ପୁଣି ଫେରିଲା ଶୀତ : ଫୁଲବାଣୀ ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟରୁ ପୁଣି ଶୀତ ଫେରିଛି । ଶୀତ ସହ ଘନ କୁହୁଡି ଯୋଗୁଁ ସାଧାରଣ ଜୀବନ ଯାତ୍ରା ଏକ ପ୍ରକାର ବିପର୍ଯ୍ୟସ୍ଥ ହୋଇପଡିଛି । ବିଶେଷ କରି ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳବର୍ତୀ ଅଞ୍ଚଳରେ ପାରଦ ଆଖିଦୃଶିଆ ଭାବେ ହ୍ରାସ ପାଇଛି । ଦିନକରେ ତାପମାତ୍ରା ପାଖାପାଖି ୭ ଡିଗ୍ରି ପର୍ଯ୍ୟନ୍ତ ଖସି ଯାଇଛି । ବଲାଙ୍ଗୀରରେ ରାତି ତାପମାତ୍ରା ସର୍ବାଧିକ ୭.୪ ଡିଗ୍ରି ଖସି ଯାଇଥିବା ବେଳେ ସୋନପୁରଠାରେ ୬.୬ ଡିଗ୍ରି ତଳକୁ ଖସିଛି । ସେହିଭଳି ଭୁବନେଶ୍ୱରରେ ରାତ୍ରି ତାପମାତ୍ରା ୫.୨ ଡିଗ୍ରି ଖସିଥିବା ବେଳେ କଟକରେ ୪.୪ ଡିଗ୍ରି ଖସିଛି । ଫଳରେ ପୂରା ରାଜ୍ୟରେ ପୁଣିଥରେ ଶୀତ ଅନୁଭୂତ ହୋଇଛି । ଗତରାତିରୁ ଆରମ୍ଭ ହୋଇଥିବା ଏହି (ତାପମାତ୍ରା କମିବା) ପ୍ରକ୍ରିୟା କିନ୍ତୁ ବେଶିଦିନ ପାଇଁ ନୁହେଁ । ୨୪ ତାରିଖରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ପୁଣି ବଢିବା ଆରମ୍ଭ କରିବ । ୨୪ ପରଠାରୁ ୩ରୁ ୪ଦିନ ପର୍ଯ୍ୟନ୍ତ ତାପମାତ୍ରା ପ୍ରାୟ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଫଳରେ ଶୀତ ପ୍ରକୋପ କମିବ । ବର୍ତମାନ ରାଜ୍ୟରେ କୁହୁଡି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ଦକ୍ଷିଣ ଓଡିଶାର ଉପକୂଳବର୍ତୀ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି ।
କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଂଟାରେ ଓଡିଶାର ପାଗ ମୁଖ୍ୟତଃ ଶୁଖିଲା ଥିଲା । ସର୍ବନିମ୍ନ ରାତ୍ରି ତାପମାତ୍ରା ଫୁଲବାଣୀଠାରେ ୭ ଡିଗ୍ରି ସେଲ୍ସିୟସ୍ ରେକର୍ଡ ହୋଇଛି । ଏହାଛଡା ରାଜ୍ୟର ଆଉ ଦୁଇଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ ହୋଇଛି । ଝାରସୁଗୁଡାଠାରେ ୮.୬ ଡିଗି୍ର ଓ ଦାରିଂବାଡିଠାରେ ୧୦ ଡିଗ୍ରି ରେକର୍ଡ ହୋଇଛି । ରାତ୍ରି ତାପମାତ୍ରାରେ ଆସନ୍ତା ୨୪ ଘଂଟାରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ । କିନ୍ତୁ ଏହା ପରେ ୩ରୁ ୪ ଦିନ ମଧ୍ୟରେ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଅର୍ଥାତ୍ ରାଜ୍ୟରେ ଶୀତର ପ୍ରକୋପ କମିବ । ଆଜି ସକାଳେ ଭୁବନେଶ୍ୱରଠାରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକରେ ୧୩.୫ଡିଗ୍ରି ରେକର୍ଡ ହୋଇଛି ।

Comments (0)
Add Comment