ପ୍ରଧାନମନ୍ତ୍ରୀ ଆବାସ ନ ପାଇ ପଲିଥିନ ତଳେ ଦୈତାରିଙ୍କ ପରିବାର

ବାରିପଦା : ଗରୀବ ଲୋକଙ୍କ ସୁବିଧା ପାଇଁ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅସୁମାରୀ ଯୋଜନା କରିଥିବା ବେଳେ ସେହି ଜନହିତକର ଯୋଜନା ଗୁଡିକ ବାସ୍ତବରେ କେତେଦୂର ତୃଣମୂଳ ସ୍ତରରେ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଂଚୁଛି ତାହା ସମୀକ୍ଷା କରିବା ଦରକାର । ନଚେତ ସରକାରଙ୍କ ଉଦେଶ୍ୟ କାଗଜ କଲମରେ ସିନା ପୂରଣ ହେବ ବାସ୍ତବ ସ୍ଥିତିରେ ପରିବର୍ତ୍ତନ ଆସିବା ଅସମ୍ଭବ ହୋଇ ପଡିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । ସରକାର ଭୂମିହୀନ ଲୋକମାନଙ୍କୁ ୪ଡେସିମିଲ ଘରଡିହ ଜମୀ ବସୁନ୍ଧରା ଯୋଜନାରେ ପ୍ରଦାନ କରିବା ପାଇଁ ବିଧିବଦ୍ଧ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଅନେକ ସ୍ଥଳରେ ଲୋକଙ୍କୁ ଘରଡିହ ମିଳିନଥିବାରୁ ଲୋକେ ସରକାରୀ ଜମୀରେ ବାଧ୍ୟ ବାଧକତାରେ ଦୀର୍ଘବର୍ଷ ଧରି ଅସ୍ଥାୟୀ ବାସଗୃହରେ ବସବାସ କରିଆସୁଛନ୍ତି । ସେହିପରି ବହୁ ହିତାଧିକାରୀଙ୍କୁ ବସୁନ୍ଧରା ଯୋଜନାରେ ଘରଡିହ ଜମୀ ଦୀର୍ଘବର୍ଷ ପୂର୍ବରୁ ମିଳିଥିଲେ ମଧ୍ୟ ସେମାନଙ୍କର ଜମୀ ଚିହ୍ନଟ କରାଯାଇ ପାରୁ ନଥିବାରୁ ବାସ୍ତବରେ ଜମୀର ଦଖଲ ପାଇ ପାରୁନାହାନ୍ତି ହିତାଧିକାରୀ ମାନେ । ଫଳରେ ସରକାରୀ ଯୋଜନାରେ ସେମାନଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବା ବିଜୁ ପକ୍କାଘର ଯୋଜନାରେ ସେମାନଙ୍କର ବାସଗୃହ ନିର୍ମାଣ ହୋଇ ପାରୁନଥିବାରୁ ଲୋକେ ବାଧ୍ୟ ହୋଇ ଭଙ୍ଗା କୁଡିଆରେ କାଳକାଟୁଛନ୍ତି । ଅବଶ୍ୟ ଅନେକ ସ୍ଥଳରେ ସରକାରୀ ଜମୀରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ନିର୍ମାଣ ହୋଇଥିବା ନଜିର ରହିଥିବା ବେଳେ, ଏହି ସରକାରୀ ଗଳା ବାଟରେ ଗରୀବ ବାପୁଡା ହିତାଧିକାରୀ ପାଇଁ ବାସଗୃହ ନିର୍ମାଣ ହୋଇ ପାରୁନାହିଁ । ସୂଚନା ମୁତାବକ ମୟୂରଭ ଜିଲ୍ଲାର ଶିମିଳିପାଳ ପାଦଦେଶରେ ଶ୍ୟାମାଖୁଣ୍ଠା ବ୍ଲକ କୋଚିଲାଘାଟି ଗ୍ରାମପଂଚାୟତ ଅନ୍ତର୍ଗତ ଲକ୍ଷ୍ମୀପୋଷୀ ଗ୍ରାମର ଦୈତାରି ବିନ୍ଧାଣି ଓ ତାଙ୍କ ସ୍ତ୍ରୀ ରନୀ ବିନ୍ଧାଣି ସେହିଗ୍ରାମର ଏକ ସରକାରୀ ଜାଗାରେ ୪୦/୫୦ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ବସୁନ୍ଧରା ଯୋଜନାରେ ମିଳିନି ଅଦ୍ୟାବଧି ଘରଡିହ ଜମୀ ଖଣ୍ଡେ ବା ପ୍ରଦାନମନ୍ତ୍ରୀ ଆବାସ ଖଣ୍ଡେ । ଫଳରେ ଦୈତାରି ନିର୍ମାଣ କରିଥିବା ଝାଟିମାଟି ଘରଟି ୨୦୧୩ ମସିହାରେ ଫାଇଲିନ ବାତ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗିଯିବା ପରେ ଅଦ୍ୟାବଧି ପଲିଥିନ ତଳେ ବାସ କରିଆସୁଛନ୍ତି ଏହି ଅସହାୟ ଦମ୍ପତ୍ତି । ବାରମ୍ବାର ଘରଡିହ ଓ ଘରଖଣ୍ଡେ ପାଇଁ ବ୍ଲକ ଓ ଜିଲ୍ଲାପାଲଙ୍କ କାର୍ଯୟାଳୟ ଦଉଡି ଦଉଡି ନୟାନ୍ତ ହୋଇ ଏବେ ଭାଗ୍ୟକୁ ଆଦରି ପଡିରହିଛନ୍ତି । ବହୁ କଷ୍ଟ ପରେ ବହୁ ଧାଁଦୌଡ ପରେ ବିଳମ୍ବରେ ହେଲେମଧ୍ୟ ତାଙ୍କ ପରିବାରକୁ ଖାଦ୍ୟସୁରକ୍ଷା ଯୋଜନାରେ ରେସନକାର୍ଡ ଟିଏ ମିଳିଛି । ଦୈତାରି ଘରଡିିହ ଓ ଘରଟିଏ ପାଇଁ ଜିଲ୍ଲାପାଳଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ଜିଲ୍ଲାପାଳ ଏ ବାବଦରେ ଶ୍ୟାମାଖୁଂଟା ତହସିଲଦାରଙ୍କୁ ପତ୍ର ସଂଖ୍ୟା – ୪୩୭ – ତା ୨୨/୦୨/୨୦୧୯ ଉକ୍ତ ଘଟଣାରେ ତଦନ୍ତ କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଶେଷରେ ଶ୍ୟାମାଖୁଂଟା ତହସିଲଦାର ମେମ ନଂ ୧୧୩୨/ ତା-୨୬/୦୩/୧୯ ରେ ଜିଲ୍ଲାପାଳଙ୍କୁ ରିପୋର୍ଟ୍ ପ୍ରଦାନ କରିଥିଲେ । କିନ୍ତୁ ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ ଜିଲ୍ଲା ପ୍ରଶାସନ ଠିକ୍ ଭାବରେ ତଦନ୍ତ ନକରି ଭୁଲ ତଥ୍ୟ ଦେଇ ଥିବାରୁ ଦୈତାରିଙ୍କ ପରିବାରକୁ ମୁଣ୍ଡ ଗୁିବା ପାଇଁ ଘରଡିହ ବା ଘର ଟିଏ ଯୋଗାଇ ଦେବାରେ ବିଫଳ ହୋଇଛି ଜିଲ୍ଲା ପ୍ରସାଶନ । ସେହିପରି ଦୈତାରୀଙ୍କ ବୟସ ବାସ୍ତବରେ ୭୦ ପାକାପାଖି ହୋଇଥିଲେ ମଧ୍ୟ ଆଧାର କାର୍ଡରେ ଭୁଲରେ କମ ବୟସ ଲେଖା ହୋଇଥିବାରୁ ଅଦ୍ୟାବଧି ସ୍ୱାମୀ ସ୍ତ୍ରୀ କେହି ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ପାଉନାହାନ୍ତି । ଆଧାର କାର୍ଡରେ ବୟସ ପରିବର୍ତ୍ତନ କରିବା ବିଷୟରେ ସେ ଅବଗତ ମଧ୍ୟ କହିଛନ୍ତି । ଦୈତାରିଙ୍କ କେହି ପୁତ୍ର ସନ୍ତାନ ନଥିବାରୁ ସେମାନେ ବୟସର ଚତୁର୍ଥର୍ ପାହାଚରେ ଭାଗ୍ୟକୁ ଆଦରି ପଡିରହିଛନ୍ତି । କେବଳ ଦୈତାରୀ ନୁହଁନ୍ତି ଏମିତି ଜିଲ୍ଲାରେ ଅନେକ ଯୋଗ୍ୟ ହିତାଧିକାରୀ ପ୍ରସାଶନିକ ମାରପେଂଚ ମଧ୍ୟରେ ଘାନ୍ଟି ହୋଇ ସରକାରୀ ଯୋଜନା ଗୁଡିକ ଉପରୁ ଆସ୍ଥା ହରାଇ ଅସହାୟ ଅବସ୍ଥାରେ ଭାଗ୍ୟକୁ ଆଦରି ପଡିରହିଛନ୍ତି । ଏଣୁ ଜିଲ୍ାରେ ଯୋଗ୍ୟ ହିତାଧିକାରୀଙ୍କୁ ଅଗ୍ରାଧିିକାର ଭିତ୍ତିରେ ସରକାରୀ ଯୋଜନା ଗୁଡିକରେ ସାମିଲ କରିବା ପାଇଁ ପ୍ରସାଶନିକ ଅଧିକାରୀ ଓ କର୍ମଚାରୀ ମାନେ କାର୍ଯ୍ୟକରିବା ଉଚିତ ନଚେତ ସରକାରଙ୍କ ଯୋଜନାର ବାସ୍ତବ ରୂପାୟନ ହୋଇ ପାରିବ ନାହିଁ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଛି ।

Comments (0)
Add Comment