ପୋକ ଖାଉଛି ଫସଲ ଧାରଣାରେ କୃଷି କର୍ମଚାରୀ

ମାଲକାନଗିରି : ଗତ କିଛି ଦିନ ଧରି ରାଜ୍ୟରେ କୃଷି କର୍ମଚାରୀଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି। ଏପରିକି ରକ୍ତ ଦାନ କରି ନିଜର ଦାବି ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ଗୋଟିଏ ପଟେ କୃଷି କର୍ମଚାରୀ ୭ ଦଫା ଦାବି ଜଣାଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ବେଳେ। ଏପଟେ କିନ୍ତୁ ଚାଷୀଙ୍କ ମୁଣ୍ଡରେ ଏବେ ଘେରିଛି ଚିନ୍ତା। କିଛି ଏଭଳି ଦୃଶ୍ୟ ଏବେ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ଗୁମୁକା ଗ୍ରାମ ପଞ୍ଚାୟତର ଏମପିଭି ୧୪ ଏବଂ ଏମପିଭି ୧୫ ଗ୍ରାମରେ ଶହଶହ ଏକର ବାଦାମ ଚାଷ କରାଯାଇଛି। ଆଉ କିଛି ଦିନ ବିତିଗଲେ ବାଦାମ ଫଳିବାରେ ଲାଗିବ। ଏଭଳି ମୂହୁର୍ତ୍ତ ରେ ସବୁଜ ବାଦାମ ଖେତରେ ଲାଗିଛି ପୋକ। କାରଣ ଗଛର ସବୁଜ ପତ୍ରରେ ବିଭିନ୍ନ ପ୍ରଜାତିର ପୋକ ଗଛକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେବାକୁ ବସିଲାଣି। ଯାହାଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଲେଣି । ଚାଷୀଙ୍କ କହିବା ଅନୁସାରେ ପୂର୍ବରେ V.A.W ମାନେ ଆସି ଚାଷୀଙ୍କ ଫସଲର ସମସ୍ୟା କିଟନାଶକ ଉପରେ ଗୁରୁତ୍ଵ ଦେଉଥିବା ବେଳେ ସେମାନେ ମଧ୍ୟ ଚାଷୀ ମାନଙ୍କ କଥା ଏବେ ବୁଝୁନାହାନ୍ତି, ଏପରିକି ଫୋନ ମଧ୍ୟ ରିସିଭ କରୁନଥିବା ଅଭିଯୋଗ କରିଛନ୍ତି ଚାଷୀ। ଅନ୍ୟପଟେ କେବେ ରାଜ୍ୟ ସରକାର କୃଷି କର୍ମଚାରୀ ସଂଘ କରିଥିବା ଦାବିକୁ ଗ୍ରହଣ କରିବେ। ତାହା ତ ସମୟ ହିଁ କହିବ। କିନ୍ତୁ ଧାର କରଜ କରିବା ସହିତ ମୁଣ୍ଡର ଝାଳ ତୁଣ୍ଡରେ କରି ଚାଷୀ କରିଥିବା ଫସଳ ଯଦି ଏବେ ନଷ୍ଟ ହୋଇଯାଏ ଦାୟୀ ରହିବ କିଏ ତାହା ଏବେ ବଡ଼ ପ୍ରଶ୍ନ। ଏପଟେ ଚାଷୀଙ୍କ ଫସଲ ନଷ୍ଟକୁ ନେଇ ଧାରଣା ସ୍ଥଳରେ ବସିଥିବା କୃଷି କର୍ମଚାରୀଙ୍କୁ ପଚାରିବାରୁ, ଚାଷୀଙ୍କ ଏଭଳି ଦୁର୍ଦ୍ଦଶା ପାଇଁ ସେମାନେ ଦୁଃଖିତ ବୋଲି କହିବା ସଙ୍ଗେ ସଙ୍ଗେ ଆମର ମଧ୍ୟ ପରିବାର ଅଛି। ଆମର ଦାବିକୁ  ରାଜ୍ୟ ସରକାର ଅଣଦେଖା କରୁଥିବା କାରଣରୁ ଆମେ ମଧ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରେ ରହିବାକୁ ବାଧ୍ୟ ବୋଲି କହିଛନ୍ତି କୃଷି କର୍ମଚାରୀ ଭୁପେଶ କୁମାର ଷଡ଼ଙ୍ଗୀ। ଚାଷୀଙ୍କ ଫସଲ ନଷ୍ଟ ତଥା ବାଦାମ ଗଛକୁ ପୋକ ଖାଉଥିବା ସମସ୍ୟା ନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁରିଆ କୁମାର ରାଓ ଙ୍କୁ ପଚାରିବାରୁ ସେ ଚାଷୀଙ୍କ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବେ ତତ୍ ସହିତ ଜିଲ୍ଲା କୃଷି କର୍ମଚାରୀ ଧାରଣାରତ ରହିଥିବା କାରଣରୁ ଏହାର ବିକଳ୍ପ ଉପାୟରେ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

Comments (0)
Add Comment