ପୁରୀ ରଥଯାତ୍ରା ଏଥର ବି ବିନା ଭକ୍ତରେ

ପୁରୀ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ବର୍ଷ ବିନା ଭକ୍ତରେ ହେବ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପୂର୍ବରୁ ସବୁ ସେବାୟତଙ୍କୁ ଦିଆଯିବ କରୋନା ପ୍ରତିଷେଧକ ଟିକା । ରଥଯାତ୍ରା ସହ ସଂପୃକ୍ତ ସେବାୟତଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଆବଶ୍ୟକ ପଡିଲେ ସେମାନଙ୍କୁ ଶ୍ରୀମନ୍ଦିର ଭକ୍ତନିବାସରେ ସଙ୍ଗରୋଧରେ ରଖାଯିବ । ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱ ସବୁ ସେବାୟତଙ୍କୁ କରୋନା ଟିକା ଦିଆଯିବ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ରଥଯାତ୍ରା ସହ ସଂପୃକ୍ତ ସେବାୟତଙ୍କୁ ୧୬ ତାରିଖଠାରୁ ପ୍ରତିହାରୀ ନିଯୋଗ ବୈଠକ ଘର ଏବଂ ବୈକୁଣ୍ଠଧାମ ଲଜିଂରେ ଟିକା ଦିଆଯିବ । ରଥ ଟାଣିବାକୁ ଆଗ୍ରହୀ ସେବାୟତଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ ହୋଇଛି । ରଥଯାତ୍ରାରେ ସାମିଲ କରାଯିବ । ଗତବର୍ଷ ପରି ଚଳିତବବର୍ଷ ମଧ୍ୟ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରାରେ ପାଳିଆ ସେବାୟତଙ୍କ ସମେତ ଅଳ୍ପ ସଂଖ୍ୟକ ଅଧିକାରୀ ଏବଂ ପୋଲିସ କର୍ମଚାରୀ ଅଂଶଗ୍ରହଣ କରିବେ । କରୋନା କଟକଣା ସହ ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା, ବାହୁଡା, ସୁନାବେଶ ଏବଂ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ । ଦାରୁବ୍ରହ୍ମ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ବିଜେ କରିବା ବେଳେ କୌଣସି ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ । ଏ ସମ୍ପର୍କରେ ଆଦୁଷ୍ଠାନିକ ଭାବେ ଘୋଷଣା କରାଯାଇ ନଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ବିନାଭକ୍ତରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ୨ ଶହରୁ ଊର୍ଦ୍ଧ୍ୱ ମହାରଣା, ଭୋଇ, ଚିତ୍ରକାର, ରୂପକାର, ଦରଜି ଏବଂ ଓଝା ସେବକଙ୍କୁ କରୋନା ଟିକା ଦିଆଯାଇଛି । ରଥଖଳା ଚତୁଃପାଶ୍ୱର୍ରେ କନାବାଡ କରାଯିବା ସହ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ମନ୍ଦିର ପ୍ରଶାସନ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ବିନାଭକ୍ତରେ ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ଗତବର୍ଷ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଇଥିଲେ । ଚଳିତବର୍ଷ ସେହିପରି ଶ୍ରୀଜୀଉଙ୍କ ରଥଯାତ୍ରା କରାଯିବା ଯଥେଷ୍ଟ ସମ୍ଭାବନା ରହିଛି । ପୁରୀ ରଥଯାତ୍ରା ସହ ବିଶ୍ୱର କୋଟି କୋଟି ଲୋକଙ୍କ ଭାବାବେଗ ଜଡିତ ଥିବାରୁ ଦୂରଦର୍ଶନରେ ତାହାର ସିଧା ପ୍ରସାରଣ କରାଯିବ । ଅକ୍ଷୟ ତୃତୀୟା ତିଥିରେ ଶନିବାର ଶ୍ରୀଜୀଉଙ୍କ ରଥ ନିର୍ମାଣ ଅନୁକୂଳ ଏବଂ ଚନ୍ଦନଯାତ୍ରା ବିନାଭକ୍ତରେ କରାଯିବ । ଏଥିପାଇଁ ପୁରୀ ବଡ଼ଦାଣ୍ଡ ସମେତ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି କରାଯାଇଛି । ରଥନିର୍ମାଣ ଏବଂ ଚନ୍ଦନଯାତ୍ରା ସହ ସଂପୃକ୍ତ ସେବାୟତଙ୍କୁ ଅନୁମତିପତ୍ର ପ୍ରଦାନ କରାଯାଇଛି । ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଜଳକ୍ରୀଡା କରିବେ । ଲୋକଙ୍କ ସମାଗମ ରୋକିବା ପାଇଁ ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ପୁରୀ ବଡ଼ଦାଣ୍ଡ ସମେତ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାଶ୍ୱର୍ରେ ଜାରି କରାଯାଇଛି ୧୪୪ ଧାରା । ଏହି କଟକଣା ଅକ୍ଷୟ ତୃତୀୟା ସମେତ ଜୁନ୍ ୪ ତାରିଖ ଭଉଁରିଯାତ୍ରା ଦିନ କଡାକଡି କାର୍ଯ୍ୟକାରୀ କରାଯିବ । ଜିଲ୍ଲାପାଳ ସମର୍ଥ ବର୍ମା ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

Comments (0)
Add Comment