ପ୍ରାକ୍ତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ବିୟୋଗରେ ଶୋକ

ପାରାଦୀପ : ଜଗନ୍ନାଥ ସଂସ୍କୃତି ସହ ଜଡିତ ଥିବା ବିଶିଷ୍ଟ ଭାଷ୍ୟକାର, ଜଗନ୍ନାଥ ସଂସ୍କୃତି ଗବେଷକ ଓ ପ୍ରଚାରକ ତଥା ଶ୍ରୀମନ୍ଦିର ପୁରୀର ପ୍ରାକ୍ତନ ମୁଖ୍ୟ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର (୮୭)ଙ୍କ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଜନ୍ମାଷ୍ଟମୀ ଦିନ ଦେହାନ୍ତ ହୋଇଯାଇଛି । କିଛି ଦିନ ତଳେ ସେ ଭୁବନେଶ୍ୱର ସ୍ଥିତ ଭିଏସଏସ ନଗର ଠାରେ ଥିବା ତାଙ୍କ ବାସଭବନରେ ପଡି ଯାଇଥିଲେ ଏବଂ ଏକ ମାସ ଧରି ଚିକିତ୍ସିତ ହେଉଥିଲେ । ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ପତ୍ନୀ ରେଣୁକା ଦେବୀ, ଏକମାତ୍ର ପୁଅ ଧର୍ମେନ୍ଦ୍ର ମିଶ୍ର (ଲିଟୁ), ବୋହୁ ସଂଘମିତ୍ରା ଓ ନାତି ସହସ୍ରାଂଶୁ ଉପସ୍ଥିତ ଥିଲେ । ସ୍ୱର୍ଗତ ମିଶ୍ର ୧୯୯୩ ମସିହାରେ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇ ସଫଳତାର ସହ କାର୍ଯ୍ୟ କରିବା ସହ ପୁରୀ ଜଗନ୍ନାଥ ମନ୍ଦିରର କଳେବର ବୃଦ୍ଧି କରିବା ସହିତ ଅନେକ ଆଧ୍ୟାତ୍ମିକ ଅନୁଷ୍ଠାନ ସହ ଜଡିତ ଥିଲେ । ତାଙ୍କ ବିୟୋଗରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସମେତ ସତ୍ୟସାଇ ଅନୁଷ୍ଠାନର ମୁଖ୍ୟ ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ପାରାଦୀପ ଜଗନ୍ନାଥ ସମାଜର ନଗେନ୍ଦ୍ର ଶତପଥୀ, ନିତ୍ୟାନନ୍ଦ ପଣ୍ଡା, ରବିନ୍ଦ୍ର ଦାସ, ବୈଷ୍ଣବ ପଟ୍ଟନାୟକ, ସଞ୍ଜୟ ମିଶ୍ର, ସାମ୍ବାଦିକ ଶୁକଦେବ ଜେନା, ଶଶାଙ୍କ ଆଚାର୍ଯ୍ୟ, ରବିନ୍ଦ୍ର ଜେନା, ରାମ ସ୍ୱାଇଁ ପ୍ରମୁଖ ଶୋକ ପ୍ରକଟ କରି ଅମର ଆତ୍ମା ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ୱର୍ଗତ ମିଶ୍ରଙ୍କ ଉଦ୍ୟମରେ ଜଗନ୍ନାଥ ସଂସ୍କୃତି ଅଧିକ ବ୍ୟାପକ ହେବା ସହ ରାଜ୍ୟ ସଂସ୍କୃତି ଦୁନିଆରୁ ଏକ ଉଜ୍ୱଳ ନକ୍ଷେତ୍ରର ଅବସାନ ଘଟିଲା ବୋଲି କହିଛନ୍ତି ।

Comments (0)
Add Comment