ପ୍ରେମିକାକୁ ପ୍ରତାରଣା: ଜେଲ୍ ଗଲା ପ୍ରେମିକ

ଯାଜପୁର: ବିବାହ ପ୍ରଲୋଭନ ଦେଖାଇ ପ୍ରେମିକାକୁ ଅନ୍ତସତ୍ୱା କରିବା ପରେ ବିଭିନ୍ନ ବାହାନା ଦେଖାଇ ବାହା ହେବାକୁ ମନା କରିଥିବା ଧୋକାବାଜ ପ୍ରେମିକକୁ ପୁଲିସ ଗିରଫ କରିଥିବା ବେଳେ ଜାମିନ ନାମଂଜୁର ହେବାରୁ ଅଭିଯୁକ୍ତ ପ୍ରେମିକକୁ ଜେଲ ଯିବାକୁ ପଡ଼ିଛି । ଅପରପକ୍ଷେ ଆଜି ପୁଲିସ ପିଡ଼ିତା ପ୍ରେମିକାକୁ ମାଜିଷ୍ଟେ୍ରଟଙ୍କ ନିକଟରେ ହାଜର କରାଇବା ସହ ତାର ଜମାନବନ୍ଦୀ ରେକଡର଼୍ କରାଇଥିବା ଜଣାଯାଇଛି । ସୂଚନା ମୁତାବକ ଦଶରଥପୁର ବ୍ଲକ୍ ତଥା ମଙ୍ଗଳପୁର ଥାନା କୟାଁ ଅଂଚଳର ପ୍ରସନ୍ନ ବାରିକ ଓରଫ ମଙ୍ଗୁଳିଆ (୨୫) ଉକ୍ତ ଅଂଚଳର ଜୈନିକ ୨୦ ବର୍ଷିୟା ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖିବା ସହ ବିବାହର ପ୍ରତିଶୃତି ଦେଇ ଶାରିରୀକ ସଂପର୍କ ସ୍ଥାପନ କରିଥିଲା । ପ୍ରେମିକା ଅନ୍ତସତ୍ୱା ହେବା ପରେ ଅଭିଯୁକ୍ତ ମଙ୍ଗୁଳିଆ ବିଭିନ୍ନ ଆଳ ଦେଖାଇ ଯୁବତୀଙ୍କୁ ବାହା ହେବାକୁ ମନା କରିଥିଲା । ଯୁବତୀ ବିବାହ କରିବାକୁ ଜିଦ୍ ଧରିବାରୁ ମଙ୍ଗୁଳିଆ ଦୋଷ ସ୍ୱିକାର କରିବା ପରିବର୍ତେ ଏଥି ପାଇଁ ସେ ଦାୟି ନୁହେଁ ବୋଲି କହିବାରୁ ବାଧ୍ୟ ହୋଇ ପିଡ଼ିତା ନ୍ୟାୟ ପାଇବାକୁ ଥାନାରେ ଅଭିଯୁ୍କ୍ତ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ମଙ୍ଗଳପୁର ପୁଲିସ କେସ ନଂ ୩୨୩/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକ ମଙ୍ଗୁଳିଆକୁ ଗିରଫ କରିବା ସହ ଭାରତୀୟ ଦଣ୍ଡ ସଂହିତାର ଧାରା ୪୧୭, ୩୭୬, ୪୯୩, ୩୫୪ରେ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଂଜୁର ହେବାରୁ ଅଭିଯୁକ୍ତ ମଙ୍ଗୁଳିଆକୁ ଜେଲ ଯିବାକୁ ପଡ଼ିଥିବା ବେଳେ ଗୁରୁବାର ମଙ୍ଗଳପୁର ପୁଲିସ ପ୍ରଥମେ ପିଡ଼ିତା ପ୍ରେମିକାର ଡ଼ାକ୍ତରୀ ପରୀକ୍ଷା କରାଇବା ପରେ ଯାଜପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେ୍ରଟ୍ (ଜେଏମଏଫସି) ଙ୍କ କୋର୍ଟରେ ହାଜର କରାଇଥିଲା । ମାଜିଷ୍ଟେ୍ରଟଙ୍କ ନିକଟରେ ପିଡ଼ିତାଙ୍କ ସମସ୍ତ ଜମାନବନ୍ଦୀ ରେକଡର଼୍ ପରେ ଅନ୍ୟାନ୍ୟ ଡ଼ାକ୍ତରୀ ପରୀକ୍ଷା ବାକି ଥିବାରୁ ପିଡ଼ିତାକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ମହିଳା ସର୍ଟ ଷ୍ଟେ ହୋମରେ ଅସ୍ଥାୟୀ ରୂପେ ଅବସ୍ଥାପିତ କରାଯାଇଥିବା ସୂଚନା ମିଳିଛି । ଅପରପକ୍ଷେ ଏହି ମାମଲାକୁ ରଫା ଦଫା କରିବାକୁ କିଛି ସ୍ଥାନୀୟ ଦଲାଲ ଉଦ୍ୟମ କରିବାକୁ ନେଇ ପିଡ଼ିତା ପରିବାର ବିରୋଧ କରିଥିବାର ଶୁଣିବାକୁ ମିଳିଛି ।

Comments (0)
Add Comment