ବଦଳିଲା କେନ୍ଦ୍ର ଜାହାଜ ମନ୍ତ୍ରଣାଳୟର ନାମ


ପାରାଦୀପ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୦୮ତାରିଖ ଦିନ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ନାମ ପରିବର୍ତ୍ତନ କରି ଏହାକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ରୁପେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଏହି ଅବସରରେ ସେ କହିଥିଲେ ଯେ, ଅଧିକାଂଶ ବିକଶିତ ଦେଶ ଗୁଡିକରେ ଜାହାଜ ମନ୍ତ୍ରଣାଳୟ ବନ୍ଦର ଓ ଜଳମାର୍ଗର ଦେଖାଶୁଣା କରିଥାଏ । ନାମ ପରିବର୍ତ୍ତନ ଦ୍ୱାରା କାର୍ଯ୍ୟଶୈଳୀରେ ଅଧିକ ସ୍ପଷ୍ଟତା ଆସିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜଣାଇଛନ୍ତି । ଗୁଜୁରାତର ହାଜିରା ଠାରେ ରୋ-ପକ୍ସ ଟର୍ମିନାଲର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଶୁଭ ଉଦ୍ଘାଟନ ଅବସର ତଥା ହାଜିରା ଏବଂ ଘୋଘା ମଧ୍ୟରେ ରୋ-ପକ୍ସ ନୌସେବାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହି ସେବା ଦ୍ୱାରା ଦୁଇଟି ସ୍ଥାନ ମଧ୍ୟରେ ଥିବା ଯାତ୍ରା ସମୟ ପୂର୍ବର ୧୦ରୁ ୧୨ଘଣ୍ଟା କମ୍ ହୋଇ ୩ରୁ ୪ଘଣ୍ଟା ମଧ୍ୟରେ ହୋଇଯିବ । ଅନ୍ୟ ପକ୍ଷରେ ପ୍ରାୟ ୮୦ହଜାର ଯାତ୍ରୀବାହୀ ଟ୍ରେନ ଓ ୩୦ହଜାର ଟ୍ରକ ଆଗାମୀ ଏକ ବର୍ଷ ମଧ୍ୟରେ ଏହି ସେବାର ଫାଇଦା ପାଇବେ । ଏ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶରେ ବନ୍ଦର ଗୁଡିକର କ୍ଷମତା ବୃଦ୍ଧି ପାଇଛି ଓ ନୂତନ ବନ୍ଦରର ନିର୍ମାଣ ଦୃତ ଗତିରେ ଆଗେଇ ଚାଲିଛି । ଦେଶରେ ପ୍ରାୟ ୨୧ହଜାର କିଲୋମିଟର ଜଳମାର୍ଗର ବ୍ୟାପକ ଉପଯୋଗ ପାଇଁ ପ୍ରୟାସ କରାଯାଉଛି ଏବଂ ସାଗରମାଳା ଯୋଜନା ପ୍ରକଳ୍ପ ଅର୍ନ୍ତଗତ ୫୦୦ରୁ ଅଧିକ ପ୍ରକଳ୍ପ ଉପରେ କାର୍ଯ୍ୟ ଜାରି ରହିଛି । ଜଳମାର୍ଗରେ ପରିବହନ, ସଡକ ଓ ରେଳ ପରିବହନ ଠାରୁ ଅପେକ୍ଷାକୃତ ଶସ୍ତା ଏବଂ ପରିବେଶ ଅନୁକୁଳ ଅଟେ । ଏତଦ୍ ବ୍ୟତୀତ ଭୁଭାଗରେ ଆବଦ୍ଧ ରାଜ୍ୟ ଗୁଡିକୁ ସମୁଦ୍ର ସହିତ ଯୋଡିବା ପାଇଁ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଉପରେ କାର୍ଯ୍ୟ ଜାରୀ ମଧ୍ୟ ରହିଛି । ବଙ୍ଗୋପସାଗର ଉପକୂଳ ତଥା ଭାରତ ମହାସାଗରରେ ଆମର କ୍ଷମତା ବିକାଶ ଜାରୀ ରହିଛି । ଆଗାମୀ ପାର୍ବଣ ଋତୁରେ ସ୍ଥାନୀୟ ଛୋଟ ବେପାରୀ, କାରୀଗର ଓ ସ୍ଥାନୀୟ ଲୋକଙ୍କ ଉତ୍ପାଦ କିଣିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହ୍ୱାନ ଜଣାଇଥିଲେ । ଏହି ପ୍ରୟାସ ଦ୍ୱାରା ଆଗାମୀ ଦୀପାବଳୀରେ ଗ୍ରାମୀଣ କାରିଗରଙ୍କ ଘର ଆଲୋକିତ ହେବ ବୋଲି ସେ ଆଶାବ୍ୟକ୍ତ କରିଥିବା ପାରାଦୀପ ବନ୍ଦର ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି ।

Comments (0)
Add Comment