ପ୍ରଧାନମନ୍ତ୍ରୀଙ୍କ ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ସିପିଆଇର ନିନ୍ଦା

ଭୁବନେଶ୍ୱର: ସମଗ୍ର ଭାରତରେ କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ବିଭିନ୍ନ କଟକଣା ସତ୍ତେ୍ୱ ଉଦ୍ବେଗଜନକ ଭାବେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଏହି ଧର୍ମ ନିରପେକ୍ଷ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ଶିଳାନ୍ୟାସ ଦେବା କାର୍ଯ୍ୟକ୍ରମକୁ ସିପିଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଘୋର ନିନ୍ଦା କରିଛନ୍ତି । ସୂଚନାଯୋଗ୍ୟ ଯେ, ନିଜେ ପ୍ରଧାନମନ୍ତ୍ରୀ ଓ ତାଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର କରୋନା ମହାମାରୀ ନିୟନ୍ତ୍ରଣ ଆଳ ଦେଖାଇ ସମଗ୍ର ଭାରତରେ ସମସ୍ତ ରାଜନୈତିକ ଓ ଧର୍ମୀୟ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ଲଗାଇଛନ୍ତି ।
କୋଟି କୋଟି ପ୍ରବାସୀ ଶ୍ରମିକଙ୍କ ଜୀବନ ଜୀବିକା ଛଡ଼ାଇ ନେଇ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ସେମାନେ ଘରବାହୁଡ଼ାବେଳେ ତାଙ୍କ ଉପରେ କଟକଣା, ପୋଲିସ ଅତ୍ୟାଚାର ଓ ଜରିମାନା ନିଆଯାଇଛି । ଜନଗଣଙ୍କ ଜୀବନ ଜୀବିକା ଦାବି ନେଇ ସାଙ୍କେତିକ ପ୍ରତିବାଦ ଅଥବା ଦାବି ଉପସ୍ଥାପନ ବେଳେ ରାଜନୈତିକ ଓ ସାମାଜିକ କର୍ମୀଙ୍କ ବିରୁଦ୍ଧରେ ମକଦ୍ଧମା କରିବା ସହ ଜରିମାନା ଆଦାୟ କରୁଛନ୍ତି । ସ୍ୱାସ୍ଥ୍ୟ ସେବାକୁ ଘରୋଇ କମ୍ପାନୀଙ୍କ ପାଦ ତଳେ ସମର୍ପି ଦେଇ ଆବଶ୍ୟକ ଚିକିତ୍ସା ନ ଦେଇ ଗଣହତ୍ୟା କରୁଛନ୍ତି । କରୋନା
କଟକଣା ଲାଗୁ ହୋଇଥିଲାବେଳେ ଏହି ସମୟରେ ଖୋଦ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ଅଗଷ୍ଟ ୫ରେ ହଜାର ହଜାର ଭକ୍ତଙ୍କ ସମାବେଶ କରାଇ ରାମମନ୍ଦିର ଶିଳାନ୍ୟାସ କରିବା ପ୍ରଧାନମନ୍ତ୍ରୀଙ୍କ ସାମ୍ବିଧାନିକ ପଦ ମର୍ଯ୍ୟାଦାର ଅପବ୍ୟବହାର କରୁଛନ୍ତି । ଏଭଳି କାର୍ଯ୍ୟକୁ ସିପିଆଇ ନିନ୍ଦା କରିବା ସହିତ ଏଥିରୁ ବିରତ ରହିବା ପାଇଁ ସିପିଆଇ ଦାବି କରୁଛି ।

Comments (0)
Add Comment