ଯୋଡ଼ା : ଓଡିଶା ରାଜ୍ୟର ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାର ଯୋଡା ପୌରପାଳିକା,ୱାର୍ଡ ନଂ ୧୩ର ସରଗିତଳିଆ ଅଂଚଳରେ ଭାତ ବଦଳରେ ମହୁଲ ସିଝା ଓ ତେନ୍ତୁଳି ମଞ୍ଜିର ଛେଚା ଆଦିବାସୀ ଲୋକଙ୍କର ଆହାର ପାଲଟିଛି । ଭୌଗଳିକ ଦୃଷ୍ଟିକୋଣରୁ ସରଗିତଳିଆର ଚତୁର୍ଦିଗରେ ଖଣି ପରିବେଷ୍ଟିତ । ମାଟିତଳେ ପ୍ରାକୃତିକ ସମ୍ପଦର ଗନ୍ତାଘର ହୋଇଥିବା ବେଳେ ମାଟି ଉପରେ ଦାରିଦ୍ର୍ୟତା ଜଳ ଜଳ ଦେଖାଯାଉଛି । ଏହି ଅଂଚଳକୁ ବଡ ବଡ ସଂଗଠନ ମାନେ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିବା ବେଳେ ଜାନୁୟାରୀ ୨୬ ଓ ଅଗଷ୍ଟ ୧୫କୁ ଛାଡିଦେଲେ ଅନ୍ୟ ସମୟରେ ଅଂଚଳବାସୀ ଅଲୋଡା ହୋଇ ପଡନ୍ତି । ଆୟତନ ଅନୁସାରେ ପୌରପାଳିକାର ଏହି ୱାର୍ଡଟି ବୃହତ ହୋଇଥିବା ବେଳେ ସରଗିତଳିଆର ସୁରୀସାହି,ଲତାରସାହି ଓ ଚିତାନସାହିରେ ମୌଳିକ ସୁବିଧା ଅପହଂଚ ହୋଇ ରହିଛି । ସରଗିତଳିଆର ଏହି ଅଂଚଳ ଗୁଡିକରେ ପ୍ରାୟ ୩୦୦ ଲୋକ ବସବାସ କରନ୍ତି । ଏହି ଅଂଚଳଟି ସମ୍ପୂର୍ଣ୍ଣ ଆଦିବାସୀ ଅଧ୍ୟୁଷିତ ଅଂଚଳ । ଖଣି,ରେଳସାଇଡିଂ,ପରିବହନ କାର୍ଯ୍ୟ ଏହି ଅଂଚଳରେ ହେଉଥିଲେ ହେଁ ଏଠାକାର ଲୋକ ରୋଜଗାରରୁ ବଂଚିତ । ଅଂଚଳବାସୀ ପ୍ରାୟତଃ ଜଙ୍ଗଲ ଉପରେ ନିର୍ଭରଶୀଳ । ଜଙ୍ଗଲର କାଠ,ଦାନ୍ତକାଠି,ଶାଳପତ୍ର,କେନ୍ଦୁ,ଚାହାଁର,ଆମ୍ବ,କୋଳି ବିକି ନିଜର ଜୀବିକା ଉପାର୍ଜନ କରିଥାନ୍ତି । ମିଳୁଥିବା ସରକାରୀ ଚାଉଳ ନିଅଣ୍ଟ ହେଲେ ମହୁଲ ସିଝା,ତେନ୍ଡୁଳି ମଞ୍ଜି,ଜଙ୍ଗଲର ପିତାଳୁ,ଶିଆଳୀ ମଞ୍ଜି,କୁରକୁଟି (କାଇଜନ୍ଦା) ପ୍ରଭୃତି ଆହାର ହୋଇଥାଏ ବୋଲି ସୋନୁ ମୁଣ୍ଡା,ତମ୍ବା ମୁ୍ଣ୍ଡା ଓ ଗୁରୁଚରଣ ମୁଣ୍ଡା ପ୍ରମୁଖ କହିଛନ୍ତି । ଶିଶୁ ଅପପୃଷ୍ଟିର ଶିକାର ହୋଇଥିବା ୱାର୍ଡବାସୀ କହିଛନ୍ତି । କୈଳାଶ ମୁଣ୍ଡା କହିଛନ୍ତି ଯେ ତାଙ୍କର ୩ ବର୍ଷର ଶିଶୁକନ୍ୟା ସାଳିନୀ ମୁଣ୍ଡା ରୋଗଗ୍ରସ୍ତ ହୋଇ ଯୋଡା ଟାଟା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରୁ କେନ୍ଦୁଝର ଓ ପରେ କଟକ ଶିଶୁଭବନକୁ ସ୍ଥାନାନ୍ତର ହେବା ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏସମ୍ପର୍କରେ ମୁଣ୍ଡା କହନ୍ତି ଯେ ଖାଦ୍ୟ ଅଭାବ ହେତୁ ଦୁର୍ବଳତା ଏବଂ ପରେ ରକ୍ତହୀନତା ଯୋଗୁଁ ସେ ରୋଗଗ୍ରସ୍ତ ହୋଇ ସେ ମୃତ୍ୟୁବରଣ କଲେ । ତେବେ କଟକରେ ଡିଏମଏଫ ଜରିଆରେ ତାଙ୍କୁ ପ୍ରତିଦିନ ୨୦୦ ଟଙ୍କା ଖର୍ଚ୍ଚ ବାବଦକୁ ମିଳୁଥିଲା । ବୃଦ୍ଧା ସୁଦୁରା ମୁଣ୍ଡା ଆଖିରେ ଲୁହ ମନରେ କୋହ ସହିତ କହିଥିଲେ ପୁଅର ମୃତ୍ୟୁ ପରେ ୩ଟି ଛୁଆର ଭରଣ ପୋଷଣ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ତାଙ୍କ ଉପରେ ରହିଛି । ସରକାରୀ ଚାଉଳ ନିଅଣ୍ଟ ହେଉଥିବାରୁ ଛୁଆ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି । ଛୁଆମାନେ ଖାଦ୍ୟ ଅଭାବରୁ ରୋଗରେ ପଡିଥିଲେ । ଫଳରେ ସ୍ଥାନୀୟ ଅଂଚଳର ଯୁବ ସଂଗଠକ ତଥା ସମାଜସେବୀ ଚର୍ଚ୍ଚିଲ ମହାକୁଡ ଓ କାଉନସିଲର ଦିପ୍ତି ରଂଜନ ବେହେରାଙ୍କ ଉଦ୍ୟମରେ ଶିଶୁଟି ଟାଟା କମ୍ପାନୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିସôୀତ ହୋଇଥିଲା । ଅଂଚଳର ଜୁଲୁ ମୁଣ୍ଡା,ସୁଦନ ମୁଣ୍ଡା,ସୋନୁ ମୁଣ୍ଡା କହିଛନ୍ତି ଯେ ସମ୍ପୂର୍ଣ୍ଣ ଅଂଚଳରେ ଏହିପରି ପ୍ରାୟ ୩୦ରୁ ଉର୍ଧ ଶିଶୁ ଖାଦ୍ୟ ଅଭାବରୁ ଦୁର୍ବଳ ହୋଇ ରୋଗଗ୍ରସ୍ତ ହୋଇଯାଇଛନ୍ତି । ପ୍ରାୟ ୩ କିଲୋମିଟର ଦୂର ଖୁଣ୍ଟପାଣିରେ ଅଙ୍ଗନୱାଡି କେନ୍ଦ୍ର ରହିଛି । ଏଣୁ ଶିଶୁ ମାନେ ଚିକିତ୍ସାରୁ ବଂଚିତ ହେଉଛନ୍ତି । ସ୍କୁଲ ଥାଇ ମଧ୍ୟ ସୁବିଧା ନଥିବାରୁ ପାଠରେ ଡୋରୀ ବନ୍ଧା ହୋଇଛି । ନିକଟରେ ବୈତରଣୀ ନଦୀ ଥାଇ ସତ୍ତ୍ୱେ ସ୍ୱଚ୍ଛ ପାନୀୟ ଜଳ ମିଳୁନାହିଁ,ନଳକୂପ ଅଚଳ ହୋଇ ପଡିଛି । ହାତୀଙ୍କ ସୁରକ୍ଷା ପାଇଁ ୨୪ ଘଣ୍ଟା ଏହି ଅଂଚଳରେ ବିଦ୍ୟୁତ କାଟ କରାଯାଉଛି । ବ୍ୟକ୍ତିଗତ ସ୍ତରରେ ଚର୍ଚ୍ଚିଲ ମହାକୁଡ ନିଜ ଖର୍ଚ୍ଚରେ ଏକ କୂଅକୁ ପୁନରୁଦ୍ଧାର କରି ଅଂଚଳବାସୀଙ୍କୁ ଜଳ ଯୋଗାଇବା ପାଇଁ ଚେଷ୍ଟା କରୁଛନ୍ତି । ଟାଟାଷ୍ଟିଲ ପକ୍ଷରୁ ମୋଟର ପମ୍ପ ବ୍ୟବସ୍ଥା କରାଯାଇଥିଲେ ହେଁ ବିଜୁଳିର ଅନିଶ୍ଚିତତା ଜଳ ସଂକଟ ସୃଷ୍ଟି କରିଛି । ୨୦୧୨ ମସିହା ପୂର୍ବରୁ ଏହି ଅଂଚଳରେ ପୌରପାଳିକା ଦ୍ୱାରା ବୈତରଣୀ ନଦୀ କୂଳରେ ଅଂଚଳବାସୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏକ ପାର୍କ ନିର୍ମାଣ କରାଯାଇଥିଲେ ହେଁ ବନବିଭାଗ ଓ ପୌରପାଳିକାର ସମନ୍ୱୟ ଅଭାବ ଏବଂ ବୈାନିକ କାରଣବଶତଃ ଏହା ଅଧପନ୍ତରିଆ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଅଂଚଳବାସୀ କହିଛନ୍ତି ଯେ ଅବିଳମ୍ବେ ଜିଲ୍ଲା ପ୍ରଶାସନ ଏକ ମେଡିକାଲ ଟିମ ପଠାଇ ଶିଶୁମାନଙ୍କୁ ଡାକ୍ତରୀ ପରୀକ୍ଷା କରି ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।