ବିଜୟ ମହାନ୍ତି ଓ ବଂଶୀଧର ଦାସଙ୍କ ବିୟୋଗରେ ସିପିଆଇର ଶୋକ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ଅଭିନେତା ବିଜୟ ମହାନ୍ତିଙ୍କ ୭୦ ବର୍ଷ ବୟସରେ ଗତକାଲି ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗରେ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ଭାରତୀୟ କମୁ୍ୟନିଷ୍ଟ ପାର୍ଟି ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଏହି ମହାନ୍ ଚିତ୍ର ତାରକାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ସମସ୍ତ ପ୍ରଶଂସକ ଓ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ବିଜୟ ମହାନ୍ତିଙ୍କ କଳାକୃତି ତାଙ୍କୁ ଅମର କରି ରଖିବ ବୋଲି ଶ୍ରୀ କାନୁନ୍ଗୋ ପ୍ରକାଶ କରିଛନ୍ତି । ସେହିଭଳି ବିଶିଷ୍ଟ ମାର୍କ୍ସବାଦୀ କମୁ୍ୟନିଷ୍ଟ ପାର୍ଟି ନେତା କମ୍ରେଡ଼ ବଂଶୀଧର ଦାସଙ୍କ ଗତକାଲି ବିୟୋଗ ହୋଇଯାଇଥିବାରୁ ତାଙ୍କ ମୃତୁ୍ୟରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟି ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସହିତ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗ ଓ ତାଙ୍କୁ ସମର୍ଥନ କରୁଥିବା ସାଥୀମାନଙ୍କୁ ସିପିଆଇ ପକ୍ଷରୁ ସମବେଦନା ଜ୍ଞାପନ କରାଯାଇଛି । କମ୍ରେଡ଼ ବଂଶୀଧର ଦାସ ଜଣେ ପ୍ରଗତିଶୀଳ ବୁଦ୍ଧିଜୀବୀ ଏବଂ ନିଃସ୍ୱାର୍ଥପର ସଂଗଠକ ଭାବେ କାମ କରିଥିଲେ । ସେ ଅଭିଭାଜିତ କଟକ ଜିଲ୍ଲାର ସିପିଆଇ(ଏମ୍)ର ଜିଲ୍ଲା ସମ୍ପାଦକ ଓ ଉକ୍ତ ପାର୍ଟିର ରାଜ୍ୟ ନେତୃତ୍ୱରେ ମଧ୍ୟ ଥିଲେ । ଆଜିର ସଂକଟମୟ ପରିସ୍ଥିତିରେ ତାଙ୍କ ବିୟୋଗ ଓଡ଼ିଶାର ଜଣେ ସଂଗ୍ରାମୀ ମଣିଷଙ୍କୁ ହରାଇଲା । ତାଙ୍କ ବିୟୋଗ ସୂଚନା ମିଳିବା ପରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ସିପିଆଇ ଜାତୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ରାମକୃଷ୍ଣ ପଣ୍ଡା, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଜୟନ୍ତ ଦାସ ଓ ସୁର ଜେନା, ବିଜୟ ଜେନା, ଅଶୋକ ସାହୁ, ସତୀଶ ମିଶ୍ର ଏବଂ କୈଳାସ ପୁହାଣ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Comments (0)
Add Comment