ବିଡା ବିଡା ଟଙ୍କା, ସୁନା ଅଳଙ୍କାର ଜବତ୍‌

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘର ସମେତ ୬ଟି ସ୍ଥାନରେ ଏକ ସମୟରେ ଚଢାଉ କରିଛି । ଚଢାଉ ବେଳେ ଭିଜିଲାନ୍ସ ବିଡା ବିଡା ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛି ।
ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ବି ତାଜୁବ୍ ହୋଇଯାଇଛନ୍ତି । ସାହୁଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ମିଳିଥିବା ବେଳେ ସକାଳୁ ଗଣତି ଚାଲିଛି । ଟଙ୍କା ସହିତ ବିପୁଳ ପରିମାଣରେ ସୁନା ବି ମିଳିଛି । ତାଙ୍କର ଦୁଇଟି ଦୁଇ ମହଲା କୋଠା ଓ ୯ଟି ଜାଗା ଠାବ କରାଯାଇଛି । ସେ ୨ ଥର ବିଦେଶ ଗସ୍ତ କରିଥିବାର ଡକ୍ୟୁମେଣ୍ଟ ସହିତ ଘରୁ ବିଦେଶୀ ନୋଟ୍ ବିଡ଼ା ମଧ୍ୟ ଠାବ କରାଯାଇଛି । ସେହିପରି ତାଙ୍କ ଶାଳକଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ମିଳିଛି । ଆହୁରି ମଧ୍ୟ ମିଳିଥିବା ସୂଚନା ଅନୁଯାୟୀ ତାଙ୍କ ଘରୁ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ସହ ବିଦେଶୀ ନୋଟ ବିଡା ଜବତ ହୋଇଛି ।
ଭିଜିଲାନ୍ସ ଏସ୍‌ପି ଆର. ପ୍ରକାଶ କହିଛନ୍ତି ଯେ କଟକ ଓ ଭୁବନେଶ୍ୱରରେ ମୋଟ ୬ ସ୍ଥାନରେ ତଲାସି କରାଯାଇଛି । ବିପୁଳ ପରିମାଣରେ ସୁନା ଓ ଟଙ୍କା ମିଳିଛି । ଟଙ୍କା ଗଣତି ଚାଲିଛି । ଏତେ ଟଙ୍କା ଓ ସଂପତ୍ତି କେଉଁଠୁ ଆସିଲା, ସେନେଇ ତଦନ୍ତ ଜାରି ରହିଛି । ଚାକିରି ପାଇଁ କୌଣସି ପ୍ରାର୍ଥୀଙ୍କ ଠାରୁ ସେ (ବିରଞ୍ଚି ସାହୁ) ଟଙ୍କା ନେଇଛନ୍ତି କି ନାହିଁ, ତା’ର ବି ତଦନ୍ତ ହେବ । ତାଙ୍କର ଦରମା ଏତେ ନୁହେଁ, ତେଣୁ ନିଶ୍ଚିତ ଅସାଧୁ ଉପାୟରେ ଅର୍ଜନ କରିଛନ୍ତି । ଏସବୁର ଅନୁସନ୍ଧାନ ଚାଲିଛି ବୋଲି ଏସ୍‌ପି କହିଛନ୍ତି । ଏହି ରେଡ୍‌ରେ ଭିଜିଲାନ୍ସ ଏସ୍‌ପି ଆର୍ର ପ୍ରକାଶଙ୍କ ସମେତ ୪ ଜଣ ଡିଏସ୍‌ପି, ୧୩ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । ଚାକିରି ଆସାୟୀଙ୍କ ଠାରୁ ସେ ଅର୍ଥ ଆଦାୟ କରି ମାଲାମାଲ୍ ହୋଇଥିବା ଆଶଙ୍କା କରାଯାଉଛି ।

Comments (0)
Add Comment