ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଲୋକାର୍ପିତ

ଓଡ଼ିଶାର ଅତୀତ ସହ ଭବିଷ୍ୟତକୁ ଯୋଡ଼ିବ : ନବୀନ

ଭୁବନେଶ୍ୱର : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାକୁ ଭଲ ପାଉଥିବା ଓଡିଶାର ବିକାଶ ପାଇଁ, ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ତଥା ଏକ ନୂଆ ଓଡିଶା ଓ ସଶକ୍ତ ଓଡିଶା ଗଠନ ପାଇଁ କାମ କରିବାକୁ ଆଗ୍ରହୀ ସମସ୍ତଙ୍କର ମିଳନସ୍ଥଳୀ ଶଙ୍ଖ ଭବନ ହେବ । ଏହା ହେବ ସାଢେ ଚାରିକୋଟି ଓଡିଆଙ୍କ ପ୍ରିୟ ଭବନ । ଶଙ୍ଖ ଭବନର ସବୁ କାର୍ଯ୍ୟକ୍ରମ ଓଡିଶାବାସୀଙ୍କ ସେବାରେ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୧୯୯୭ ଥିଲା, ଓଡିଶା ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ । ବିଜୁ ବାବୁଙ୍କ ଆଦର୍ଶ, ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ର ନେଇ ବିଜୁ ଜନତା ଦଳ ଜନ୍ମ ନେଇଥିଲା । ଆଞ୍ଚଳିକ ଦଳ ଭାବରେ ଓଡିଶାବାସୀଙ୍କ ସେବାରେ ରହି ସେଦିନର ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଯାଇଛି । ବିଜୟର ଶୁଭଶଙ୍ଖ ବାଜି ଚାଲିଛି । ଶଙ୍ଖ ଭବନର ଉଦଘାଟନ କରିବା ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ଉଦେ୍ଧଶ୍ୟରେ ଶଙ୍ଖ ଭବନକୁ ସମର୍ପିତ କରି ବହୁତ ଖୁସି । ଏହି ସୁନ୍ଦର ଭବନ ନିର୍ମାଣରେ ସମସ୍ତଙ୍କର ଯୋଗଦାନ ରହିଛି । ଏହି ଭବନ ନିର୍ମାଣରେ ଯୁବ, ଛାତ୍ର, ମହିଳା କର୍ମୀମାନଙ୍କ ଅବଦାନ ରହିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଶଙ୍ଖ ଭବନ ଓଡିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡିବ । ସାଢେ ଚାରି କୋଟି ଓଡଶାବାସୀକୁ ଏକାଠି କରିବ । ଓଡିଶାର ବିକାଶ ପାଇଁ ସମର୍ପିତ ହେବ । ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ସମର୍ପିତ ହେବ । ଓଡିଶାର କଳା, ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ ସମର୍ପିତ ହେବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଶଙ୍ଖ ଭବନ କେବଳ ଆମର ଭୌତିକ, ସାମାଜିକ, ଅର୍ଥନୈତିକ ସାଂସ୍କୃତିକ ଓ ରାଜନୈତିକ ଉନ୍ନତି ପାଇଁ ପ୍ରେରଣାର କେନ୍ଦ୍ର ହେବ ନାହିଁ, ଏହା ଜଗନ୍ନାଥ ସଂସ୍କୃତିର ମୂଳତତ୍ତ୍ୱ ଆଧାରରେ ଆମର ଆଧ୍ୟାତ୍ମିକ ଉତ୍ତରଣର କେନ୍ଦ୍ର ମଧ୍ୟ ହେବ । ଓଡ଼ିଶା ପାଇଁ କାମ କରିବାକୁ ଚାହୁଁଥିବା ସମସ୍ତ ବ୍ୟକ୍ତିଙ୍କୁ ଏକାଠି କରିବ ଶଙ୍ଖ ଭବନ । ଓଡ଼ିଶାର ସ୍ୱାଭିମାନର ସୁରକ୍ଷା ସହ କଳା, ସାହିତ୍ୟ,ସଂସ୍କୃତିର ବିକାଶ ପାଇଁ ସମର୍ପିତ ହେବ ଶଙ୍ଖ ଭବନ । ବିଶ୍ୱଦରବାରରେ ଓଡ଼ିଶାର ଇଷ୍ଟ ଦେବତା ଶ୍ରଜଗନ୍ନାଥଙ୍କ ମହାନ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାମ କରିବ । ବିଜୁ ଜନତା ଦଳର ସଫଳତା ମନ୍ତ୍ର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ-ସ୍ଥିରତା ଆମକୁ ସଫଳତା ଦେଇଛି, ସାଧୁତା ଆନନ୍ଦର ମାର୍ଗ ଖୋଲିଛି । ଶାନ୍ତି ଆମକୁ ସମୃଦ୍ଧି ଦେଇଛି, ଏବଂ ପ୍ରଶାନ୍ତ ଚେତନା ରୂପାନ୍ତରଣରେ ସହାୟକ ହୋଇଛି । ଜନସେବା, ତ୍ୟାଗ ଓ ସ୍ୱାଭିମାନର ପ୍ରତୀକ ସାଜିବ ଶଙ୍ଖ ଭବନ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ୟୁନିଟ ୬ସ୍ଥିତ ବିଜେଡିର ପୁରୁଣା କାର୍ଯ୍ୟାଳୟରେ ଶଙ୍ଖ ଭବନ ନିମିଁତ ହୋଇଛି । ଆଜି ଉଦଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିÂ କର୍ମକର୍ତ୍ତା, ଛାମୁଆ ସଂଗଠନର ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ ନବ ନିର୍ମିତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବଡ଼ ଶଙ୍ଖ ପ୍ରତିମୂର୍ତ୍ତି ରହିଛି । ଯେଉଁଥିରେ ଚତୁର୍ଦ୍ଧାମୂର୍ତ୍ତି ଶୋଭାପାଉଛନ୍ତି । ଓଡ଼ିଶାର କଳା, ଭାସ୍କର୍ଯ୍ୟର ଛାପ ପଦର୍ଶନ କରୁଥିବା ପଥରର କାରୁକାର୍ଯ୍ୟ ଏଥିରେ ସ୍ଥାନ ପାଇଛି । ବେସମେଣ୍ଟରେ ରହିଛି ବିଶାଳ ପାର୍କିଙ୍ଗ ସ୍ଥଳ, ଯେଉଁଥିରେ ପ୍ରାୟ ୪୦ଟି କାର ପାର୍କିଙ୍ଗ କରିବା ଭଳି ସ୍ଥାନ ରହିଛି । ବେସମେଣ୍ଟ ଉପରେ ରହିଛି ତିନି ମହଲା କୋଠା । ପ୍ରଥମ ମହଲାରେ ବିରାଟ ହଲ ଓ ପ୍ରେସ କନଫରେନ୍ସ ହଲ ମଧ୍ୟ ରହିଛି । ଏଥିସହ ୨୫୦ ଆସନ ବିଶିଷ୍ଟ ଗୋଟିଏ ଅଡିଟୋରିୟମ ରହିଛି । ବିଲଡିଂରେ କ୍ୟାଣ୍ଟିନ ବ୍ୟବସ୍ଥା ମଧ୍ୟ ରଖାଯାଇଛି । ଦ୍ୱିତୀୟ ମହଲାରେ ଛାମୁଆ ସଂଗଠନ, ସଭାପତି ଓ ଦଳର ରାଜ୍ୟ ପଦାଧିକାରୀଙ୍କ କାର୍ଯ୍ୟାଳୟ ରହିଛି । ଏଥିସହ ଆଇଟି ସେଲ ମଧ୍ୟ ବିଲଡିଂରେ କାର୍ଯ୍ୟ କରିବ ।

Comments (0)
Add Comment