ଭୁବନେଶ୍ୱର: କୋଭିଡ଼୧୯ ସଂକ୍ରମଣ ଯୋଗୁଁ ସଙ୍କଟାପନ୍ନ ପରିସ୍ଥିତିରେ ପୂର୍ବ ତଟ ରେଳପଥ ରୋଗୀ ମାନଙ୍କ ଜୀବନ ରକ୍ଷା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ) ପରିବହନ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ରେଳପଥ ହୋଇ ପାରିଛି । ଭାରତୀୟ ରେଳବାଇ ଦ୍ୱାରା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ଚଳାଚଳ ଠାରୁ ତଥା ୨୨ ଏପ୍ରିଲରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୨୭ ଦିନରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଷ୍ଟିଲ୍ ପ୍ଲାଂଟରୁ ପ୍ରାୟ ୨୦୧୩.୨୪ ଟନ୍ ତରଳ ମେଡିକାଲ ଅକ୍ସିଜେନ ଦେଶର ବିଭିନ୍ନ ରାଜ୍ୟକୁ ପରିବହନ କରାଯାଇଛି ।
ପୂର୍ବତଟ ରେଳପଥ ଦ୍ୱାରା ୪୫୧.୯୩ ଟନ୍ ତରଳ ମେଡିକାଲ ଅକ୍ସିଜେନ ମହାରାଷ୍ଟ୍ରକୁ, ୭୫୦.୬୧ ଟନ୍ ଦିଲ୍ଲୀ ଏବଂ ହରିୟାଣାକୁ, ୧୧୭.୯ ଟନ୍ କେରଳକୁ, ୪୫୧.୭୮ ଟନ୍ ତେଲେଙ୍ଗାନାକୁ, ୧୨୦ ଟନ୍ ତାମିଲନାଡୁକୁ ଏବଂ ୧୨୦.୯୮ ଟନ୍ କର୍ଣ୍ଣାଟକକୁ ପରିବହନ କରାଯାଇଛି । ଅନୁଗୁଳ ସ୍ଥିତ ଟାଟା ଭୂଷଣ ଲିମିଟେଡ ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଏବଂ କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲ ଲିମିଟେଡ ଭଳି ଇସ୍ପାତ କାରଖାନା ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅମ୍ଳଜାନ ବୋଝେଇ ଓ ପରିବହନ କ୍ଷେତ୍ରରେ ପ୍ରମୁଖ ଅବଦାନ ରଖିଛନ୍ତି । ବର୍ତମାନ ପର୍ଯ୍ୟନ୍ତ, ୧୨୪ ଟ୍ୟାଙ୍କରରେ ଲୋଡ୍ ହୋଇଥିବା ୩୧ ଟି ଅକ୍ସିଜେନ ଏକ୍ସପ୍ରେସ ଟ୍ରେନ୍ ଏହି ମହାମାରୀରେ ରୋଗୀଙ୍କ ଜୀବନ ବଂଚାଇବା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ରାଜ୍ୟକୁ ତରଳ ମେଡିକାଲ ଅକ୍ସିଜେନ ଯୋଗାଇବାରେ ବ୍ୟବହାର କରାଯାଇଛି ।
ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅକ୍ସିଜେନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ସୁରକ୍ଷିତ ଚଳାଚଳ ଏବଂ ଏହି ଟ୍ରେନଗୁଡ଼ିକୁ ଶୀଘ୍ର ଗନ୍ତବ୍ୟ ସ୍ଥାନ ଗୁଡିକରେ ପହଂଚାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରାଯିବା ସହିତ ଏହି ଅଂଚଳକୁ ଗ୍ରୀନ କରିଡର ଘୋଷଣା କରାଯାଇଛି । ଏହା ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ଷ୍ଟିଲ୍ ପ୍ଲାଂଟଗୁଡିକରୁ ଗନ୍ତବ୍ୟ ସ୍ଥାନକୁ ପରିବହନ କରାଯାଉଥିବା ଅମ୍ଳଜାନ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ମଧ୍ୟ ନିରାପଦ ଚଳାଚଳକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି ।