ବ୍ରହ୍ମପୁର: ଗୋପାଳପୁର ନିର୍ବାଚନମଣ୍ଡଳୀର ୬୮ ଜଣ ଯୁବକଯୁବତୀଙ୍କୁ ଟାଟା ମୋଟର୍ସରେ ଚାକିରି ଦେବା ନାରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଂଚ । ଏହି ଠକେଇ ମାମଲାରେ ଆକାଶ ପାଠକଙ୍କ ସହ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିବାରୁ ଆଜି ୩ ବିଜେଡି ନେତାଙ୍କ ସମେତ ଠକେଇର ଶିକାର ହୋଇଥିବା ୫ ଜଣଙ୍କୁ ଡାକି ମାରାଥନ୍ ଜେରା କରାଯାଇଛି । ତଦନ୍ତରୁ କ୍ରାଇମବ୍ରାଂଚ ହାତରେ ବେଶ୍ କିଛି ଅତି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା କୁହାଯାଉଛି । ପୋଲିସ ଓ ଭିଜିଲାନ୍ସ କ୍ରାଇମବ୍ରାଂଚକୁ ଏଥିରେ ସହଯୋଗ କରୁଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି । ଠକେଇ ଶିକାର ଯୁବକମାନଙ୍କୁ ମୁହଁ ନ ଖୋଲିବା ପାଇଁ ଧମକଚମକ ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ପ୍ରଦୀପଙ୍କ ଲିଙ୍କରେ କଂଗ୍ରେସ ଦୁଇ ଜଣଙ୍କ ନାମରେ ଅଭିଯୋଗ ଆଣିଥିବା ବେଳେ ବିଜେପି ୫ ଜଣଙ୍କ ନାମରେ ଲିଖିତି ଅଭିଯୋଗ ଆଣି ଏସ୍ପିଙ୍କୁ ଦାବିପତ୍ର ଦେଇଛି । କ୍ରାଇମବ୍ରାଂଚ ଏହି ବ୍ୟକ୍ତିମାନଙ୍କୁ ଖୁବ୍ ଶୀଘ୍ର ଉଠାଇ ଆଣିପାରେ ବୋଲି କୁହାଯାଉଛି । ସମୁଦାୟ ୬୮ ଜଣ ଠକେଇ ଶିକାର ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏମାନଙ୍କ ଭିତରେ ଟାଟା ବିସ୍ଥାପିତ କଲୋନିର ପ୍ରାୟ ୭/୮ ଜଣ ରହିଛନ୍ତି । ତଦନ୍ତ ଜୋର ଧରିବା ପରେ ଏହା ଭିତରେ ସେମାନଙ୍କୁ ଅର୍ଥ ଫେରାଇ ଦିଆଯିବ ବୋଲ ପ୍ରତିଶ୍ରୁତି ମିଳିଥିବା ଚର୍ଚ୍ଚା ଜୋର୍ ଧରିଛି । ତେଣୁ ଅର୍ଥ ମିଳିଯିବ । ଆଶାରେ କିଛି ଲୋକ ମଧ୍ୟ ମୁହଁ ଖୋଲୁ ନ ଥିବା କୁହାଯାଉଛି ।