ପାରାଦୀପ-ହରିଦାସପୁର ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଦାବିରେ ଟ୍ରେନ୍ ରୋକି ବିକ୍ଷୋଭ

କେନ୍ଦ୍ରପଡ଼ା: ପାରାଦୀପ-ହରିଦାସପୁର ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଦାବିରେ ଲୋକମାନେ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥାକୁ ଓହ୍ଲାଇଛନ୍ତି । ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମାଲବାହୀ ଟ୍ରେନକୁ ଲୋକେ ନୂଆଗାଁ ଷ୍ଟେସନଠାରେ ଅଟକାଇ ଦେଇଛନ୍ତି । ଫଳରେ, ପାରଦୀପରୁ କୋଇଲା ନେଇ ଆସୁଥିବା ଟ୍ରେନଟି ଅଧା ବାଟରେ ଅଟକି ରହିବା ପରେ ସନ୍ଧ୍ୟାରେ ପୁଣି ଲେଉଟି ଯାଇଛି । ଦିନ ପ୍ରାୟ ସାଢେ଼ ୧୧ଟାରେ ପାରଦୀପ ପଟୁ କୋଇଲା ନେଇ ୬୦ ବଗି ବିଶିଷ୍ଟ ଏହି ମାଲବାହୀ ଟ୍ରେନଟି ନୂଆଗାଁ ନିକଟରେ ପହଂଚିବା ବେଳକୁ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଜନସାଧାରଣ ଓ ଲୋକପ୍ରତିନିଧି ଏହାକୁ ଅଟକାଇ ଥିଲେ । ଉକ୍ତ ରେଳପଥ ଦେଇ ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବିରେ ଷ୍ଟେସନମାଷ୍ଟର ବାବୁଲି ଚରଣ ମଲ୍ଲିକଙ୍କୁ ଏକ ସ୍ମାରକପତ୍ର ଦେଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସନ୍ଧ୍ୟା ପ୍ରାୟ ୬ଟା ପାର୍ଯ୍ୟନ୍ତ ମାଲବାହୀ ଟ୍ରେପଟିକୁ ଅଟକାଇ ରଖିଥିଲେ । ରେଳବାଇ ପୋଲିସ ଓ ଷ୍ଟେସନମାଷ୍ଟର ଆନ୍ଦୋଳନକାରୀଙ୍କୁ ଯେତେ ବୁଝାସୁଝା କରିଥିଲେ ବି ସେମାନେ କର୍ଣ୍ଣପାତ କରି ନ ଥିଲେ । ଫଳରେ ଟ୍ରେନ୍ଟି ପାରଦୀପ ଫେରିଯାଇଥିବା ଜଣାପଡିଛି । ମହାକାଳପଡ଼ା ବ୍ଲକ ଉପାଧ୍ୟକ୍ଷ ରଶ୍ମିରଂଜନ ମହାପାତ୍ର, ପୂର୍ବତନ ଜିଲ୍ଳା ପାରିଷଦ ସଭ୍ୟ ଜ୍ୟୋତି ରଂଜନ ଖଟୁଆ, ଗଡରୋମିତ ସରପଂଚ ଉରା ତରାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସରୋଜିନୀ ସେଠୀ, ଜୟଚନ୍ଦ୍ରପୁର ସରପଂଚ ପ୍ରଦୀପ ବେହେରା, ବିଦ୍ୟାଧର ସ୍ୱାଇଁ, ଅରକ୍ଷିତ ବେହେରା, ହେମନ୍ତ ସାହୁ, ବଟକୃଷ୍ଣ ସାହୁ, ବିଭୂତି ସ୍ୱାଇଁ, ପତିତପାବନ ସାହୁ, ବଂଶୀଧର ସେଠୀ, ପତିତପାବନ ବାରିକ, ଦୀପକ ଦାସ ପ୍ରମୁଖ ଏହି ରେଳରୋକରେ ସାମିଲ୍ ଥିଲେ । ମାଲବାହୀ ଟ୍ରେନକୁ ଅଟକାଇବା ସମ୍ପର୍କରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ବିଜୁ ବାବୁ, ନବୀନ ପଟ୍ଟନାୟକ ଓ ଅଂଚଳବାସୀଙ୍କ ସ୍ୱପ୍ନ ସ୍ପଷ୍ଟ କରୁନାହାନ୍ତି । ସେହିପରି, ଭାରତୀୟ ରେଳଯାତ୍ରୀ ସେବା ସମିତିର ସଦସ୍ୟ ତଥା ବିଜେପି ନେତା ବିଷ୍ଣୁ ଦାସଙ୍କ କହିବାନୁଯାୟୀ, ନିକଟରେ ଭିଡିଓ କନଫରେନସିଂ ଜରିଆରେ ରେଲୱେ ବୋର୍ଡ ବୈଠକରେ ଉକ୍ତ ରେଳପଥ ଦେଇ ଯାତ୍ରୀବାହୀ ଟ୍ରେନ ଚାଳାଚଳ ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ପ୍ରକାଶଥାଉକି, ପାରାଦୀପରୁ ପରୀକ୍ଷାମୂଳକ ଭାବେ ହରିଦାସପୁର-ପାରଦୀପ ରେଳଲାଇନ ଏକ ମାଲବାହୀ ଟ୍ରେନ୍ ଗଡ଼ିଛି । ଏଚ୍ଏସ୍ପିଜି ନାମକ ଏହି ଟ୍ରେନ୍ ଦିନ ୧୧ଟା ୧୫ରେ ପାରାଦୀପ ଛାଡ଼ିଥିଲା । ଏଥିରେ ୫୮ଟି ବଗି ଥିବାବେଳେ ଗୋଟିଏ ବ୍ରେକ୍ ଭ୍ୟାନ ରହିଛି । ପାରଦୀପରୁ କୋଇଲା ନେଇ ଏହି ଟ୍ରେନ୍ ରାଉରକେଲା ଯାଉଥିଲା । ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀମାନେ ଟ୍ରେନ ଯାତ୍ରାର ଭର୍ଚୁଆଲ ଉଦ୍ଘାଟନ କରିଥିଲେ ।

Comments (0)
Add Comment