ବୌଦ୍ଧ : ବଣ ପାହାଡ ଘେରା ବୌଦ୍ଧ ଜିଲ୍ଲାରେ ଭରିରହିଛି ଝରଣା,ନଦ ନଦୀ ,ପାହଡ ଓ ଜଳାଶୟ ଭଳି ଅନେକ ମନୋରମ ସ୍ଥାନ ।ଏହି ସ୍ଥାନ ମାନଙ୍କ ମଧ୍ୟରେ ସଗଡା ପଞ୍ଚାୟତ ଖଣ୍ଡିକନପା ଗ୍ରାମ ।ଗ୍ରାମର ଚର୍ତୁପାଶ୍ୱର୍ରେ ସବୁଜ ବନାନୀ ଘେରି ରହିଥିବା ବେଳେ ଗାଁ ନିକଟରେ କୁଳୁକୁଳୁ ନାଦରେ ବହିଯାଇଛି ଚିରସ୍ରୋତା ବାଘନଦୀ ।ନଦୀ ଜଳ ନୀଳ ଦିସୁଥିବା ବେଳେ ଏହା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରଥାଏ ।ନଦୀର ଆରପାଶ୍ୱର୍ କୂଳରେ ଏକ ପ୍ରାଚୀନ ଗୁମ୍ପାରେ ଗୁପ୍ତରେ ମହାଦେବ ପୂଜା ପାଉଥିବାରୁ ଗୁପ୍ତେଶ୍ୱର ନାମରେ ପରିଚିତି ଲାଭ କରିଛି ।ଏହି ଶୈବପୀଠ ଟି ପ୍ରାଚୀନ ହୋଇଥିବାରୁ ବହୁ ପର୍ଯ୍ୟଟକ ଙ୍କ ଆଗମନ ହୋଇଥାଏ । ମାଛକୁଣ୍ଡ-ବାଘନଦୀ ମଧ୍ୟରେ ଥିବା ଏକ ଗଭୀର ଜଳ ରହୁଥିବା ସ୍ଥାନକୁ ମାଛକୁଣ୍ଡ ନାମରେ ପର୍ଯ୍ୟଟକ ମାନେ ନାମିତ କରିଛନ୍ତି ।ଏହି ସ୍ଥାନରେ ଶତାଧିକ ପ୍ରଜାତିର ମାଛ ରହିଥିବା ବେଳେ ପର୍ଯ୍ୟଟକମାନେ ମାଛମାନଙ୍କୁ ଖାଦ୍ୟଦେବା ପାଇଁ ଗଲେ ମାଛମାନେ ପର୍ଯ୍ୟଟକଙ୍କ ନିକଟକୁ ଆସିଥାନ୍ତି ।ଏହା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ ।ଏହା ଛଡା ଏଠାରେ ନଦୀ ର ଏ କୂଳରୁ ଆର ପାଶ୍ୱର୍ ଗୁପ୍ତେଶ୍ୱର ବାବାଙ୍କ ପୀଠକୁ ଯିବାପାଇଁ ଏକ ବାଉଁଶ ପୋଲରେ ଯିବାକୁ ପଡିଥାଏ ।ଏହି ବାଉଁଶ ପୋଲକୁ ଏହି ଅଞ୍ଚଳର ଲୋକମାନେ ମିଳିତଭାବେ ପ୍ରତିବର୍ଷ ନିର୍ମାଣ କରିଥାନ୍ତି ।ଏହି ପୋଲରେ ଗଲେ ପାଣିଉପରେ ଚାଲିବା ଭଳି ଲାଗିଥାଏ । ଏହି କାରଣରୁ ପୋଲଟିରେ ପର୍ଯ୍ୟଟକ ମାନେ ବେଶ ଖୁସିରେ ଯିବାସହ ଫୋଟ ଉଠାଇବାକୁ ଭୁଲନ୍ତି ନାହିଁ । ଏହିଠାରୁ କିଛି ଦୁରରେ ରହିଛି ଶଗଡା ଡ୍ୟାମ୍ ।ଏହିଡ୍ୟାମଟି ବାଘନଦୀରେ ଶଗଡା ନିକଟରେ ହୋଇଥିବାରୁ ଶଗଡା ବାଘ ବ୍ୟାରେଜ ପ୍ରକଲ୍ପ (ଶଗଡା ଡ୍ୟାମ )ନାମରେ ୧୯୯୬ ମସିହାରେ ୭୫ କୋଟି ୬୫ ଲକ୍ଷ ଟଙ୍କାରେ ନିର୍ମିତ ଏହି ଡ୍ୟାମକୁ ଓଡିଶାର ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରେ ଉଦଘାଟନ କରିଛନ୍ତି ।ଏହି ଡ୍ୟାମହେବା ଯୋଗୁଁ ଏହି ଅଞ୍ଚଳର ପ୍ରାୟ ୧୦ହଜାର ହେକ୍ଟର ଚାଷଜମି କୁ ଜଳସେଚିତ ହୋଇପାରିଛି ।ଆଗରୁ ଏହି ଡ୍ୟାମ ନକଟରେ ଏକ ପାର୍କଥିଲା ଯାହାକି ରକ୍ଷଣାବେକ୍ଷଣ ଅଭାବରୁ ପାର୍କର ଚିହ୍ନବର୍ଣ୍ଣ ମଧ୍ୟ ଆଉଦେଖା ଯାଉନାହିଁ ।ସେ ଯାହାବି ହେଉ ଏହି ସ୍ଥାନଟିକୁ ଜିଲ୍ଲା ପ୍ରଶାସନ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇଥିବାରୁ ନିଶ୍ଚିତଭାବେ ଏହାର ଉନ୍ନତି ହେବାସହ ଏଠାକୁ ଆହୁରି ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ହେବା ଆସାକରାଯାଏ । ଏଠାରେ ବଣଭୋଜି କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାର ବହୁ ପର୍ଯ୍ୟଟକ ଏବେ ପ୍ରତିଦିନ ଆସୁଥିବା ବେଳେ କାର୍ତ୍ତୀକ ଓ ଶ୍ରାବଣ ମାସ ବହୁ ପର୍ଯ୍ୟଟକ ଗୁପ୍ତେଶ୍ୱର ବାବାଙ୍କ ଦର୍ଶନପାଇଁ ଆସିଥାନ୍ତି ।ଏଠାକୁ ଆସିବା ପାଇଁ ପର୍ଯ୍ୟଟକମାନେ ମନମୁଣ୍ଡା ହସପିଟାଲ ଛକରୁ ଦକ୍ଷିଣ ଦିଗ ରାସ୍ତାରେ ପ୍ରାୟ ୫୦ କିମି ଯିବାପରେ ସଗଡା ଏହିସ୍ଥାନଟିରେ ପହଞ୍ଚିବେ ।