ପ୍ରମୁଖ ଶାସନ ସଚିବଙ୍କ କାନପୁର ପ୍ରକଳ୍ପ ପରିଦର୍ଶନ ଓ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ବିଭିନ୍ନ ଗ୍ରାମୀଣ ଉନ୍ନୟନ କାର୍ଯ୍ୟ ସମେତ ସହରାଞ୍ଚଳର ଜଳ ଯୋଗାଣ ପ୍ରକଳ୍ପ,ଯୋଡ଼ା ଫ୍ଲାଏଓଭର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହିତ ଧାର୍ଯ୍ୟ ସମୟ ସୀମା କିମ୍ବା ତଦୁର୍ଦ୍ଧ ଡିସେମ୍ବର ମାସ ଭିତରେ ସମସ୍ତ ଲୋକାଭିମୁଖୀ ସରକାରୀ ପ୍ରକଳ୍ପ ସାରିବାକୁ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ସକାଳ ୬ଟା ସମୟରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ କାନପୁର ବୃହତ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ।  ସେଠାରେ କାର୍ଯ୍ୟର ସମୀକ୍ଷା କରିବା ପରେ ଓପିଟିସିଏଲ ଅଧିକାରୀ ୱାଟକୋ ସୁପରିଟେନ୍ଦେଣ୍ଟ ଇଞ୍ଜିନିୟର ନାରଦ ଚନ୍ଦ୍ର ରଥ,ଚମ୍ପୁଆ ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଯଦୁମଣି ମହଲା, ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ୍ତ କୁମାର ସାମଲ, ମୁଖ୍ୟଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା, ଯୋଡ଼ା/ବଡବିଲ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପ୍ରମୁଖଙ୍କ ସମେତ ଚେଭରକ୍ସ କମ୍ପାନୀର ଅଧିକାରୀ ହିତେଶ ପଟେଲ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆଲୋଚନା ପରେ ସଚିବ ସିଂହ ବଡବିଲଠାରେ ଥିବା କମର୍ସିଆଲ ଟ୍ୟାକ୍ସ ଓ ଜିଏସଟି କାର୍ଯ୍ୟାଳୟ ପରିଦର୍ଶନରେ ଯାଇ ସମୀକ୍ଷା କରିଥିଲେ। ସୂଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ପାଇଁ ସଚିବ ସିଂହ ନୋଡାଲ ଅଧିକାରୀ ଭାବେ ଦାୟିତ୍ଵ ତୁଲାଉଛନ୍ତି। ସିଂହ ତାଙ୍କ ପ୍ରତିକ୍ରୟାରେ କହିଛନ୍ତି ଯେ ବର୍ଷା ଦିନ ପୂର୍ବରୁ ଯୋଡ଼ା ସହର ଫ୍ଲାଏ ଓଭର ସର୍ଭିସ ରୋଡ କାମ ଶେଷ କରିବା । ପ୍ରତ୍ୟେକ ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଶୀଘ୍ର ସରିବା ଉପରେ ଗୁରୁତ୍ୱ ଦିଆଯାଉଛି। ସେହିପରି ସେ କହିଥିଲେ ଯେ, ପାୱାର ଲାଇନ ଉପରେ ଅନେକ କାର୍ଯ୍ୟ ଯୋଡ଼ା ବ୍ଲକରେ କରାଯାଉଅଛି। ଏହାକୁ ମଧ୍ୟ ସମୀକ୍ଷା କରାଯାଉଛି। କାନପୁର ଡ୍ୟାମ ସମ୍ପର୍କରେ ସିଂହ କହିଥିଲେ ଯେ ଏହା ରାଜ୍ୟର ଏକ ମୁଖ୍ୟ ନଦୀବନ୍ଧ ଯୋଜନା। ଯାହାକି ଏବେ ଶେଷ ପର୍ଯ୍ୟାୟରେ ରହିଛି। ଏହାର ଉନ୍ନୟନ ଉପରେ ସେ ସନ୍ତୋଷ ପ୍ରକାଶ କରିଥିଲେ।

Comments (0)
Add Comment