ଭୁବନେଶ୍ୱର: ଗୋଟିଏ ପଟେ କରୋନା ଯୁଦ୍ଧରେ ପୋଲିସ ପ୍ରଶଂସା ଦାଉଁଟୁଥିବା ବେଳେ କିଛି କର୍ମଚାରୀଙ୍କ କୁକର୍ମ ପାଇଁ ପୂରା ବିଭାଗକୁ କଳଙ୍କ ମୁଣ୍ଡାଇବାକୁ ପଡ଼ୁଛି । ଏବେ ଜଣେ ସୁବେଦାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି । ପୀଡ଼ିତା ଏ ସମ୍ପର୍କରେ ରାତିରେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଗ୍ରହଣ କରିବା ସହ ସମ୍ପୃକ୍ତ ଯୁବତୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଛି । ଘଟଣାକୁ ଚପାଇବା ଲାଗି ଯଥାସମ୍ଭବ ଉଦ୍ୟମ କରିଛି ପୋଲିସ । ଯୁବତୀଜଣଙ୍କ ଅଭିଯୋଗ କରିବା ଲାଗି ପ୍ରଥମେ କ୍ୟାପିଟାଲ ଥାନାରେ ପହଂଚିଥିଲେ । କ୍ୟାପିଟାଲ ଥାନା ପୋଲିସ ତାଙ୍କୁ ମହିଳା ଥାନାକୁ ପଠାଇଥିଲା । ମହିଳା ଥାନା ପୋଲିସ ପୁଣି ଯୁବତୀଙ୍କୁ କ୍ୟାପିଟାଲ ଥାନାକୁ ପଠାଇବା ପରେ ଅଭିଯୋଗ ଗ୍ରହଣ କରିଥିଲା ପୋଲିସ । ସୂଚନା ଅନୁସାରେ, ଯୁବତୀଜଣଙ୍କ ଆଚାର୍ଯ୍ୟ ବିହାର ଅଂଚଳରେ ରୁହନ୍ତି । ଗତକାଲି ଏକ ଅଟୋରେ ୟୁନିଟ୍-୧ ଆସୁଥିଲେ । ସେହି ଅଟୋରେ ଜଣେ ସୁବେଦାର ଆସୁଥିଲେ । ଉଭୟଙ୍କ ମଧ୍ୟରେ ଚିହ୍ନା ପରିଚୟ ହୋଇଥିଲା । ପରେ ସୁବେଦାରଜରଙ୍କ ଯୁବତୀଙ୍କୁ ୟୁନିଟ୍-୧ ସ୍ଥିତ ସରକାରୀ କ୍ୱାର୍ଟର୍ସକୁ ନେଇ ସେଠାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ କ୍ୟାପିଟାଲ ଥାନା ପୋଲିସ ଏ ସମ୍ପର୍କରେ କିଛି କହିବାକୁ ମନା କରିଦେଇଛି ।