ପ୍ରଥମ ପର୍ଯ୍ୟାୟରେ ୩,୨୦ ହଜାରଙ୍କୁ ଦିଆଯିବ ଟିକା


ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ପାଇଁ ରାଜ୍ୟସରକାର ଆଜି ଏକ ବ୍ଲୁପ୍ରିଂଟ ଜାରୀ କରିଛନ୍ତି । ନିର୍ବାଚନ ମଡେଲ ଭଳି ରାଜ୍ୟରେ ହେବ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା । ଏଥିଲାଗି ୨ ଲକ୍ଷ ୯ହଜାର ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛନ୍ତି । ଟିକାକରଣରେ ୮, ୨୭୬ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ । ଏହି ପ୍ରକ୍ରିୟାରେ ସାମିଲ୍ ହେବାକୁ ଯାଉଥିବା ସମସ୍ତଙ୍କର ଡାଟା ଅପଲୋଡ୍ ସରିଛି । ଟିକାକରଣ ପାଇଁ ୧,୨୨୨ କୋଲଡ୍ ଚେନ୍ର ବ୍ୟବସ୍ଥା କରାଯାଇଛି । ଟିକା ନେବା ଆଣିବା ପାଇଁ ୧୭୯୬ ଆଇଏଲଆର ଓ ୧୭୭୧ ଡିପଫ୍ରିଜରର ବ୍ୟବସ୍ଥା ରହିଛି । ତେବେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି ।
ଏଥିଲାଗି ଗୋଟିଏ ରାଜ୍ୟସ୍ତରୀୟ ଟିକାକରଣ ଗୋଦାମ ନିର୍ମାଣ କରା ଯାଇଥିବା ବେଳେ ୯ଟି ଆଞ୍ଚଳିକ ଓ ୩୨ଟି ଜିଲ୍ଲାସ୍ତରୀୟ ଟିକାକରଣ ଷ୍ଟୋର ପ୍ରସ୍ତୁତ କରାଯାଇଛି । ପ୍ରତି ଟିକାକରଣ କେନ୍ଦ୍ରରେ ୫ଜଣଙ୍କୁ ନିୟୋଜିତ କରାଯିବ । ପ୍ରତି କେନ୍ଦ୍ରରେ ଜଣେ ଭ୍ୟାକ୍ତିନେଟ୍ର, ଜଣେ ଭ୍ୟାକ୍ସିନେସନ୍ ଅଧିକାରୀ, ଜଣେ ଭେରିଫାୟର ଓ ୨ଜଣ ସୁପରଭାଇଜର ରହିବେ । ୩ଟି କୋଠରୀକୁ ନେଇ ଗଠନ ହେବ ଟିକାକରଣ କେନ୍ଦ୍ର । କେନ୍ଦ୍ରରେ ପ୍ରତୀକ୍ଷାଳୟ. ନିରୀକ୍ଷଣ କୋଠରୀ ଓ ଟିକାକରଣ କୋଠରୀ ରହିବ । ଟିକାକରଣ ସରିବା ପରେ ୩୦ ମିନିଟ୍ ସେମାନଙ୍କୁ ନିରୀକ୍ଷଣରେ ରଖାଯିବ ଏବଂ ଟିକାକରଣ ପରେ ସାର୍ଟିଫିକେଟ୍ ଦିଆଯିବ ବୋଲି ସୂଚନା ରହିଛି । ଟିକାକରଣ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିବା ପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି ।

Comments (0)
Add Comment