ବାପା ରଖିବ ପୁଅକୁ: ହାଇକୋର୍ଟ

କଟକ: କାହା ପାଖରେ ରହିବ ୧୫ ମାସର ପୁଅ? ମାଡ଼ ମାରୁଥିବା ମା’ ପାଖରେ ନା ଯତ୍ନ ନେବାକୁ ସକ୍ଷମ ବାପା ପାଖରେ?ଏଭଳି ଏକ ଜଟିଳ ପାରିବାରିକ ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ଜନ୍ମଦାତ୍ରୀ ମା’ ଯେଉଁଭଳି ଭାବେ ଅବୋଧ ଶିଶୁକୁ ନିର୍ଯାତନା ଓ ମାଡ ଦେଉଛି ତାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହ ସାତ ଦିନ ଭିତରେ ବାପାଙ୍କୁ ୧୫ ମାସର ପୁଅକୁ ହସ୍ତାନ୍ତର କରିବାକୁ ନିଦେ୍ର୍ଧଶ ଦେଉଛନ୍ତି । ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ସୋରଭ ଗ୍ରାମ ପାଇକସାହିର ଚକ୍ରଧର ନାୟକଙ୍କ ପକ୍ଷରୁ ରୁଜୁ ମାମଲାର ବିଚାର କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ.ମିଶ୍ର ଓ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାରେ ମା’ ଅପେକ୍ଷା ବାପା ପାଖରେ ଶିଶୁ ସୁରକ୍ଷିତ ବୋଲି ଅଦାଲତ ଅନୁଭବ କରିଛନ୍ତି । ଯଦି ମା’ ପାଖରେ ଶିଶୁ ରହେ ତାହେଲେ ପିଲାର ଶରୀରିକ ଏବଂ ମାନସିକ କ୍ଷତି ହେବ । ଏମିତିକି ପିଲାର ମାନସିକତା ନକାରାତ୍ମକ ଭାବେ ପ୍ରଭାବିତ ହେବ ବୋଲି ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଦାଲତଙ୍କ ଆଦେଶର ୭ ଦିନ ଭିତରେ ମା’ ନିଜର ୧୫ ମାସର ଶିଶୁ ପୁତ୍ରକୁ ଆବେଦକାରୀ ବାପା ଚକ୍ରଧରଙ୍କୁ ହସ୍ତାନ୍ତର କରିବେ । ଯଦି ହସ୍ତାନ୍ତର ନକରନ୍ତି ତେବେ ଗୋପ ପୋଲିସ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ମାମଲାରୁ ଜଣାଯାଇଛି ଯେ, ଆବେଦନକାରୀ ଚକ୍ରଧର ନାୟକ ଓ ତାଙ୍କ ପରିବାର ବିରୋଧରେ ପତ୍ନୀ ରୋଜାଲିନ୍ ନାୟକ ୨୦୧୫ ମସିହାରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗରେ କିଛି ଦିନ ପାଇଁ ଚକ୍ରଧରଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିଥିଲା । କିନ୍ତୁ ପରବର୍ତୀ ସମୟରେ ଆପୋସ ବୁଝାମୁଣା ହେବାରୁ ରୋଜାଲିନ ପୁନାର୍ବାର ଶାଶୁଘରକୁ ଜନ୍ମ ହୋଇଥିଲା । ଚକ୍ରଧର ଭୁବନେଶ୍ୱରରେ ଦୋକାନ କରିଥିଲା । ବେଳେ ଶାଶୁଘରେ ରହି ରୋଜାଲିନ୍ ପୁଅକୁ ଅକଥନୀୟ ନିର୍ଯାତନା ଦେଉଥିଲେ । ଏନେଇ ଚକ୍ରଧର ଜାଣିବା ପରେ ରୋଜାଲିନ୍ଙ୍କ ଅଜାଣତରେ ଘରେ ସିସିଟିଭି ଲଗାଇଥିଲେ । ଏହି ସିସିଟିଭିରେ ରୋଜାଲିନ୍ ପୁଅକୁ ଅତି ନିର୍ଦ୍ଧୟ ଭାବେ ମାଡ ମାରୁଥିବା, ନିର୍ଯାତନା ଦେଉଥିବା ରେକର୍ଡ ହୋଇଯାଇଥିଲା । ସୋସିଆଲ୍ ମିଡିଆରେ ଏହି ସିସିଟିଭି ଭିଡିଓ ଭାଇରାଲ୍ ହେବା ପରେ ଗତ ଅଗଷ୍ଟ ୧୬ ତାରିଖେୀ ପୁରୀ ଚାଇଲଡ୍ ଲାଇନ୍ ସଂଯୋଜକ କୃଷ୍ଣଚନ୍ଦ୍ର ମିଶ୍ର ଗୋପ ଥାନାରେ ଏକ ଏତାଲା ଦେଇଥିଲେ । ପୁରୀ ଚାଇଲଡ୍ ଲାଇନ୍ର ସଦସ୍ୟଙ୍କ ସମେତ ଗୋପ ଥାନା ଆଇଆଇସି ସୋରଭ ଗ୍ରାମକୁ ଯାଇ ସିସିଟିଭି ସିଡି ଜବତ କରିବା ସହ ୧୫ ମାସର ଶିଶୁ ରୁଦ୍ରକୁ ଉଦ୍ଧାର କରିଥିଲେ । ପୁରୀ ଶିଶୁ ମଙ୍ଗଳ କମିଟି ପିଲାଟିକୁ ତା’ର ବାପା ଚକ୍ରଧର ନାୟକଙ୍କୁ ହସ୍ତାନ୍ତ୍ରର କରିଥିଲେ । ଏଥିସହ ଗତ ସେପ୍ଟେମ୍ବର ୨୭ ତାରିଖରେ ଏହି ଘଟଣାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଅନ୍ୟପକ୍ଷରେ ବିବାଦ ପରେ ରୋଜାଲିନ୍ ତାଙ୍କ ପୁଅକୁ ନେଇ କୋଣାର୍କସ୍ଥିତ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ । ତେଣୁ ତାଙ୍କ ପୁଅକୁ ତାଙ୍କ ପାଖକୁ ଫେରାଇ ଆଣିବା ପାଇଁ ଚକ୍ରଧର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଗତ ୧୨ ତାରିଖରେ ଆବେଦନକାରୀଙ୍କ ଆଇନଜୀବୀ ଯେଉଁ ଭିଡିଓ ଅଦାଲତରେ ଦାଖଲ କରିଥିଲେ ତାହାକୁ ଦେଖିଥିଲେ । ରୋଜାଲିନ ଶିଶୁପୁତ୍ରଟିକୁ ନିଦେ୍ର୍ଧୟ ଭାବେ ବିଭିନ୍ନ ସମୟରେ ପିଟୁଥିବାର ଦୃଶ୍ୟ ଅଦାଲତ ଦେଖିବାକୁ ପାଇଥିଲେ । ଏହା ଦେଖିବା ପରେ ହାଇକୋର୍ଟ ଶିଶୁର ମା’ ରୋଜାଲିନ୍ଙ୍କୁ ଭର୍ଚୁଆଲ୍ ମୋଡରେ ହାଜର କରାଇବା ପାଇଁ ଗୋପ ଥାନା ଆଇଆଇସିଙ୍କୁ ନିଦେ୍ର୍ଧଶ ଦେଇଥିଲେ । ସେହି ଅନୁସାରେ, ଭର୍ଚୁଆଲ୍ ମୋଡ୍ରେ ରୋଜାଲିନ ହାଜର ହୋଇ ଯେହେତୁ ପିଲା ତାଙ୍କର ତେଣୁ ଆକଟ କରିବା ଓ ମାରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି ବୋଲି ଅଦାଲାତଙ୍କୁ ଅବଗତ କରିଥିଲେ । ଏପରିକି ସେ କୌଣସି ପରିସ୍ଥିତିରେ ତା’ର ପିଲାକୁ ସ୍ୱାମୀଙ୍କ ହାତକୁ ଟେକିଦେବ ନାହିଁ ବୋଲି କହିଥିଲେ । ଅପରାପକ୍ଷରେ ଆବେଦନକାରୀ ଚକ୍ରଧର ନାୟକ ଭୁବନେଶ୍ୱରରେ ତାଙ୍କ ଭଉଣୀ, ଭିଣୋଇଙ୍କ ସହ ରହୁଛନ୍ତି । ତାଙ୍କର ଏକ ଦୋକାନ ରହିଛି । ତେଣୁ ଯେଉଁ ସମୟରେ ସେ ଦୋକାନକୁ ଯିବେ ସେହି ସମୟରେ ତାଙ୍କ ଭଉଣୀ ପିଲାର ଲାଳନପାଳନ କରିବେ ବୋଲି ଅଦାଲତଙ୍କୁ ଅବଗତ କରିଥିଲେ । ହାଇକୋର୍ଟ ଉଭୟ ପକ୍ଷରୁ ଶୁଣିବା ପରେ ୭ ଦିନ ଭିତରେ ରୋଜାଲିନ୍ ପୁଅକୁ ହସ୍ତାନ୍ତର କରିବେ ବୋଲି ନିଦେ୍ର୍ଧଶ ଦେଇଛନ୍ତି । ବାପା ଚକ୍ରଧରଙ୍କ ପାଖରେ ପୁଅ ରହିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି ।

Comments (0)
Add Comment