ବାଲିପାଟଣା ବ୍ଲକରେ ଯୁବ କଂଗ୍ରେସ ପକ୍ଷରୁ ରିଲିଫ ବଂଟନ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଯୁବକଂଗ୍ରେସ ସଭାପତି ଶ୍ରୀ ସ୍ୱାଗତ କର ଏବଂ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ରିତ ପାତ୍ରଙ୍କ ପକ୍ଷରୁ ଆଜି ବାଲିପାଟଣା ବ୍ଲକ କଂଗ୍ରେସ ସଭାପତି ଶ୍ରୀ ବଟକୃଷ୍ଣ ରାଉତରାୟଙ୍କ ସହାୟତାରେ ବାଲିପାଟଣା ବ୍ଲକର ବେଲମରା, ଟିକିପଡ଼ା, ଇନ୍ଦ୍ରପୋସିଆଳି, ବିଲସାହି, ସାନମାଛପୁର, ଅଙ୍ଗାରପଡ଼ା ଭୋଇସାହି ପ୍ରଭୃତି ଗ୍ରାମରେ ରିଲିଫ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ ରିଲିଫ ବଂଟନ କରିବା ସହିତ ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ । ଏହି ପ୍ରରୀପେକ୍ଷିରେ ଶ୍ରୀ ରାଉତରାୟ କହିଛନ୍ତି ଯେ ବାଲିପାଟଣା ବ୍ଲକର ପ୍ରାୟ ୭୦ପ୍ରତିଶତ ଚାଷଜମିର ଫସଲ ନଷ୍ଟହୋଇଯାଇଛି । ଧାନବିଲରେ ବାଲିଚରିଯିବା ସହ ପଟୁମାଡ଼ିଯିବା ଫଳରେ ଫସଲ ସଂପୂର୍ଣ୍ଣ ଉଜୁଡ଼ି ପଡ଼ିଛି । ଚାଷୀ ହିଡ଼ମୁଣ୍ଡରେ କାନ୍ଦୁଛି । ବହୁତଘର ଭୁଷୁଡ଼ି ପଡ଼ିଛି । ରାସ୍ତା ନଷ୍ଟ ହୋଇଯିବା ସହ ପୋଲ ଭାଙ୍ଗିଯାଇଛି । ବିଭିନ୍ନ ବନ୍ୟାପ୍ଲାବିତ ଗ୍ରାମର ଲୋକମାନଙ୍କର ଦାବି ଏହିକିଯେ ଧନୁଆ ଓ ଅଚ୍ୟୁତପୁର କାଜ ଠାରେ ତୁରନ୍ତ ଆଡ଼ିବନ୍ଧ ନିର୍ମାଣ କରାଯାଉ । ଯାହାଫଳରେ ସବୁଦିନ ପାଇଁ ବନ୍ୟା ଦାଉରୁ ସାଧାରଣଲୋକ ରକ୍ଷାପାଇବେ । ସବୁଠାରୁ ଦୁଃଖର ବିଷୟ ଏହିକିଯେ ଆରଆଇ ଏପର୍ଯ୍ୟନ୍ତ ଲୋକମାନଙ୍କ ପାଖକୁ ଯାଇନାହାନ୍ତି । ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ପାଖରେ ଏପର୍ଯ୍ୟନ୍ତ ସରକାରୀ ରିଲିଫ ପଂହଚିପାରି ନାହିଁ । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସ ସଂପାଦକ ରିୟା ଜନ୍ସାରୀ ଯୋଗଦେଇ କହିଥିଲେ ଯେ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ନବୀନ ସରକାର ବିଫଳ ହୋଇଛନ୍ତି ।

Comments (0)
Add Comment