ବଳକା ଚାଉଳକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର: ରାଜ୍ୟରୁ ବଳକା ଉଷୁନା ଚାଉଳକୁ ନେଇ ବିଜେଡି-ବିଜେପି ମୁହାଁ ମୁହିଁ ହୋଇଛନ୍ତି । କେନ୍ଦ୍ର ସରକାର ବଳକା ଉଷୁନା ଚାଉଳ ନେବ ନାହିଁ ବୋଲି ଦେଇଥିବା ଚିଠିକୁ ବିଜେଡି ତିବ୍ର ସମାଲୋଚନା କରିଥିଲା ବେଳେ ବିଜେଡିର ଏହି ଅଭିଯୋଗର ପାଲଟା ଜବାବ ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି-ଚାଷୀଙ୍କ ପାଇଁ ନୁହେଁ, ମିଲରଙ୍କ ପାଇଁ ଓକିଲାତି କରୁଛି ବିଜେଡି । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ଓଡିଶାରୁ ଉତ୍ପାଦିତ ହେଉଥିବା ଉଷୁନା ଚାଉଳର ୫୦ ପ୍ରତିଶତ ନେବ ବୋଲି କେନ୍ଦ୍ର କହୁଛି । ଏଯାଏ ରାଜ୍ୟରେ ୩୫ଲକ୍ଷ ମେଟି୍ରକ ଟନରୁ ଅଧିକ ଧାନ ସଂଗ୍ରହ ହୋଇଛି । ଚଳିତବର୍ଷ ମୋଟ୍ ୮୨ ଲକ୍ଷ ମେଟି୍ରକ୍ ଟନ୍ ଧାନ କିଣାଯିବା ଲକ୍ଷ୍ୟ ରହିଛି । ଧାନ କିଣା ନେଇ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ରାଜ୍ୟ ସରକାର ଦେଇଛନ୍ତି । ତେବେ ସେନେଇ କେନ୍ଦ୍ର ଏଯାବତ ରାଜ୍ୟ ସରକାରଙ୍କୁ ଟଙ୍କା ଦେଇନି । କେନ୍ଦ୍ର ଉଷୁନା ଚାଉଳ ନନେଲେ ଓଡିଶା ଉପରେ ୧୦ ହଜାର କୋଟି ବୋଝ ପଡିବ । ରାଜ୍ୟ ବିଜେପି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା ନକାନ୍ଦି କେନ୍ଦ୍ରକୁ ବୁଝାଉ ବୋଲି କହିଛନ୍ତି ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନି ଛୁରିଆ । ବିଜେଡିର ଏହି ଆରୋପର ଉତର ଦେଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଧାନ କିଣାକୁ ନେଇ ବିଜେଡି ଆଜି କରିଥିବା ସାମ୍ବାଦିକ ସମ୍ମିଳନୀରେ ୩ ବିଜେଡି ନେତା ୩ ପ୍ରକାର କଥା କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚାଷୀଙ୍କ କଥା କହୁଥିବା ବିଜେଡି ନେତାମାନେ ଧାନ କିଣିବା ବିଷୟରେ ନକହି ଚାଉଳ ସମ୍ପର୍କରେ କହିଲେ । ତେବେ ଏଠି କହିରଖେ ଚାଷୀ ଚାଉଳ ବିକେନାହିଁ, ଧାନ ବିକେ । ଆଉ ଚାଉଳ ବିକ୍ରିକରେ ମିଲର । ଏଥିରୁ ଜଣାପଡୁଛି ବିଜେଡି ନେତା ଚାଷୀଙ୍କ ପାଇଁ ନୁହେଁ, ମିଲରଙ୍କ ପାଇଁ ଓକିଲାତି କରିବାକୁ ଆସିଥିଲେ । ସେ ଆହୁରି କହିଛନ୍ତି- ଓଡିଶାରେ ଚାଷୀଙ୍କର ବହୁ ସମସ୍ୟା ରହିଛି । କେନ୍ଦ୍ର ସରକାର ଚାଷୀଙ୍କ ଆୟ ଦ୍ୱି’ଗୁଣିତ କରିବା ଓ ଧାନ କିଣିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପଇସା ଦେଇଛନ୍ତି । ଏହା ସତ୍ୱେ ରାଜ୍ୟ ସରକାର ଅଧିକରୁ ଅଧିକ ମଣ୍ଡି ଖୋଲି ପାରିଲେ ନାହିଁ । ଡିସେମ୍ବର ୧ରେ ମଣ୍ଡି ଖୋଲିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ହେଲେ ରାଜ୍ୟରେ କେଉଁଦିନ ମଣ୍ଡି ଖୋଲିଲା ଓ ବନ୍ଦ ହେଲା, ତା’ ସମ୍ପର୍କରେ ଖୋଦ୍ ଚାଷୀ ଜାଣିପାରିଲା ନାହିଁ । ଏପରି ସ୍ଥିତିରେ ଏମାନେ ଆଜି କେନ୍ଦ୍ର ଅବହେଳା କଥା କରୁଛନ୍ତି ।

Comments (0)
Add Comment