ଝରିଗାଁ : ଅଧିକାଂଶ ଗରୀବ ବନାଞ୍ଚଳ ଆଦିବାସୀ ଯେଉଁମାନେ ଜଙ୍ଗଲରୁ ସମସ୍ତ ବ୍ୟବହାର୍ଯ୍ୟ ଜିନିଷ ସଂଗ୍ରହ କରି ଜୀବନଯାପନ କରିଥାନ୍ତି। ସେ ଫୁଲ ହେଉକି ଫଳ କିମ୍ବା ଶାଗ ହେଉ କି ଅନ୍ୟ କିଛି ଘର କରଣା ଜିନିଷ ବ୍ୟବହାର ପାଇଁ ଜଙ୍ଗଲରୁ ସଂଗ୍ରହ କରିଥାନ୍ତି। ମହୁଲ, ଶାଳ, କେନ୍ଦୁ, ଅଁଳା ଭଳି ଶିଆଳି ପତ୍ର ସଂଗ୍ରହ କରି କିଛି ନିଜେ ବ୍ୟବହାର କରିବା ସଙ୍ଗେ ସଙ୍ଗେ ବଜାରକୁ ନେଇ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି। ଉପାନ୍ତ ଜଙ୍ଗଲକୁ ଯାଇ ଶିଆଳି ପତ୍ର ବିଡା ମୁଣ୍ଡରେ ବୋହି କୁସୁମ ବାହାଲ ଗ୍ରାମର ମହିଳା ଓ ଯୁବତୀ ଝରିଗାଁ ବ୍ଲକ ସଦର ବଜାରକୁ ବିକ୍ରି ପାଇଁ ଆଣିବା ଦୃଶ୍ୟ ଦେଖିବାକୁ ମିଳିଛି। ଶିଆଳି ପତ୍ରରେ ଖାଇବା ଅନୁଭୂତି ନିଆରା। ଖାଇବା ବାସନ ପାତ୍ର ମାଜିବା ପାଣି ଖର୍ଚ୍ଚ କରିବାକୁ ପଡିନଥାଏ। ପର୍ବପର୍ବାଣୀ, ପୂଜା ଅର୍ଚ୍ଚନା,ବାହାଘର,ଶ୍ରାଦ୍ଧ,ଭୋଜି ଆଦିରେ ଶିଆଳି ପତ୍ରର ଚାହିଦା ସର୍ବଦା ରହି ଆସିଛି। ହୋଟେଲ ଜଳଖିଆ ଦୋକାନ ଗୁଡ଼ିକରେ ଶିଆଳି ପତ୍ରରେ ଖାଇବାକୁ ଲୋକେ ଅଧିକ ପସନ୍ଦ କରିଥାନ୍ତି। ଶିଆଳି ପତ୍ରରେ ପ୍ରସ୍ତୁତ ଖୋଲି ଦୋନା ଚକନି ରେ ଖାଇବାକୁ ସମସ୍ତେ ଆଗ୍ରହ କରନ୍ତି। ବହୁଳ ପରିମାଣରେ ଜଙ୍ଗଲ କ୍ଷୟ ହେବା ଦ୍ବାରା ପୂର୍ବଭଳି ସେହି ପରିମାଣରେ ମିଳୁନଥିବା କହିଛନ୍ତି ମହିଳାମାନେ। ପ୍ରକୃତିଦତ୍ତ ଶିଆଳି ଲତା ଅଧିକାଂଶ ଲୋପ ପାଇବାକୁ ବସିଲାଣି। ଜଙ୍ଗଲ କ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ଏହା ଉପରେ ପ୍ରଭାବ ପକାଇଛି। ମାଇଲ ମାଇଲ ବାଟ ନିର୍ଦ୍ଧିଷ୍ଟ ଜଙ୍ଗଲ ମଧ୍ୟରେ ଅତି କମ୍ ପରିମାଣରେ ଶିଆଳି ଲତା ରହିଥିବା କହିଛନ୍ତି ପତ୍ର ବିକୁଥିବା ମହିଳା। ଏହାର ସଂରକ୍ଷଣ ନିହାତି ଜରୁରୀ ରହିଛି। ନହେଲେ ଅଞ୍ଚଳରେ ଏହା ଆଗାମୀ ଦିନରେ ମିଳିବା ସପ୍ନ ହୋଇଯିବ। ଆଦିବାସୀ ଜନଜାତି ଶିଆଳି ପତ୍ରରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ନିକଟସ୍ଥ ବଜାରକୁ ବିକ୍ରି କରିବାକୁ ଆଣି ଟଙ୍କା ରୋଜଗାର କରିଥାନ୍ତି ଓ ପରିବାର ପ୍ରତିପୋଷଣ କରିଥାନ୍ତି। ଶିଆଳି ଲତା ଆଦିବାସୀ ଓ ଜଙ୍ଗଲ ନିବାସୀଙ୍କ ପାଇଁ ଆଶୀର୍ବାଦ। ଏହି ଲତାର ମଞ୍ଚି ମଧ୍ୟ ଖାଇବାକୁ ସୁସ୍ୱାଦୁ ଏବଂ ଔଷଧୀୟ ମଧ୍ୟ। ଏହାର ଫୁଲରେ ପ୍ରସ୍ତୁତ ମହୁ ମଧ୍ୟ ଅଧିକ ମିଠା ଲାଗିଥାଏ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ୱାସ ରହିଛି। ଶିଆଳି ବୀଜରୁ ତୈଳ ମଧ୍ୟ ପ୍ରସ୍ତୁତ ହୋଇଥାଏ। ଶିଆଳି ପତ୍ରକୁ ଏବେ କୁଟୀର ଶିଳ୍ପରେ ପରିଣତ କରାଯାଇଛି। ପଲ୍ଲୀ ହେଉ କି ସହର ସବୁ ଜାଗାରେ ଲୋକେ ଏହାକୁ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। କୋରାପୁଟ କନ୍ଧମାଳ ଆଦି ଜିଲ୍ଲାରେ ଏହା ବହୁଳ ପରିମାଣରେ ମିଳିଥାଏ । ଶତାଧିକ ଆଦିବାସୀ ପରିବାର ରୋଜଗାରକ୍ଷମ ହୋଇପାରିଛନ୍ତି। ପୋଡୁ ଚାଷ ଓ ଜଙ୍ଗଲରେ ନିଆଁ ଫଳରେ ଶିଆଳି ଲତା ନଷ୍ଟ ହେଉଛି। ଅନ୍ୟପଟେ ଏହାର ଚାହିଦା ରହିଥିଲେ ମଧ୍ୟ ସେହି ପରିମାଣରେ ମିଳୁନଥିବା ଯୋଗୁଁ ପତ୍ରର ବିକଳ୍ପ ଭାବେ ବର୍ତ୍ତମାନ ବଜାରରେ ଆଧୁନିକ ପ୍ଲାଷ୍ଟିକ୍ ପ୍ରସ୍ତୁତ ଖୋଲି ଦୋନା ଗ୍ଲାସ୍ ମିଳୁଛି। ଶିଆଳି ପତ୍ରର ୧୦୦ ଖୋଲି ବର୍ତମାନ ଦେଢ ଶହ ଟଙ୍କାରୁ ଦୁଇ ଶହ ଟଙ୍କା ପର୍ଯ୍ୟନ୍ତ ଆକାର ଦେଖି ବିକ୍ରି ହେଉଛି। ଖୋଲି ପ୍ରସ୍ତୁତ କରି ବିକୁଥିବା ମହିଳା ମାନେ ଏମାନଙ୍କ ନିକଟରୁ କମ୍ ଦରରେ ପତ୍ର ବିଡା କିଣିଥାନ୍ତି। ଖୋଲି ଦୋନା ଚକନୀ ପ୍ରସୂତ କରି ବିକିଥାନ୍ତି। ପ୍ରକୃତିର ଏହି ଦାନକୁ ରକ୍ଷଣା ବେକ୍ଷଣ କରିବା ସହ ମହିଳା ଗୋଷ୍ଠୀଙ୍କ ପାଇଁ କୁଟୀରଶିଳ୍ପ କ୍ଷେତ୍ର ପ୍ରସ୍ତୁତ କରି ଏହାକୁ ଉଚିତ୍ ମୂଲ୍ୟଯୁକ୍ତ କରିବାକୁ ଓରମାସ,ଜଙ୍ଗଲ ବିଭାଗ, ଟିଡିସିସି, ଆଇଟିଡିଏ ,ମିଶନ ଶକ୍ତି ଓଡ଼ିଶା ଜୀବିକା ମିଶନ ଭଳି ସଂସ୍ଥାମାନେ ସରକାରୀ ସାହାଯ୍ୟ ପାଇଁ ନାମ ନିବେଦନ କରିଛନ୍ତି।