ପ୍ରକାଶ ପାଇଲା ଓଷ୍ଟା ଦଶମ ଶ୍ରେଣୀ ଟେଷ୍ଟ ପେପର୍ସ

କଟକ : ସମ୍ପ୍ରତି ୨୦୨୧ ମସିହାରେ ଦଶମ ଶ୍ରେଣୀ ବୋଡର଼୍ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସଂଶୋଧିତ ପାଠ୍ୟଖସଡ଼ା ଅନୁଯାୟୀ ଓଷ୍ଟା ଟେଷ୍ଟ ପେପର୍ସ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ବଜାରରେ ଉପଲବ୍ଧ ହେବାକୁ ଯାଉଛି । କରୋନା ଜନିତ କଟକଣା ସମୟରେ ବିଦ୍ୟାଳୟ ସବୁ ବନ୍ଦ ଥିବା ହେତୁ ଏହି ପିଲାମାନଙ୍କର ପାଠପଢ଼ାକୁ ସୁନିଶ୍ଚିତ କରିବା ପାଇଁ ଜି ଓଡ଼ିଶା ଟିଭି ମାଧ୍ୟମରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଏକ ଜୀବନ୍ତ ଶିକ୍ଷାଦାନ ବ୍ୟବସ୍ଥା ହାତକୁ ନେଇଛି ବୋଲି ଓଷ୍ଟାର ସାଧାରଣ ସଂପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ପ୍ରକାଶଥାଉକି, ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) କେବଳ ଶିକ୍ଷକ ମାନଙ୍କର ପେଟ ପାଟଣାର ଦାବି ସମ୍ପର୍କରେ କାର୍ଯ୍ୟ କରେ ନାହିଁ । ରାଜ୍ୟର ଶିକ୍ଷା ବ୍ୟବସ୍ଥା, ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଦାନ, ଏପରିକି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଷ୍ଟା ରାଜ୍ୟର ଛାତ୍ରଛାତ୍ରୀ, ଅଭିଭାବକ ଓ ଜନସାଧାରଣଙ୍କ ପାଖରେ ସହଭାଗି ହୋଇ ସଦାସର୍ବଦା ଦୃଢ଼ ଭାବରେ ଛିଡ଼ା ହୋଇ ଆସିଛି । ଚଳିତ ବର୍ଷର ମହାମାରୀ କରୋନାର ଭୟାବହତା ପାଇଁ ବିଦ୍ୟାଳୟ ସବୁ ବନ୍ଦ ଅଛି । ପାଖାପାଖି ୧୦୦ ଦିନରୁ ଅଧିକ ଶିକ୍ଷାଦାନ ଦିବସ ନଷ୍ଟ ହୋଇ ସାରିଲାଣି । ଛାତ୍ରଛାତ୍ରୀମାନଙ୍କ ଉପରୁ ସମୁଦାୟ ଶିକ୍ଷାବର୍ଷର ବୋଝକୁ ଲାଘବ କରିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ରାଜ୍ୟ ସରକାରଙ୍କ ପାଖରେ ଦାବିକରି ସମୁଦାୟ ପାଠ୍ୟ ଖସଡ଼ାରୁ ୩୦ ଭାଗ କମାଇବାରେ ସଫଳ ହୋଇଛି । ଅବଶିଷ୍ଟ ୭୦ ଭାଗ ସଂଶୋଧିତ ପାଠ୍ୟଖସଡ଼ା ଆଧାରରେ ଚଳିତ ବର୍ଷ ଅର୍ଥାତ୍ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଉଭୟ ସଂକ୍ଷିପ୍ତ ଓ ଦୀର୍ଘ ଉତ୍ତରମୂଳକ ଓଷ୍ଟା ଟେଷ୍ଟ ପେପର୍ସ ପ୍ରସ୍ତୁତ କରିଛି ।

Comments (0)
Add Comment