ବାଲିକୁଦା ବଜାରରୁ ସିରିଏଲ ଚୋରୀ

ବାଲିକୁଦା: ବାଲିକୁଦା ବଜାରରୁ ଗତକାଲି ରାତିରେ ଏକାଧିକ ଚୋରି ହୋଇଥିବା ବେଳେ ଅନେକ ଦୋକାନର ତାଲା ଭଙ୍ଗାଯାଇ ଚୋରି ଉଦ୍ୟମ କରାଯାଇଥିବା ଜଣା ପଡ଼ିଛି । ଏ ନେଇ ବଜାରର ବ୍ୟସାୟୀ ମାନେ ବାଲିକୁଦା ଥାନାରେ ଲିଖିତ ଅଭଯୋଗ କରିଛନ୍ତି । ମିଳିଥିବା ସୂଚନା ମୁତାବକ ଉକ୍ତ ବଜାରରେ ଅସ୍ଥାୟୀ ଭାବେ ଉଠା ଦୋକାନ କରି ଫଳ ବ୍ୟବସାୟ କରି ଆସୁଥିବା ଦିଲ୍ଲୀପ ବିଶ୍ୱାଳ, ଅଭୟ ବାରିକ, ସୁଶାନ୍ତ ସାହୁଙ୍କ ଦୋକାନରେ ପଶି ଚୋର ଦଳ ଟଙ୍କା ପଇସା ଆପେଲ, ଅଙ୍ଗୁର ଆଦି ଚୋରି କରି ନେଇଥିବା ଜାଣିବାକୁ ମିଳିଛି । ସେହିପରି ଉକ୍ତ ବଜାରରେ ଛୋଟ ଏକ କୁକୁଡ଼ା ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ଈଶ୍ୱର ଚନ୍ଦ୍ର ରାଉତଙ୍କ କୁକୁଡ଼ା କାଉଣ୍ଟରରେ ପସି ୧୨ ଟି କୁକୁଡ଼ା ଚୋରି କରି ନେଇଛନ୍ତି ଏହି ଚୋର ଦଳ । ଅନ୍ୟ ପକ୍ଷରେ ପାନ ଦୋକାନ କରିଥିବା ମଙ୍ଗୁଳି ପ୍ରଧାନ, ରଶ୍ମିରନ ରାଉତ, ସାଧୁ ଚରଣ ସାହୁଙ୍କ ଦୋକାନରେ ମଧ୍ୟ ଏହି ଚୋର ମାନେ ପଶି ଦୋକାନରେ ଥିବା କିଛି ଖୁଚୁରା ପଇସା ସମେତ ପାନ ମସଲା ଓ ଗୁଟୁଖା ଆଦି ଚୋରି କରି ନେଇଯାଇଥିବା ଜଣା ପଡ଼ିଛି । ଏଥି ସହିତ ଉକ୍ତ ବଜାରର ଥାନପତି ଗଡ଼ା ନିକଟରେ ଥିବା ବାବାଜୀ ଦାସଙ୍କ ପରିବା ଦୋକାନରୁ ମଧ୍ୟ ଚୋରୀ କରିଥିବା ବେଳେ ବସ୍ଷ୍ଟାଣ୍ଡ ଠାରେ ଥିବା ପିଂଟୁ ଦାସଙ୍କ ହିନ୍ଦୁସ୍ଥାନ ଝଙ୍କାର ନାମକ ମୋବାଇଲ ଦୋକାନର ତାଲା ଭାଙ୍ଗି ଚୋରି ଉଦ୍ୟମ କରାଯାଇଛିା ଏ ନେଇ ଏହି ବ୍ୟବସାୟୀ ମାନେ ଥାନାରେ ଅଭିଯୋଗ କରିଛନ୍ତି । ଏବେ କରୋନା ପାଇଁ ବଜାର ଘାଟ ୫ ଟା ପରେ ଶୂନ୍ ଶାନ ହୋଇ ଯାଉଥିବାରୁ ଚୋର ମାନେ ଏହାର ସୂଯୋଗ ନେଇ ଏହା କରିଥିବା ଜଣା ପଡିଛି । ଅନ୍ୟ ପକ୍ଷରେ ରଶ୍ମିରନଙ୍କ ପାନ ଓ ସର୍ବତ ଦୋକାନ ସମ୍ମୁଖରେ ୟୁକୋ ବ୍ୟାଙ୍କ ପକ୍ଷରୁ ଲଗାଯାଇଥିବା ସିସି କ୍ୟାମେରା ଏହି ଚୋର ମାନଙ୍କ ସନ୍ଧାନ ଦେଇ ପାରିବ ବୋଲି କୁହା ଯାଉଛି । ତେବେ ଆଜି ରବିବାର ଥିବାରୁ ଓ ସେ ଦୃଷ୍ଟିରୁ ବ୍ୟାଙ୍କ୍ ବନ୍ଦ ରହିଥିବାରୁ ସିସି କ୍ୟାମେରା ଯାଂଚ କରିବା ପୁଲିସ ପକ୍ଷରେ ସମ୍ଭବ ହୋଇ ନାହିଁ । ଆସନ୍ତା କାଲି ବ୍ୟାଙ୍କ ଖୋଲିବା ପରେ ଏହାକୁ ଯାଞ୍ଚ କରାଯିବା ପରେ ଚୋର ମାନଙ୍କ ସନ୍ଧାନ ମିଳି ପାରିବ ବୋଲି ଥାନାଧିକାରୀ ସର୍ବେଶ୍ୱର ବେହେରା ସୂଚନା ଦେଇଛନ୍ତି ।

Comments (0)
Add Comment