ଲୋକଲୋଚନକୁ ଆସିବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ଆକାଶ ପାଠକ ଟାଟା ମୋଟର୍ସରେ ଚାକିରି କରାଇଦେବା ପାଇଁ ବହୁ ଯୁବକ ଯୁବତୀଙ୍କଠାରୁ କରିଥିବା ଲକ୍ଷ ଲକ୍ଷ ଟଙ୍କା ଠକେଇ ସମ୍ପର୍କରେ ତଦନ୍ତ ପାଇଁ ବ୍ରହ୍ମପୁରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍ । ଯେଉଁ ଯୁବକ ଯୁବତୀ ଠକେଇ ଶିକାର ହୋଇଛନ୍ତି, ସେମାନଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଭେଟିବା ସହ ତଥ୍ୟ ସଂଗ୍ରହ କରିବ ବୋଲି ଜଣାଯାଇଛି । କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ଆଜି ବ୍ରହ୍ମପୁର ଆଖପାଖ ଅଞ୍ଚଳରେ ଠକେଇର ଶିକାର ହୋଇଥିବା କେତେକ ଯୁବକ ଯୁବତୀଙ୍କ ଠାରୁ ବୟାନ ରେକର୍ଡ କରିଥିବା ଜଣାଯାଇଛି । ସେପଟେ ପୁଅ ଆକ୍ରାଶ ପାଠକଙ୍କ କଳା କାରନାମା ବିରୋଧରେ ପୂର୍ବରୁ ମଧ୍ୟ ସଙ୍ଗୀନ ଅଭିଯୋଗ ଆସିଥିଲା । ପୁଅ ଆକାଶଙ୍କ ବିରୋଧରେ କ୍ରାଇମବ୍ରାଞ୍ଚରେ ଠକେଇ ଓ ଜାଲିଆତି ଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଥିଲା । ଏନେଇ କ୍ରାଇମବ୍ରାଞ୍ଚ ଆଇଜିଙ୍କୁ ପତ୍ର ଲେଖି ଫେରାଦ ହୋଇ ଥିଲା ଟାଟା ମୋଟର୍ସ । ଆକାଶଙ୍କ ବିରୋଧରେ ଏଫଆଇଆର ମଧ୍ୟ ରୁଜୁ ହୋଇଥିଲା । ହେଲେ ପୁଅ ମାସିକ କୋଟିଏ ଦରମା ବୋଲି କହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭୟକାନ୍ତ ପାଠକ । ଏଥିସହ ଠକେଇ ହୋଇନି । ସବୁ କିଛି ଯଥାର୍ଥ ଅଛି ବୋଲି ମଧ୍ୟ ଦୃଢୋକ୍ତି ବାଢିଛନ୍ତି । ଅପରପକ୍ଷେ, ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଭୁବନେଶ୍ୱରର ୫ଟି ଏବଂ ମୁମ୍ବାଇ ଓ ପୁଣେର ୭ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ । ଏହିଭଳି ଏକକାଳୀନ ୧୩ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା । ଅଭୟକାନ୍ତଙ୍କ ସମ୍ପତି, ଗୋଟିଏ ପରେ ଗୋଟିଏ ଦାମୀ ଗାଡି, ଆଲିସାନ୍ ଫ୍ଲାଟ୍ ଆଉ ଫାର୍ମ ହାଉସ୍ ସଂପର୍କୀୟ ଓ ଡ୍ରାଇଭରଙ୍କ ନାଁରେ ବି ଠୁଳ ହୋଇଥିବା ସମ୍ପତି ଦେଖାଇ ଭିଜିଲାନ୍ସ ଅଧିକାରୀ ମଧ୍ୟ ତାଜୁବ ହୋଇଗଲେ । ଭିଜିଲାନ୍ସ ଚଢାଉରୁ ଏପରି ଅମାପ ସଂପତିର ପତା ମିଳିବା ପରେ ବଢିଛି ଅଭୟକାନ୍ତ ପାଠକଙ୍କ ଅଡୁଆ । କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସେ ଛନ୍ଦି ହୋଇ ପଡିଛନ୍ତି ।

Comments (0)
Add Comment