ବାଜି ଲଗାଇ ମହାନଦୀକୁ ଡେଇଁଲେ ନିଶାଗ୍ରସ୍ତ ଯୁବକ

ବାରଙ୍ଗ: ଜଣେ ନିଶାସକ୍ତ ଯୁବକ ସାଙ୍ଗ ସହ ବାଜି ଲଗାଇ ମହାନଦୀକୁ ଡେଇଁ ପଡ଼ିବା ଓ ଅଳ୍ପକେ ବତିଯିବା ଘଟଣାଟି ବାରଙ୍ଗ ଓ ଆଠଗଡ଼ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ମୁଣ୍ଡଳୀ ଆନିକଟ ଉପରେ ଏମିତି ଅଜବ କାଣ୍ଡ ଭିଆଇଥିବା ଯୁବକ ଜଣାକ ଆଠଗଡ ଥାନା ଅଧୀନ ନୂଆବନ୍ଧ ଗ୍ରାମର ରତିରଞ୍ଜନ ମୁଦୁଲି (୨୮) ବୋଲି ଜଣାପଡ଼ିଛି । ପ୍ରାୟ ୨ କିଲୋମିଟରରୁ ଅଧିକ ଦୂର ପାଣିରେ ବୁଡି ବୁଡି ଭାସିଯିବା ପରେ ମଧ୍ୟ ଆଶ୍ଚର୍ଯ୍ୟଜନକଭାବେ ସେ ବଂଚି ଯାଇଛନ୍ତି । ସୂଚନାନୂସାରେ ଅପରାହ୍ନ ୪ଟାବେଳେ ରତିରଞ୍ଜନ ଓ ତାଙ୍କର ଜଣେ ସାଙ୍ଗ ଏକ ବାଇକ୍ରେ ଭୁବନେଶ୍ୱରରୁ ଆଠଗଡ ଫେରୁଥିଲେ । ମୁଣ୍ଡଳୀ ଆନିକଟ ନିକଟରେ ବାଇକ୍ ରଖି ସେମାନେ କିଛି ସମୟ ଗପସପ କରିଥିଲେ । ତେବେ ହଠାତ୍ ରତିରଞ୍ଜନ ମହାନଦୀକୁ ଡେଇଁ ପଡ଼ିଥିଲେ । ସେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ସେଠାରେ ଥିବା ଲୋକମାନେ ହୋ-ହଲ୍ଲା କଲାବେଳକୁ ରତିରଞ୍ଜନ ପାଣିରେ ବୁଡ଼ି ଯାଇଥିଲେ । ବନ୍ଧୁ ଜଣକ ବାରଙ୍ଗ ଅଗ୍ନିଶମ ବିଭାଗକୁ ଫୋନ୍ କରି ଜଣାଇଥିଲେ । ଖବର ପାଇଁ ଅଗ୍ନିଶମ ବାହୀନି ପହଂଚି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତା ମିଳିନଥିଲା । କିନ୍ତୁ ପ୍ରାୟ ଘଂଟାକ ପରେ ରତିରଞ୍ଜନଙ୍କୁ ଆଠଗଡ଼ର ଧବଳେଶ୍ୱର ପଠାରେ ଲାଗିଥିବା ଦେଖିବାକୁ ମିଳିଥିଲା । ସେତେବେଳ ପର୍ଯ୍ୟନ୍ତ ମଧ୍ୟ ସେ ନିଶାସକ୍ତ ଅବସ୍ଥାରେ ଥିଲେ ଓ ସୁସ୍ଥ ମଧ୍ୟ ଥିଲେ । ବାରଙ୍ଗ ଅଗ୍ନିଶମ ଅଧିକାରୀ ରାଜକିଶୋର ଜେନା ପରିଚୟ ପାଇବା ପରେ ତାଙ୍କ ବାପାଙ୍କୁ ଡକାଇଥିଲେ ତାଙ୍କ ଜିମାରେ ଛାଡିଥିଲେ ସାଙ୍ଗ ସହ ବାଜି ଲଗାଇ ସେ ମହାନଦୀକୁ ଡେଇଁ ପଡ଼ିଥିଲେ ବୋଲି ଛାଡ଼ିବା ପରେ କହିଥିଲେ ।

Comments (0)
Add Comment